ମାଲକାନଗିରି: ମାଲକାନଗିରି ବ୍ଲକ୍ ମାର୍କାପାଲୀ ପଞ୍ଚାୟତ ପୋଡ଼ଭଟ୍ଟା ଗ୍ରାମର ଶୁକ୍ରି ଦୁରା। ପିଲାଟି ଦିନରୁ ବାପା ଛେଉଣ୍ଡ। ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସ୍କୁଲ୍ ପିଣ୍ଡା ମାଡ଼ି ନାହାନ୍ତି। କିନ୍ତୁ ଅଦ୍ୟମ ଇଚ୍ଛାଶକ୍ତି ବଳରେ ସ୍ବାବଲମ୍ବୀ ହେବା ସହ ୧୫୦ ମହିଳାଙ୍କ ଲାଗି ସିଲେଇ ଶିକ୍ଷା ପ୍ରଦାନରେ ସାଜିଛନ୍ତି ମାଷ୍ଟର୍। ମାସିକ ୨୫ ହଜାର ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସହ ଗ୍ରାମାଞ୍ଚଳ ମହିଳାଙ୍କ ପାଇଁ ଶୁକ୍ରି ସାଜିଛନ୍ତି ପ୍ରେରଣାର ଉତ୍ସ।
୨୦୧୬ରେ ମାଲକାନଗିରି ଓଏଲ୍ଏମ୍ ପକ୍ଷରୁ ସିଲେଇ ତାଲିମ ନେଇଥିଲେ ଶୁକ୍ରି। ତାଲିମ ଶେଷ ହେବା ପରେ ନିଜ ଗାଁ ପୋଡ଼ଭଟ୍ଟାରେ ସିଲେଇ କେନ୍ଦ୍ର ଖୋଲିଥିଲେ। ସେହି ଦିନଠାରୁ ଆଉ ପଛକୁ ଫେରିନାହାନ୍ତି ଶୁକ୍ରି। ଅଶିକ୍ଷିତ ସତ୍ତ୍ବେ ମାର୍ଜିତ ବ୍ୟବହାର ସାଙ୍ଗକୁ କାମରେ ଦକ୍ଷତା ପ୍ରତିପାଦିତ କରି ମାର୍କାପାଲୀ ପଞ୍ଚାୟତରେ ମହିଳା ସଶକ୍ତୀକରଣର ବାର୍ତ୍ତାବହ ସାଜିଛନ୍ତି। ଶୁକ୍ରିଙ୍କଠାରୁ ସିଲେଇ ଶିକ୍ଷା ନେଇଥିବା ଶତାଧିକ ମହିଳା ଏବେ ସିଲେଇ କରି ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି।
ଗାଁ ଗହଳିର ଲୋକ ଏବେ ବି କପଡ଼ା ସିଲେଇ କରି ପିନ୍ଧିବା ପସନ୍ଦ କରୁଥିବାରୁ ଶୁକ୍ରିଙ୍କ ସମେତ ଅନ୍ୟ ମହିଳାଙ୍କ ରୋଜଗାର ଭଲ ହେଉଛି। ନିଜେ ରୋଜଗାର କରିବା ସହ ଶୁକ୍ରି ଗାଁ ମହିଳାଙ୍କୁ ସ୍ବାବଲମ୍ବୀ କରାଇଥିବାରୁ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଶୁକ୍ରି ଅଶିକ୍ଷିତ ଆଦିବାସୀ ମହିଳା ହେଲେ ବି ରୋଜଗାରକ୍ଷମ ହୋଇ ଶିକ୍ଷିତ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଆଗକୁ ସେ ଆହୁରି ଅଧିକା ମହିଳାଙ୍କୁ ତାଲିମ ଦେବେ ବୋଲି କହିଛନ୍ତି। ବିଦ୍ୟୁତ୍ ଚାଳିତ ସିଲେଇ ମେସିନ୍ ବଜାରରେ ଉପଲବ୍ଧ ଥିଲେ ମଧ୍ୟ ନୂତନ ଜ୍ଞାନକୌଶଳ ସମ୍ପର୍କରେ ଶୁକ୍ରି ଅଜ୍ଞ ଥିବାରୁ ନୂଆ ମେସିନ୍ କିଣୁନାହାନ୍ତି। ଆଗକୁ ବଢ଼ିବାର ପ୍ରବଳ ଇଚ୍ଛା ଥିଲେ ମଧ୍ୟ ଅଶିକ୍ଷିତ କାରଣରୁ ସରକାରୀ ସ୍ତରରେ କାହା ସହ କଥା ହେବା ପାଇଁ ସାହାସ ଜୁଟାଇ ପାରୁନାହାନ୍ତି। ତେବେ ପ୍ରଶାସନ ନୂତନ ଜ୍ଞାନକୌଶଳ ସମ୍ପର୍କରେ ତାଲିମ ପ୍ରଦାନ କଲେ ଆଗାମୀ ଦିନରେ ସିଲେଇ ଶିକ୍ଷା କ୍ଷେତ୍ରରେ ଅଧିକ ଦକ୍ଷ ହେବାର ଲକ୍ଷ୍ୟ ରଖିଛନ୍ତି ଶୁକ୍ରି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/08/untitled-18-2025-11-08-07-41-27.jpg)