କଟକ: ରାଜ୍ୟରେ ପାଖାପାଖି ୧୧୦ ଡିଏସ୍‌ପି ପଦବି ଖାଲି ପଡ଼ିଛି। ଏବେ ପାଖାପାଖି ୧୫୦ ଜଣ ଇନ୍‌ସପେକ୍ଟର ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେଲେଣି। ଏମାନେ ଥାନାରେ ୧୧ ବର୍ଷରୁ ଅଧିକ କାଳ ଇନ୍‌ସପେକ୍ଟର ଭାବେ କାର୍ଯ୍ୟ କରି ସାରିଲେଣି। ଏଭଳି ପରିସ୍ଥିତିରେ ପଦୋନ୍ନତି ବୋର୍ଡ ବସିବା ପୂର୍ବରୁ ଆଇଜି ପର୍ସୋନେଲ୍‌ଙ୍କ ପକ୍ଷରୁ ବୋର୍ଡ ସେକ୍ସନ୍‌ ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲାର ଏସ୍‌ପିଙ୍କୁ ନୋମିନେସନ୍ ମାଗିବା ପାଇଁ ଚିଠି ଲେଖିଥାନ୍ତି। କିନ୍ତୁ ପର୍ସୋନେଲ୍ ସେକ୍ସନ୍‌ରେ ଏହି ପ୍ରକ୍ରିୟା ପୂର୍ବ ସରକାର ସମୟରେ ସାଧାରଣ ନିର୍ବାଚନ ପୂର୍ବରୁ ଅଟକି ରହିଥିବା ଅଭିଯୋଗ ଉଠିଛି।

Advertisment

ଓଡ଼ିଶା ପୁଲିସର ନିୟମ ଅନୁଯାୟୀ, ଯେଉଁ ଅଫିସର ୫ ବର୍ଷ ଇନ୍‌ସପେକ୍ଟର ଭାବେ କାର୍ଯ୍ୟ କରିଥିବେ ଓ ଡିଏସ୍‌ପି ପଦବି ଖାଲି ଥିବ, ସେଭଳି କ୍ଷେତ୍ରରେ ପୁଲିସ ମୁଖ୍ୟାଳୟରେ ଥିବା ବୋର୍ଡ ସେକ୍ସନ୍‌ ପକ୍ଷରୁ ପର୍ସୋନେଲ୍‌ ସେକ୍ସନ୍‌କୁ ପଦୋନ୍ନତି ବୋର୍ଡ ବସାଇବା ପାଇଁ ବରିଷ୍ଠତା ଭିତ୍ତିରେ ଅଫିସରଙ୍କ ତାଲିକା ମାଗିଥାଏ। ପର୍ସୋନେଲ୍ ସେକ୍ସନ୍‌ ପକ୍ଷରୁ ବରିଷ୍ଠତା ଭିତ୍ତିରେ ଇନ୍‌ସପେକ୍ଟରଙ୍କ ଏକ ତାଲିକା ଦେଇଥାନ୍ତି। ପରେ ପର୍ସୋନେଲ୍ ସେକ୍ସନ୍‌ ପକ୍ଷରୁ ବୋର୍ଡ ସେକ୍ସନ୍‌କୁ ପ୍ରତ୍ୟେକ ଜିଲ୍ଲାର ଏସ୍‌ପିଙ୍କୁ ନୋମିନେସନ୍ ମାଗିବା ପାଇଁ ଚିଠି ଲେଖିଥାନ୍ତି। ଜିଲ୍ଲା ଏସ୍‌ପିଙ୍କ ପକ୍ଷରୁ ନୋମିନେସନ୍ ଆସିବା ପରେ ବୋର୍ଡ ସେକ୍ସନ୍‌ ପକ୍ଷରୁ ଏସିଆର୍‌ ସେଲ୍‌କୁ ଏହାକୁ ପଠାଯାଇଥାଏ। ଏହା ପରେ ଏସିଆର୍ ସେଲ୍ ସମ୍ପୃକ୍ତ ଇନ୍‌ସପେକ୍ଟରଙ୍କ ସିସିଆର୍ ଦେବାକୁ ଏସ୍‌ପିଙ୍କୁ କହିଥାନ୍ତି। ସିସିଆର୍‌ ଆସିବା ପରେ ଏସିଆର୍ ସେଲ୍ ବୋର୍ଡ ସେକ୍ସନ୍‌କୁ ଦେଇଥାଏ। ବୋର୍ଡ ସେକ୍ସନ୍‌ ଏହାକୁ ଆଇଜି ପର୍ସୋନେଲ୍‌ଙ୍କ ନିକଟରେ ଦାଖଲ କରିଥାନ୍ତି। ଆଇଜି ପର୍ସୋନେଲ୍ ଡିଜିଙ୍କ ନିକଟରେ ଦାଖଲ କରିବା ପରେ ଡିଜି ଅନୁମୋଦନ କରିଥାନ୍ତି। ଏହା ପରେ ଧାର୍ଯ୍ୟ ତାରିଖରେ ଜଣେ ଡିଜି ପାହ୍ୟାର ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ପଦୋନ୍ନତି ବୋର୍ଡ ବସି ଇନ୍‌ସପେକ୍ଟରଙ୍କ ପଦୋନ୍ନତି କରାଯାଇଥାଏ। ଯେଉଁ ଅଫିସରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥାଏ କିମ୍ବା ଦଣ୍ଡ ଦିଆଯାଇଥାଏ, ସେମାନଙ୍କୁ ପଦୋନ୍ନତି ପ୍ରକ୍ରିୟାରୁ ବାଦ୍ ଦିଆଯାଇଥାଏ।

