ଅଫିସରଙ୍କ ଘରେ ଖଟୁଛନ୍ତି ୧୫୦ ହୋମଗାର୍ଡ: ଥାନାବାବୁଙ୍କ ସେବାରେ ବି ହୋମଗାର୍ଡ!

ଚାକିରି ଭୟରେ ଖୋଲୁ ନାହାନ୍ତି ମୁହଁ, ତଦନ୍ତ ହେବ: ଏସ୍‌ପି

ରାଉରକେଲା: ମହିଳା ହୋମଗାର୍ଡ ସୌରିନ୍ଦ୍ରୀ ସାହୁଙ୍କୁ ଅନୁଗୁଳ ଡିଆଇଜି ବ୍ରିଜେଶ ରାଏଙ୍କ ପତ୍ନୀ ନିର୍ଯାତନା ଦେବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଅନୁଗୁଳ ନୁହେଁ ରାଜ୍ୟର ପ୍ରାୟ ସମସ୍ତ ପୁଲିସ ଜିଲ୍ଲାରେ ପଦସ୍ଥ ଅଧିକାରୀଙ୍କ ଦ୍ବାରା ଏଭଳି ନିୟମ ବିରୋଧୀ କାର୍ଯ୍ୟ ଓ ସ୍ବେଚ୍ଛାଚାର କରାଯାଉଛି। ଥାନାବାବୁ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ଘରେ ହୋମଗାର୍ଡମାନେ କାମ କରୁଛନ୍ତି। କିନ୍ତୁ ଦରମା ଦେଉଛନ୍ତି ସରକାର। ‌ଅଭିଯୋଗ ହେଉଛି ଯେ ହୋମଗାର୍ଡମାନଙ୍କୁ ବାସନ ମାଜିବାଠୁ ଆରମ୍ଭ କରି ଲୁଗାପଟା ସଫା କରିବା, ପରିବା ଆଣିବା, ପୋଷା କୁକୁରର ଯତ୍ନ ନେବା, ପିଲାଙ୍କୁ ସ୍କୁଲ ନେବାଆଣିବା ଭଳି ଯାବତୀୟ ବ୍ୟକ୍ତିଗତ କାମରେ ନିୟୋଜିତ କରାଯାଉଛି। ଜଣେ ଜଣେ ଥାନାବାବୁଙ୍କ ଘରେ ଏକାଧିକ ହୋମଗାର୍ଡ କାମ କରୁଛନ୍ତି। ଏମିତି ଭାବେ ରାଉରକେଲା ପୁଲିସ ଜିଲ୍ଲାରେ ପାଖାପାଖି ୧୫୦ରୁ ଅଧିକ ହୋମଗାର୍ଡ ଉପରିସ୍ଥ ପୁଲିସ ଅଧିକାରୀଙ୍କ ଘରେ ବେଠି ଖଟୁଥିବା ଅଭିଯୋଗ ହୋଇଛି।

ରାଉରକେଲା ପୁଲିସ ଜିଲ୍ଲାରେ ୨୨ଟି ଥାନା ରହିଛି। ପ୍ରତ୍ୟେକ ଥାନା ଅଧୀନରେ ଆକାର ଅନୁଯାୟୀ ୧୫ରୁ ୩୦ ଜଣ ପର୍ଯ୍ୟନ୍ତ ହୋମଗାର୍ଡ କାମ କରୁଛନ୍ତି। ଥାନାରେ ଯେତିକି ହୋମଗାର୍ଡ ଡ୍ୟୁଟି କରୁଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ପ୍ଲାଟୁନ୍‌ କମାଣ୍ଡର ଓ ଅନ୍ୟ ଜଣେ କମ୍ପାନି କମାଣ୍ଡର ଦାୟିତ୍ବ ତୁଲାଉଛନ୍ତି। ସେହିମାନଙ୍କ ଜରିଆରେ କିଛି ଥାନାବାବୁ ହୋମଗାର୍ଡମାନଙ୍କୁ ନିଜର ତଥା ବଡ଼ବାବୁମାନଙ୍କ ଘରେ କାମ କରିବାକୁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଯଦି କୌଣସି ହୋମଗାର୍ଡ ଏଭଳି କାମ କରିବାକୁ ଅରାଜି ହେଉଛନ୍ତି, ସେମାନଙ୍କୁ ସହରଠୁ ଦୂର ଉପାନ୍ତ ଅଞ୍ଚଳ ଥାନାକୁ ପଠାଇ ଦେବାକୁ ଧମକ ଦିଆଯାଉଛି। ପୂର୍ବରୁ ଗୁରୁଣ୍ଡିଆ, ଲହୁଣିପଡା, ବୀରମିତ୍ରପୁର, ଲାଠିକଟା, ଚାନ୍ଦିପୋଷ ଥାନାରେ କାର୍ଯ୍ୟରତ ପୂର୍ବତନ ଥାନାବାବୁଙ୍କ ବିରୋଧରେ ଏମିତି ଅଭିଯୋଗ ଆସିଥିଲା। ତତ୍କାଳୀନ ଏସ୍‌ପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହେଲେ ଥାନାବାବୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ମାମଲାକୁ ରଫାଦଫା କରି ଦିଆଯାଇଥିଲା।

ଏମିତି ଅଭିଯୋଗ ସଂକ୍ରାନ୍ତରେ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣାର ନିଶ୍ଚିତ ଭାବେ ତଦନ୍ତ କରାଯିବ। ରାଜ୍ୟ ହୋମଗାର୍ଡ ସଂଘର ସଭାପତି ରଞ୍ଜନ କୁମାର ମଲ୍ଲିକ କହିଛନ୍ତି, ହୋମଗାର୍ଡମାନଙ୍କୁ ଘରୋଇ କାମରେ ନିୟୋଜିତ କରିବା ସମ୍ପୂର୍ଣ୍ଣ ଆଇନବିରୋଧୀ। ଏହାଦ୍ବାରା ହୋମ୍‌ଗାର୍ଡମାନେ ମାନସିକ ଓ ଶାରୀରିକ ଭାବେ ନିର୍ଯାତିତ ହେବା ସହ ସେମାନଙ୍କ ଆତ୍ମସମ୍ମାନରେ ଆଞ୍ଚ ଆସୁଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଏମିତି ବେଆଇନ କାର୍ଯ୍ୟର ଯେପରି ପୁନରାବୃତି ନହୁଏ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଯଦି କୌଣସି ପଦକ୍ଷେପ ନିଆ ନ ଯାଏ, ଆଗାମୀ ଦିନରେ ଅନୁଗୁଳର ହୋମଗାର୍ଡ ସୌରେନ୍ଦ୍ରୀଙ୍କ ଭଳି ଅନେକ ହୋମଗାର୍ଡ ପ୍ରତିବାଦରେ ଏଭଳି ଚରମ ନିଷ୍ପତ୍ତି ନେବେ ବୋଲି ଶ୍ରୀ ମଲ୍ଲିକ ଆଶଙ୍କା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର