ସୁନ୍ଦରଗଡ଼: ଗ୍ରାମାଞ୍ଚଳ ଶ୍ରମିକମାନଙ୍କୁ ନିଶ୍ଚିତ ଶ୍ରମ ଅଧିକାର ଦେବାକୁ ଦେଶର କାର୍ଯ୍ୟକାରୀ ହେଉଛି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ। ବିଶ୍ବର ସବୁଠାରୁ ବୃହତ ଶ୍ରମିଭିତ୍ତିକ ଏହି କର୍ମନିଯୁକ୍ତି ଯୋଜନାରେ ସମସ୍ତ ପଞ୍ଜିକୃତ ଶ୍ରମିକ ପରିବାରକୁ ଘର ଠାରୁ ୫ କିଲୋମିଟର ଭିତରେ ଅତି କମରେ ଶହେ ଦିନର କାମ ଯୋଗାଇଦେବା ଓ ପ୍ରତି ୭ ଦିନରେ ମଜୁରି ପ୍ରଦାନ ବ୍ୟବସ୍ଥା ରହିଛି। କିନ୍ତୁ ଅନୁଦାନ ଯୋଗାଇବାରେ ଅବହେଳା ଓ ଯୋଜନାର ରୂପାୟନରେ କାର୍ଯ୍ୟ ନିର୍ବାହୀ ସରକାରୀ ସଂସ୍ଥାର ଉଦାସୀନତା ଏହି ଯୋଜନାକୁ ବାଟବଣା କରିଛି।

Advertisment

ସର୍ବଦା ଦାଦନ ଶ୍ରମିକ ଚାଲାଣକୁ ନେଇ ଚର୍ଚ୍ଚାରେ ଥିବା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ମନରେଗା ଚିତ୍ର ଆହୁରି ଶୋଚନୀୟ। ଶ୍ରମିକଙ୍କୁ ଠିକ୍ ସମୟରେ ଆବଶ୍ୟକ ମୁତାବକ କାମ ଓ ମଜୁରି ନମିଳିବା ଏକ ସାଧାରଣ କଥା ହୋଇଯାଇଛି। ଯାହା ଫଳରେ ଗରିବ ଶ୍ରମିକ ଯୋଜନାରୁ ମୁହଁ ଫେରାଇ ନେଉଥିବା ଦେଖାଯାଇଛି। ପ୍ରତି ପରିବାରକୁ ଅତି କମରେ ଶହେ ଦିନର କାମ ଯୋଗାଇବା ତ ଦୁରୂହ ବ୍ୟାପାର। ଜିଲ୍ଲାର ୧୭ଟି ବ୍ଲକରେ ୩ ଲକ୍ଷ ୨୫ ହଜାର ୮୦୨ ପରିବାରର ୬ ଲକ୍ଷ ୫୭ ହଜାର ୧୪୬ ଶ୍ରମିକ ମନରେଗାରେ ପଞ୍ଜିକୃତ ହୋଇଛନ୍ତି। କିନ୍ତୁ ଯୋଜନାର କାର୍ଯ୍ୟକାରିତାରେ ଅବହେଳା ଓ ଅମନୋଯୋଗିତା କାରଣରୁ ଚଳିତ ବର୍ଷ ୨ ଲକ୍ଷ ୯ ହଜାର ୩୮୭ ପରିବାରର ୩ ଲକ୍ଷ ୧୨ ହଜାର ୧୭୨ ଜଣ ଶ୍ରମିକ କାମ ପାଇଁ ଆବେଦନ କରିଥିଲେ।

ଆବେଦନରେ ୧୫ ଦିନ ମଧ୍ୟରେ କାମ ଯୋଗାଇବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଏଠାରେ ନିଧାର୍ଯ୍ୟ ସମୟର ବହୁ ପରେ କାମ ମିଳିଥିଲା। ଆଉ ମଜୁରୀ ପାଇବାକୁ ଶ୍ରମିକଙ୍କୁ ମାସ ମାସ, ଅପେକ୍ଷା କରିବାକୁ ପଡ଼ିଥିଲା। ତେବେ ସବୁଠାରୁ ଉଦବେଗଜନକ କଥା ହେଲା, ଆବେଦନ କରିଥିବା ୨ ଲକ୍ଷ ୯ ହଜାର ୩୮୭ ଶ୍ରମିକ ପରିବାର ମଧ୍ୟରୁ ମାତ୍ର ୧୫ ହଜାର ୧୦୩ ପରିବାରକୁ ସରକାର ଶହେ ଦିନର କାମ ଯୋଗାଇବାରେ ସକ୍ଷମ ହୋଇଛି। ତଥ୍ୟାନୁସାରେ, ସୁନ୍ଦରଗଡ଼ ଉପଖଣ୍ଡର ସୁନ୍ଦରଗଡ଼ ବ୍ଲକରେ ମାତ୍ର ୧୪୧୧ ପରିବାର, ଟାଙ୍ଗରପାଲି ବ୍ଲକରେ ୮୦୪ ପରିବାର, ଲେଫ୍ରିପଡ଼ା ବ୍ଲକରେ ୯୮୬ ପରିବାର, ହେମଗିର ବ୍ଲକରେ ୧୫୪୬ ପରିବାର, ବାଲିଶଙ୍କରା ବ୍ଲକର ୯୧୫ ପରିବାର, ସବଡେଗା ବ୍ଲକର ୫୭୭ ପରିବାର, ବଡ଼ଗାଁ ବ୍ଲକର ୬୩୮ ପରିବାର, କୁତ୍ରା ବ୍ଲକର ୧୧୯୮ ପରିବାର, ରାଜଗାଙ୍ଗପୁର ବ୍ଲକର ୧୨୦୩ ପରିବାରକୁ ଶହେ ଦିନର କାମ ଯୋଗାଇ ଦିଆଯାଇଛି। ସେହିପରି ପାନପୋଷ ଉପଖଣ୍ଡର ବିଶ୍ରା ବ୍ଲକର ୧୦୭୮ ପରିବାର, ନୂଆଗାଁ ବ୍ଲକର ୭୦୧ ପରିବାର, କୁଆଁରମୁଣ୍ଡା ବ୍ଲକର ୯୮୨ ପରିବାର, ଲାଠିକଟା ବ୍ଲକର ୪୫୩ ପରିବାର ଏବଂ ବଣାଇଁ ଉପଖଣ୍ଡର ବଣାଇଁ ବ୍ଲକ୍ ୬୧୯ ପରିବାର, କୋଇଡ଼ା ବ୍ଲକର ୪୦୬ ପରିବାର, ଲହୁଣୀପଡ଼ା ବ୍ଲକର ୭୨୯ ପରିବାର, ଗୁରୁଣ୍ଡିଆ ବ୍ଲକର ୮୫୭ ପରିବାରକୁ ଶହେ ଦିନର କାମ ମିଳିଛି। ଅନ୍ୟପଟେ ଉପକରଣ ବାବଦକୁ ଯୋଜନାର ୪୦ ପ୍ରତିଶତ ଅନୁଦାନ ମାସ ମାସ ଧରି ଆସୁ ନଥିବାରୁ ୬୦ ପ୍ରତିଶତ ଶ୍ରମଭିତ୍ତିକ କାମ ଅଟକି ରହିଛି। ଏସ୍ଥିତିରେ ଜିଲ୍ଲାରେ ଅନେକ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ବେଳେ ନୂଆ ପ୍ରକଳ୍ପ ପାଇଁ ସରକାର ଅନୁଦାନ ଯୋଗାଇ ଦେଉ ନଥିବା ଅଭିଯୋଗ ରହିଛି। ଯାହା ଫଳରେ ଗ୍ରାମାଞ୍ଚଳର ଶ୍ରମିକ ପରିବାର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯିବାକୁ ବାଧ୍ୟ ହେଉଛନ୍ତି।