ରାଜ୍ୟରେ ୧୫୦୦୦ରୁ ଊର୍ଦ୍ଧ୍ୱ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା ବନ୍ଦ: ମନ୍ତ୍ରୀ

ଭୁବନେଶ୍ୱର: ସର୍ବଶେଷ ଭାରତୀୟ ଶିଳ୍ପ ଗଣନା ଅନୁସାରେ ରାଜ୍ୟରେ ୧୫ ହଜାର ୩୧୫ ଗୋଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ବନ୍ଦ ଅଛି ବୋଲି ଉଦ୍ୟୋଗ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆଜି ବିଧାନସଭାକୁ ଜଣାଇଛନ୍ତି।

ଆଜି ଖଣ୍ଡାପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ ଯେ,୨୦୦୬-୦୭ ଚତୁର୍ଥ ସର୍ବଭାରତୀୟ ଶିଳ୍ପ ଗଣନା ଅନୁସାରେ ରାଜ୍ୟରେ ପଞ୍ଜିକୃତ ହୋଇଥିବା ଶିଳ୍ପ ସଂସ୍ଥା ମଧ୍ୟରୁ ୧୫ ହଜାର ୩୧୫ ଗୋଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ବନ୍ଦ ଅଛି। ଏହାପରେ ଆଉ ଶିଳ୍ପ ଗଣନା ହୋଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

୨୦୧୯-୨୦ ଜୁନ୍‌ ମାସ ଶେଷ ସୁଦ୍ଧା ୩ ଲକ୍ଷ ୯୬ ହଜାର ୫୧୦ ଗୋଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ୧୧୪୦୭ କୋଟି ୫ ଲକ୍ଷ ଟଙ୍କା ପୁଞ୍ଜି ବିନିଯୋଗରେ ୧୨ ଲକ୍ଷ ୭୯ ହଜାର ୯୧୮ ଜଣ ନିଯୁକ୍ତି ପାଇଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ।

ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କ ପକ୍ଷରୁ ଶିଳ୍ପନୀତି-୨୦୧୫,ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ନୀତି-୨୦୧୬,ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୬ ଏବଂ ଓଡ଼ିଶା ଷ୍ଟାର୍ଟର୍ ଅପ୍‌ ନୀତି ୨୦୧୬ ପ୍ରଣୟନ କରାଯାଇଛି।
ତେବେ ବନ୍ଦ ହୋଇଥିବା ଶିଳ୍ପ ସଂସ୍ଥାର ପୁନରୁଦ୍ଧାର ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧିତ ଖବର