ଓଡ଼ିଶା ପୁଲିସରେ ୨୦୦୫ ବ୍ୟାଚ୍‌ର ୨୯୦ ଏସ୍‌ଆଇ ଭାବେ ନିଯୁକ୍ତି ପାଇଥିଲେ। ପ୍ରାୟ ୩୨ ଜଣ ଅନ୍ୟତ୍ର ଚାକିରି ପାଇଯାଇଥିଲେ। ପରେ ପ୍ରାୟ ୨୫୮ ଏସ୍‌ଆଇ ପଦୋନ୍ନତି ପାଇ ୨୦୧୩ରେ ଇନ୍‌ସପେକ୍ଟର ହୋଇଥିଲେ। ଏଥିରୁ ପାଖାପାଖି ୫୦ ପ୍ରତିଶତ ୨୦୨୩ରେ ସାଧାରଣ ବର୍ଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଇନ୍‌ସପେକ୍ଟର ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ୨୦୦୫ ବ୍ୟାଚ୍ ଯାଏ ପଦୋନ୍ନତି ପାଇଁ ପ୍ରାୟ ୧୫୦ ଇନ୍‌ସପେକ୍ଟର ପାହ୍ୟାର ଅଫିସର ଯୋଗ୍ୟ ହୋଇଛନ୍ତି। ଇନ୍‌ସପେକ୍ଟର ଭାବେ ୫ ବର୍ଷ କାର୍ଯ୍ୟ କଲେ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇବାର ନିୟମ ଥିବା ବେଳେ ଏହି ଅଫିସରମାନେ ୧୧ ବର୍ଷରୁ ଊର୍ଦ୍ଧ୍ବ ଇନ୍‌ସପେକ୍ଟର ଭାବେ କାର୍ଯ୍ୟ କରିସାରିଥିବା ବେଳେ ପଦୋନ୍ନତି ପାଇନାହାନ୍ତି।
ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପୁଲିସ ମୁଖ୍ୟାଳୟର ବୋର୍ଡ ସେକ୍ସନ୍‌ ପକ୍ଷରୁ ଜିଲ୍ଲା ଏସ୍‌ପିଙ୍କୁ ନୋମିନେସନ୍ ମଗାଯିବାରେ ବିଳମ୍ବ ହେଉଛି। ଆଇଜି ପର୍ସୋନେଲ୍‌ଙ୍କ କାର୍ଯ୍ୟାଳୟରେ ଏହି ଫାଇଲ୍ ଅଟକି ରହିଥିବା କୁହାଯାଉଛି। ନିର୍ବାଚନ ସମୟରେ ଲୋକ ବଳର ଅଭାବ ଦର୍ଶାଇ ଏହି ପ୍ରକ୍ରିୟା ବିଳମ୍ବ ହୋଇଥିଲା। ଇନ୍‌ସପେକ୍ଟର ପାହ୍ୟାର ଅଧିକାରୀମାନେ ପୁଲିସ ମୁଖ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଭେଟି ତ୍ବରିତ୍‌ ପଦକ୍ଷେପ ପାଇଁ ମଧ୍ୟ ଦାବି କରିଛନ୍ତି। ଅନ୍ୟପଟେ ଏଭଳି ଘଟଣାକୁ ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ଗୁରୁତ୍ବର ସହିତ ନେଇଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କ କହିବା ଅନୁଯାୟୀ, ଇନ୍‌ସପେକ୍ଟରରୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଖୁବଶୀଘ୍ର ପଦୋନ୍ନତି କରାଯିବ।