ଟିକା ନେବେନି ୧୫ହଜାର ସ୍ବାସ୍ଥ୍ୟକର୍ମୀ, ଆଜିଠାରୁ କଳାବ୍ୟାଜ୍ ପିନ୍ଧିବେ, ୧ରୁ କାର୍ଯ୍ୟବନ୍ଦ

ଭୁବନେଶ୍ବର : କରୋନା ଟିକା ବର୍ଜନ କରିବେ ୧୫ହଜାର ସ୍ବାସ୍ଥ୍ୟକର୍ମୀ। ଓଡ଼ିଶା ବହୁମୁଖୀ ମହିଳା/ପୁରୁଷ ସ୍ବାସ୍ଥ୍ୟକର୍ମୀ ସଂଘ, ରାଜ୍ୟ ପୁରୁଷ/ମହିଳା ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକ ସଂଘକୁ ମିଶାଇ ୪ଟି ସଂଘ ପ୍ରତି ସ୍ବାସ୍ଥ୍ୟ ବିଭାଗ ଚରମ ଅବହେଳା ପ୍ରଦର୍ଶନ କରି ଆସୁଛି। ଏହାର ପ୍ରତିବାଦରେ ଆସନ୍ତାକାଲିଠାରୁ କଳାବ୍ୟାଜ୍ ପିନ୍ଧିବା ସହିତ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆସନ୍ତା ୧ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସ୍ବାସ୍ଥ୍ୟକର୍ମୀ ଚେତାବନୀ ଦେଇଛନ୍ତି।

ଗୁରୁବାର ଆଇଏମ୍‌ଏ ଭବନରେ ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ/ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାସଂଘ ପକ୍ଷରୁ କୁହାଯାଇଥିଲା ଯେ ରାଜ୍ୟ ସରକାର କ୍ଲିନିକାଲ ଷ୍ଟାଫ୍‌ ଯଥା ଡାକ୍ତର, ଷ୍ଟାଫନର୍ସଙ୍କୁ ଗୁରୁତ୍ବ ଦେବା ସହିତ ସେମାନଙ୍କ ପଦବି ପରିବର୍ତନ ସହ କ୍ୟାଡର ପୁନର୍ଗଠନ କରିଛନ୍ତି। ଚାକିରି କାଳ ଭିତରେ ସେମାନଙ୍କୁ ୫-୭ଟି ପଦୋନ୍ନତି ମିଳୁଛି। ମାତ୍ର ଅନ୍ୟମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ଯାହାକି ରାଜ୍ୟର ୧୫ହଜାର ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ନୈରାଶ୍ୟଭାବ ସୃଷ୍ଟି କରିଛି। ଏ ନେଇ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଗତବର୍ଷ ନଭେମ୍ବର ଓ ଡିସେମ୍ବର ମାସରେ ଦୁଇଥର ଆଲୋଚନା ହୋଇଥିଲେ ହେଁ କୌଣସି ସୁଫଳ ମିଳି ନ ଥିଲା। ତେଣୁ ଏହାର ପ୍ରତିବାଦରେ ରାଜ୍ୟର ୧୫ହଜାର ସ୍ବାସ୍ଥ୍ୟକର୍ମୀ କରୋନା ଟିକା ନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମାତ୍ର ଟିକାକରଣ କାର୍ଯ୍ୟରେ ସମସ୍ତ ସହଯୋଗ କରାଯିବ। ଆସନ୍ତାକାଲିଠାରୁ କଳାବ୍ୟାଜ୍ ପିନ୍ଧିବା ସହିତ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନ ନେଲେ ‌ଆସନ୍ତା ୧ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ରବୀନ୍ଦ୍ରନାଥ ପ୍ରଧାନ, ମମତା ନାୟକ, ବିଜୟ କୁମାର ପାତ୍ର ଓ ଅଞ୍ଜଳି ଉପାଧ୍ୟାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର