ଅସଜଡ଼ା ଶାନ୍ତିସ୍ତୂପ: ୩ ଦିନରେ ବୁଲିଲେ ୧୫ ଶହ ପର୍ଯ୍ୟଟକ

ଧଉଳି: ମହାମାରୀ କରୋନା କଟକଣା ନେଇ ୬ ମାସ ଧରି ବନ୍ଦ ପଡ଼ିଥିବା ଶାନ୍ତିସ୍ତୂପ ଗତ ତିନିଦିନ ହେଲା ଖୋଲିଛି । ୧୬ ତାରିଖରୁ ଶାନ୍ତିସ୍ତୁପ ବିଧିବଦ୍ଧ ଭାବେ ଖୋଲାଯିବା ନେଇ ନିର୍ଦ୍ଦେଶ ହୋଇଥିଲା । ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ଶାନ୍ତିସ୍ତୁପ ଗେଟ ତାଲା ଖୋଲିଥିଲା । ହେଲେ ଶାନ୍ତିସ୍ତୁପ ଖୋଲିବା ପୂର୍ବରୁ ପର୍ଯ୍ୟଟକମାନଙ୍କ ଲାଗି ଆବଶ୍ୟକ ମୌଳିକ ସୁବିଧାସୁଯୋଗ ଯୋଗାଇ ଦିଆଯାଇ ନାହିଁ । ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁଙ୍କ ସୂଚନାନୁସାରେ ୩ ଦିନ ମଧ୍ୟରେ ୧୫୦୦ ଆଖପାଖ ଅଞ୍ଚଳର ପର୍ଯ୍ୟଟକ ଶାନ୍ତିସ୍ତୁପ ବୁଲି ପରିଦର୍ଶନରେ ଆସିଥିଲେ । ସେମାନଙ୍କ ଠାରୁ ବାଇକ ଓ ଚାରିଚକିଆ ପାର୍କିଂ ଫି ବାବଦରେ ୪ ହଜାର ୬୦୦ ଟଙ୍କା ଆଦାୟ ହୋଇଛି । ମାସ ମାସ ଧରି ବନ୍ଦ ରହିବା ଯୋଗୁ ପରିତ୍ୟକ୍ତ ହୋଇପଡ଼ିଥିବା ଶାନ୍ତିସ୍ତୁପ ପରିସର ସଫା କରାଯାଇ ନାହିଁ । ସମଗ୍ର ଶାନ୍ତିସ୍ତୂପ ଅଞ୍ଚଳ ପୂରା ଅସଜଡ଼ା ହୋଇପଡ଼ିଛି । ଅଶୋକଙ୍କ ଶିଳାନୁସାନ ସ୍ଥାନ, ହାତୀପାର୍କ, କ୍ରାଫ୍ଟ ବଜାର ଓ ବହିରଙ୍ଗେଶ୍ବର ମନ୍ଦିର ସଂଲଗ୍ନ ଦୟାଘାଟ ଅଞ୍ଚଳରେ କୁଢ଼ କୁଢ଼ ଡାଳପତ୍ର, ଅଳିଆ ଓ ବର୍ଜ୍ୟ ସାମଗ୍ରୀ ଗଦା ହୋଇ ରହିଛି ।

ଶାନ୍ତିପାର୍କ ଓ ଅଶୋକସ୍ତମ୍ବ ପାର୍ଶ୍ବ ପାର୍କର ସୌନ୍ଦର୍ଯ୍ୟ ଅନାବନା ଗଛଲତା ଆଢ଼ୁଆଳରେ  ଲୁଚି ଗଲାଣି ।  ଶାନ୍ତିସ୍ତୁପ ଉପର ଚଟାଣ ଏବଂ ପାଦୀୟ ଜଳ ପ୍ରକଳ୍ପ ଷ୍ଟାଣ୍ଡପୋଷ୍ଟ ସଫା କରାଯାଉ ନାହିଁ । ସେହିପରି ପାଣିଟାଙ୍କି ସଫା କରାଯାଉ ନଥିବାରୁ ସେଥିରୁ ମଇଳା ପାଣି ଆସୁଥିବା ଅଭିଯୋଗ ହେଉଛି । ଶାନ୍ତିସ୍ତୁପ ଖୋଲିଥିଲେ ହେଁ ଭୁବନେଶ୍ବର ବ୍ଲକ ଅଧୀନରେ ଥିବା ଧବଳେଶ୍ବର ମନ୍ଦିର ଖୋଲି ନାହିଁ । ତେଣୁ ମନ୍ଦିର ପୁଜକ ଓ ସେବାୟତମାନେ ଆର୍ଥିକ ଅନଟନ ଭିତରେ ଦିନ କାଟୁଛନ୍ତି ।

ସେହିପରି ସଂଧ୍ୟାରେ ଲାଇଟ ଆଣ୍ଡ ସାଉଣ୍ଡ ସୋ ପ୍ରଦର୍ଶନ ଆରମ୍ଭ ହୋଇ ନାହିଁ । ଆଉ ଗୋଟିଏ ବଡ଼ କଥା ହେଉଛି, ଶାନ୍ତିସ୍ତୁପ ବଜାରରେ ଏଯାଏ କୌଣସି ଦୋକାନ ଖୋଲିନି । କରୋନା ଲକଡାଉନ ଓ ସର୍ଟଡାଉନ ବେଳେ ଦୋକାନ ବନ୍ଦ ରହିବା ଯୋଗୁ ବ୍ୟବସାୟୀମାନେ ଘରକୁ ନେଇଯାଇଥିବା ସାମଗ୍ରୀ ନଷ୍ଟ ହୋଇଯାଇଥିବାରୁ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ହେଲେ ପ୍ରଶାସନ କ୍ଷତିଗ୍ରସ୍ତ ବ୍ୟବସାୟୀମାନଙ୍କୁ ଏଯାଏ  ଆର୍ଥିକ ସହାୟତା ପ୍ରଦାନ କରି ନାହିଁ ।  ଦୋକାନ ସଫା କରି ଖୋଲିବା ପାଇଁ ବ୍ୟବସାୟୀମାନେ ଟଙ୍କା ଯୋଗାଡ଼ରେ ଲାଗିପଡ଼ିଛନ୍ତି । ଶାନ୍ତିସ୍ତୁପର ସୌନ୍ଦର୍ଯ୍ୟକରଣ ଦିଗରେ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି ।

 

 

 

ସମ୍ବନ୍ଧିତ ଖବର