ଜଳବନ୍ଦୀରୁ ମୁକ୍ତି ନାହିଁ : କେନ୍ଦ୍ରାପଡ଼ା ଜିଲ୍ଲାର ୧୫୧୦ ଗାଁ ପ୍ରଭାବିତ

କରାଣ୍ଡିଆ ନଦୀର ୩ଟି ସ୍ଥାନରେ ବନ୍ଧ ଧସିଲା, ପାରାଦୀପର ୫ଟି ଓ୍ଵାର୍ଡ ଏବେ ବି ଜଳବନ୍ଦୀ, କୁଜଙ୍ଗରେ ଭାଙ୍ଗିଛି ୫ଶହରୁ ଅଧିକ ଘର

କଟକ/କେନ୍ଦ୍ରାପଡ଼ା/ଜଗତସିଂହପୁର : କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଆଜି ବର୍ଷା ପରିମାଣ ହ୍ରାସ ପାଇଛି। କିନ୍ତୁ ୩ଟି ଜିଲ୍ଲାର ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି। ରେକର୍ଡ ଅନୁଯାୟୀ ଗଲା ୩ ଦିନ ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ପ୍ରାଥମିକ ଆକଳନରୁ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ୍‌ ୨୪୫ଟି ପଞ୍ଚାୟତର ୧୫୧୦ଟି ଗ୍ରାମ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ ୬୮ ହଜାରରୁ ଅଧିକ ହେକ୍ଟର ଚାଷ ଜମିରେ ଫସଲ ବୁଡ଼ି ରହିଛି। ୪୫୫୦ ଜଣ ବିପନ୍ନଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ୬ଟି ରୋଷେଇ କେନ୍ଦ୍ର ଖୋଲା ଯାଇ ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। କରାଣ୍ଡିଆ ନଦୀର ଜଳପୋକ, ନାନକାର ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟ ଏବଂ ଗଣିବାଙ୍କ ନିକଟରେ ବନ୍ଧରୁ ମାଟି ଅତଡ଼ା ଖସିବାରୁ ଲୋକେ ଆତଙ୍କିତ ସ୍ଥିତିରେ ଅଛନ୍ତି। ରାଜନଗର, ରାଜକନିକା, ଆଳି, ଡେରାବିଶ, ପଟ୍ଟାମୁଣ୍ଡାଇର ଅନେକ ଅଞ୍ଚଳ ପାଣି ଘେରରେ ରହିଛି।

ଜଗତସିଂହପୁର ଜିଲ୍ଲାରେ କୁଜଙ୍ଗ, ଏରସମା, ପାରାଦୀପ ଅଞ୍ଚଳରେ ସର୍ବାଧିକ କ୍ଷତି ଘଟିଛି। ପାରାଦୀପର ୫ଟି ଓ୍ଵାର୍ଡର ଲୋକ ଏବେ ବି ଜଳବନ୍ଦୀ ସ୍ଥିତିରେ ଅଛନ୍ତି। ରଘୁନାଥପୁର ହାଟରେ ୩ ଫୁଟ ପାଣି ଜମି ରହିଛି। କୁଜଙ୍ଗ ଅଞ୍ଚଳରେ ୫ଶହରୁ ଅଧିକ ଘର ଭାଙ୍ଗିଛି। ଆସନ୍ତାକାଲି ସୁଦ୍ଧା ଜିଲ୍ଲର କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ୬ ହଜାର ହେକ୍ଟରରୁ ଅଧିକ ଚାଷ ଜମି ପାଣିରେ ବୁଡ଼ି ରହିଛି।

ସେହିଭଳି କଟକ ଜିଲ୍ଲାରେ ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନିଆଳି, ବାଙ୍କୀ, ଟାଙ୍ଗୀ ଏବଂ ସଦର ବ୍ଲକରେ ଲଗାଣ ବର୍ଷା ଯୋଗୁଁ ୫ ହଜାର ହେକ୍ଟରରୁ ଅଧିକ ଚାଷ ଜମି ପାଣିରେ ବୁଡ଼ି ରହିଛି। ଜିଲ୍ଲାରେ ୧୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ଧାନ ଓ ପନି ପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଉଛି। ଅନେକ ସ୍ଥାନରେ ମାଟି କାନ୍ଥ ପଡ଼ିଛି। ଶନିବାର ସୁଦ୍ଧା ୩ଟିଯାକ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରି ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର