ପୁରୀ : ସମୟର କାଳଖଣ୍ଡରେ ରଥଯାତ୍ରା ଧୀରେଧୀରେ ବ୍ୟବସ୍ଥିତ ହୋଇଛି। ରଥ ଟାଣନ୍ତୁ ବା ନଟାଣନ୍ତୁ, କିନ୍ତୁ ରଥ ଦଉଡ଼ି ଛୁଇଁବାକୁ ପ୍ରତିଟି ଭକ୍ତ ଅପେକ୍ଷା କରିଥାଆନ୍ତି। ଲକ୍ଷଲକ୍ଷ ଭକ୍ତଙ୍କ ଭିଡ଼କୁ ଏଡ଼ାଇ ଭକ୍ତମାନେ ରଥ ଦଉଡ଼ି ଛୁଅଁନ୍ତି ଓ ଟାଣନ୍ତି ମଧ୍ୟ। ଅତୀତରେ ମଧ୍ୟ ସେଇ ଭାବ ଥିଲା, କିନ୍ତୁ ଭକ୍ତ ସମୁଦାୟଙ୍କୁ ନିୟନ୍ତ୍ରଣ କରିବା ସହଜ ନଥିଲା। ୧୮୦୯ ମସିହାରେ ମନ୍ଦିର ସାମ୍ନାରେ ପ୍ରବଳ ଭକ୍ତ ସମାଗମ ହୋଇଥିଲା। ଆବାଳ ବୃଦ୍ଧବନିତା ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ୍ ହୋଇ ମହାପ୍ରଭୁଙ୍କ ସାନ୍ନିଧ୍ୟ ନେବାକୁ ଅପଲକ ନୟନରେ ଚାହିଁ ବସିଥିଲେ। ମାତ୍ର, ଭକ୍ତମାନେ ମନ୍ଦିର ଫାଟକ ଆଡ଼କୁ ଅଗ୍ରସର ହେବାରୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଦଳାଚକଟାରେ ପ୍ରାୟ ୧୫୦ ଭକ୍ତଙ୍କର ମୃତ୍ୟୁ ଘଟିଥିଲା। ରେଭରେଣ୍ଡ ସ୍ମିଥ୍ ଓ ରେଭରେଣ୍ଡ ଗ୍ରିନ୍ଙ୍କ ‘ପିରିଓଡିକାଲ ଏକାଉଣ୍ଟ ଅଫ ଦି ବାପଟିଷ୍ଟ ମିସନ-୧୮୦୯’ରେ ସେହିବର୍ଷ ରଥଯାତ୍ରାର ଏଭଳି ଘଟଣା ସମ୍ପର୍କରେ ବର୍ଣ୍ଣନା ରହିଛି। ଦଳାଚକଟାରେ ଏତେସଂଖ୍ୟକ ଭକ୍ତଙ୍କ ମୃତ୍ୟୁ ଆଗରୁ କେବେ ଦେଖିବାକୁ ମିଳିନଥିଲା।
ସେହିଭଳି ୧୮୫୫ ମସିହାରେ ରଥ ଟଣା ଦିନ ଘଟିଥିଲା ଆଉ ଏକ ଅଘଟଣ। ତତ୍କାଳୀନ ପୁରୀ ମାଜିଷ୍ଟ୍ରେଟ୍ଙ୍କଠାରୁ କମିସନରଙ୍କୁ ପଠାଯାଇଥିବା ବିବରଣୀ ମୁତାବକ, ପ୍ରାୟ ୭୫୦୦ ଭକ୍ତ ରଥ ଟାଣୁଥିଲେ। ଏଇ ସୀମିତ ଭକ୍ତଙ୍କ ମଧ୍ୟରେ ବି ଅଭାବନୀୟ ଘଟଣା ଘଟିଯାଇଥିଲା। ବଡ଼ଦାଣ୍ଡରେ ରଥ ଟଣା ଚାଲିଥିବା ବେଳେ ଭିଡ଼ ଭିତରେ ଠେଲାପେଲାରେ ପ୍ରାୟ ୫୦ ଜଣ ଭକ୍ତ ତଳେ ପଡ଼ିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯଥାସାଧ୍ୟ ଉଦ୍ୟମ ହୋଇଥିଲା। ମାତ୍ର ଭକ୍ତମାନଙ୍କୁ ଉଦ୍ଧାର କରିବା ମଧ୍ୟରେ ୫ ଜଣଙ୍କ ଉପରେ ରଥ ମାଡ଼ି ଯାଇଥିଲା। ୩ ଜଣଙ୍କର ସେଇ ରଥ ଚକ ତଳେ ହିଁ ପ୍ରାଣ ଛାଡ଼ି ଯାଇଥିଲା। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ।
ଏହି ଦୁର୍ଘଟଣାରୁ ଭକ୍ତଙ୍କୁ ରକ୍ଷା କରିବା ଲାଗି ଜଣେ ଦାରୋଗାଙ୍କ ଅଧୀନରେ ଏକ ପୁଲିସ ବାହିନୀ ଓ ରାଜାଙ୍କ ପକ୍ଷରୁ କେତେକ ମାନ୍ୟଗଣ୍ୟ ଲୋକେ ରଥ ଚାରିପଟେ ଘେରି ରହିଥିଲେ। କିନ୍ତୁ, ଭକ୍ତଙ୍କ ଭିଡ଼ ଏତେ ଅଧିକ ଥିଲା ଯେ ରଥ ମାଡ଼ି ଆସିବା ପୂର୍ବରୁ ସେମାନେ ରଥକୁ ଅଟକାଇବା ସମ୍ଭବ ହୋଇନଥିଲା। ଏକକାଳୀନ ବହୁଲୋକ ସମାଗମ ହୋଇ ରହିଥିଲେ। ଯେବେ ରଥ ଟାଣିବା ପାଇଁ କିଛି ଭକ୍ତ ଭିଡ଼ କାଟି ଆଗେଇ ଯାଇଥିଲେ ସେମାନେ ତଳେ ପଡ଼ି ଯାଇଥିଲେ। ସେମାନଙ୍କ ପଛରେ ଆସୁଥିବା ଭକ୍ତମାନେ ମଧ୍ୟ ଲଦି ହୋଇଯାଇଥିଲେ। ଏଣେ ରଥ ଗଡ଼ୁଥିବାରୁ ରଥକୁ ତତ୍କ୍ଷଣାତ୍ ଅଟକାଇବା ସମ୍ଭବପର ନଥିଲା। ରଥ ଭକ୍ତଙ୍କ ଉପରେ ମାଡ଼ିଯିବାରୁ ମୃତ୍ୟୁ ଅନିବାର୍ଯ୍ୟ ଥିଲା। ସେଦିନ ପୁଲିସ୍ ସଂଖ୍ୟା ମଧ୍ୟ ଯଥେଷ୍ଟ ନଥିଲ।। ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ମାତ୍ର ୧୫୦ ଜଣ ଓଡ଼ିଆ କିମ୍ବା ବଙ୍ଗାଳି ପୁଲିସ ମୁତୟନ ହୋଇଥିଲେ। ତେବେ, ଏହିସମୟରେ ପୁଲିସମାନଙ୍କ ତରଫରୁ କୌଣସି ପ୍ରକାର ତ୍ରୁଟି ନଥିଲା ବୋଲି ମାଜିଷ୍ଟ୍ରେଟ କମିସନରଙ୍କୁ ପଠାଇଥିବା ବିବରଣୀରେ ଉଲ୍ଲେଖ ରହିଛି।