ରାଉରକେଲା: ବିଭିନ୍ନ ଥାନା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାରେ ସାହାଯ୍ୟ କରିବାଲାଗି ନିୟୋଜିତ ହୋଇଛନ୍ତି ଗୃହରକ୍ଷୀ। ତେବେ ରାଉରକେଲାରେ ଦୈନିକ ୩୦୦ ଟଙ୍କା ବେତନରେ କାର୍ଯ୍ୟରତ ଗୃହରକ୍ଷୀମାନଙ୍କୁ ସାଧାରଣ ଲୋକଙ୍କ ସୁରକ୍ଷାରେ କମ୍, ପୁଲିସ ବିଭାଗର କିଛି ବଡ଼ବାବୁଙ୍କ ବ୍ୟକ୍ତିଗତ କାମରେ ବେଶି ଲଗାଯାଉଥିବା ଅଭିଯୋଗ ହେଉଛି। ଏହି ବଡ଼ବାବୁମାନେ ସରକାରୀ ନୀତି ନିୟମକୁ ଉଲଂଘନ କରି ଅସ୍ଥାୟୀ ଚାକିରିଆ ଗୃହରକ୍ଷୀଙ୍କୁ ମନଇଚ୍ଛା ଘରୋଇ କାମରେ ନିୟୋଜିତ କରୁଥିବା ଅଭିଯୋଗ ହେଉଛି।
ସେମାନେ ଉପରିସ୍ଥଙ୍କ ଘରୋଇ କାମ କରିବେ ବୋଲି କୌଣସି ମାର୍ଗଦର୍ଶିକା ନଥିଲେ ହେଁ ରାଉରକେଲା ପୁଲିସ ଜିଲ୍ଲାରେ ପ୍ରାୟ ୧୫୦ ଗୃହରକ୍ଷୀ ପୁଲିସ ବଡ଼ବାବୁମାନଙ୍କ ଘରୋଇ କାମ କରୁଛନ୍ତି। ପୂର୍ବରୁ ଜିଲ୍ଲା ପୁଲିସର କିଛି ବରିଷ୍ଠ ଅଧିକାରୀ ଓ ଥାନାବାବୁଙ୍କ ବିରୋଧରେ ଏମିତି ସମାନ ଅଭିଯୋଗ ଆସିଥିଲା। ତାହାକୁ ଗୁରୁତର ସହ ନେଇ ତତ୍କାଳୀନ ଏସ୍ପି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଏସ୍ପିଙ୍କ ହସ୍ତକ୍ଷେପ ପରେ ଗୃହରକ୍ଷୀମାନଙ୍କୁ ଘରୋଇ କାମରୁ ବାଦ୍ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଏବେ କିଛି ପୁଲିସବାବୁ ଓ ଥାନାବାବୁ ରାଉରକେଲା ଏସ୍ପିଙ୍କ ଅଜଣାତରେ ପୁଣି ସେହି ବେଆଇନ କାମ କରୁଛନ୍ତି। ଅଭିଯୋଗ ହେଉଛି ଯେ ଗୃହରକ୍ଷୀମାନଙ୍କୁ ବାସନ ମାଜିବା, ଲୁଗାପଟା ସଫା କରିବା, ପରିବା ଆଣିବା ଠାରୁ ଆରମ୍ଭ କରି ପିଲାମାନଙ୍କୁ ସ୍କୁଲ ନେବା ଆଣିବା କାମରେ ନିୟୋଜିତ କରା ଯାଉଛି। ଚାକିରି ଚାଲିଯିବା ଭୟରେ ଗୃହରକ୍ଷୀମାନେ ମୁହଁ ନଖୋଲି ନିର୍ଦ୍ଦେଶ ମାନିବାକୁ ବାଧ୍ୟ ହେଉଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରାଉରକେଲା ପୁଲିସ ଜିଲ୍ଲାର ୨୨ଟି ଥାନା ରହିଛି। ପ୍ରତ୍ୟେକ ଥାନା ଅଧୀନରେ ଆକାର ଅନୁଯାୟୀ ୨୫ରୁ ୪୫ ଜଣ ପର୍ଯ୍ୟନ୍ତ ଗୃହରକ୍ଷୀ କାର୍ଯ୍ୟ କରୁଛନ୍ତି। ଦୈନିକ ୩୦୦ ଟଙ୍କା କରି ସେମାନେ ମାସକୁ ଯେତେ ଦିନ ଡ୍ୟୁଟି କରୁଛନ୍ତି, ସେହି ଅନୁଯାୟୀ ପାରିଶ୍ରମିକ ପାଉଛନ୍ତି। ଥାନାରେ ଯେତିକି ଗୃହରକ୍ଷୀ ଡ୍ୟୁଟି କରୁଛନ୍ତି, ଏମାନଙ୍କ ମଧ୍ୟରେ ଜଣେ ପ୍ଲାଟୁନ୍ କମାଣ୍ଡର ଓ ଅନ୍ୟ ଜଣେ କମ୍ପାନୀ କମାଣ୍ଡର ଦାୟିତ୍ବ ତୁଲାଉଛନ୍ତି। ସେହିମାନଙ୍କ ଜରିଆରେ କିଛି ଥାନାବାବୁ ଗୃହରକ୍ଷୀମାନଙ୍କୁ ନିଜର ତଥା ବଡବାବୁମାନଙ୍କ ଘରେ କାମ କରିବାକୁ ବାଧ୍ୟ କରୁଛନ୍ତି ବୋଲି କୁହା ଯାଉଛି। କିଛି ଅଧିକାରୀଙ୍କ ଘରେ ଏକାଧିକ ଗୃହରକ୍ଷୀ କାମ କରୁଥିବା ଅଭିଯୋଗ ହେଉଛି।
ଯଦି କୌଣସି ଗୃହରକ୍ଷୀ ଏଭଳି କାମ କରିବାକୁ ଅରାଜି ହେଉଛନ୍ତି, ସେମାନଙ୍କୁ ସହରର ଠାରୁ ଦୂର ଉପାନ୍ତ ଅଞ୍ଚଳ ଥାନାକୁ ପଠାଇ ଦେବାକୁ କୁଆଡ଼େ ଧମକ ମଧ୍ୟ ଦିଆଯାଉଛି! ସବୁଠୁ ଆଶ୍ଚର୍ଯ୍ୟ କଥା, ଏକ ଉପାନ୍ତ ଥାନାର ଜଣେ ଥାନାବାବୁଙ୍କ ବିରୋଧରେ ମଧ୍ୟ ଏଭଳି ଅଭିଯୋଗ ରହିଛି। ସେ ନିଜର ଜଣେ ସମ୍ପର୍କୀୟଙ୍କ ଚିକିତ୍ସା ସେବାରେ ମଧ୍ୟ ଗୃହରକ୍ଷୀଙ୍କୁ ନିୟୋଜିତ କରୁଥିବାର ଚର୍ଚ୍ଚାକୁ ଥାନା ଅଧିକାରୀ ସ୍ବୀକାର ମଧ୍ୟ କରିଛନ୍ତି। ଅଭିଯୋଗର ପ୍ରତିକ୍ରିୟା ରୂପେ ସେ ‘ସମ୍ବାଦ’କୁ କହିଛନ୍ତି, ନିଜ ସଂପର୍କୀୟଙ୍କୁ କଟକର ଏକ ଡାକ୍ତରଖାନାରେ ଛାଡ଼ି ଦେଇ ଆସିବାଲାଗି ହିଁ ସେ କୁଆଡ଼େ ଜଣେ ଗୃହରକ୍ଷୀଙ୍କୁ କହିଥିଲେ!
ଏଭଳି ଅଭିଯୋଗକୁ ଗୃହରକ୍ଷୀ ବିଭାଗର ସହକାରୀ କମାଣ୍ଡାଣ୍ଟ ସୌମେନ୍ଦ୍ର କୁମାର ନାୟକ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ୧୫୦ ନୁହେଁ, ଅଳ୍ପକିଛି ଗୃହରକ୍ଷୀ ଏଭଳି କାମ କରୁଥିବା ଅଭିଯୋଗ ଆସୁଛି। ତେବେ ସରକାରଙ୍କର ଏମିତି କୌଣସି ମାର୍ଗଦର୍ଶିକା ନାହିଁ। ଏ ବିଷୟରେ ରାଉରକେଲା ଓକିଲ ସଂଘର ପୂର୍ବତନ ସଭାପତି ରମେଶ ବଳ କହିଛନ୍ତି, ଏମିତି କୌଣସି ନିୟମ ନାହିଁ। ଥାନାର କର୍ମଚାରୀ ଅଭାବ ଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷାରେ ଗୃହରକ୍ଷୀଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ମାତ୍ର ଏମାନଙ୍କୁ ଗୃହକାର୍ଯ୍ୟରେ ନିୟୋଜିତ କରିବା ଆଦୌ ଗ୍ରହଣୀୟ ନୁହେଁ। ଏହା ସମ୍ପୂର୍ଣ୍ଣ ଆଇନ ବିରୋଧୀ। ଏଥିପ୍ରତି ପୁଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/72231c8f-28a1-455f-acd5-a22223bc31ed.jpg)