ଝାରସୁଗୁଡ଼ା: ମିଛ ବନୀକରଣକୁ ନେଇ ଚର୍ଚ୍ଚାରେ ରହିଥିବା ଝାରସୁଗୁଡ଼ା ବନ ବିଭାଗ ଗଛ ବଞ୍ଚାଇବାକୁ କେତେ ତତ୍ପର ତାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡ଼ା ରେଞ୍ଜ ଅନ୍ତର୍ଗତ ମାଳୀମୁଣ୍ଡାସ୍ଥିତ ଇକୋ ପାର୍କରେ। ସପ୍ତାହକ ମଧ୍ୟରେ ଏହି ପାର୍କ ସମ୍ମୁଖରେ ବନ ବିଭାଗ ପକ୍ଷରୁ ଲଗାଯାଇଥିବା ୧୫ ହଜାର ଗଛ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଏତେ ପରିମାଣର ଗଛ କିଏ ପୋଡ଼ିଲା, କାହିଁକି ପୋଡ଼ିଲା; ସେ ନେଇ ବିଭାଗ ପକ୍ଷରୁ ଜାଣିବାକୁ କୌଣସି ତତ୍ପରତା ପ୍ରକାଶ ପାଉନଥିବା ବେଳେ ଏହି ଗଛ ପୋଡ଼ିରେ ଖୋଦ୍ ବନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଉଠିଛି। ଏ ସଂପର୍କରେ ଝାରସୁଗୁଡ଼ା ଟାଉନ୍ ରେଞ୍ଜର ବିଜୟ ପ୍ରଧାନଙ୍କୁ ପଚରାଯିବାରୁ କିଏ ଗଛ ପୋଡ଼ିଛି ତାହା ଜଣାପଡ଼ିନଥିବା ବେଳେ ବନୀକରଣ ଦାୟିତ୍ବରେ ଥିବା ଫରେଷ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା କହିଛନ୍ତି।
ମାଳୀମୁଣ୍ଡାସ୍ଥିତ ଇକୋ ପାର୍କ ସମ୍ମୁଖରେ ୨୦୧୭ ମସିହା ମେ ପହିଲାରୁ ୨୦୨୧ ମସିହା ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପ୍ରାୟ ୨୨ ହଜାର ଗଛ ଲଗାଯାଇଥିଲା। ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ୍ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାଣ୍ଠିରେ ବନ ବିଭାଗ ଏହି ବନୀକରଣ କରିଥିବା ବେଳେ ଏଥିରେ ବଉଳ, ଡାଳିମ୍ବ, ଆମ୍ବ, କରଞ୍ଜ, ପିଜୁଳି, ଅର୍ଜୁନ ଭଳି ଗଛଗୁଡ଼ିକ ରହିଥିଲା। ବିଶେଷ କରି ଖରାଦିନେ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଥିବାରୁ ଖରା ପୂର୍ବରୁ ଜଙ୍ଗଲ ଚାରିପାଖରେ ଫାୟାର ଲାଇନ୍ ତିଆରି କରାଯାଇଥାଏ। ରାସ୍ତାରୁ ଜଙ୍ଗଲ ମଧ୍ୟରେ ଥିବା ଅଂଶରୁ ଘାସ, ବୁଦାଗୁଡ଼ିକୁ କାଟି ପଦା କରିଦିଆଯିବା ପରେ ସେଠାରେ ପଥର ଦେଇ ଏକ ସୀମାରେଖା ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ଏହି ବନୀକରଣ ପୁରୁଣା ହୋଇଯାଇଥିବାରୁ ଏହାର ପରିଚାଳନା ଲାଗି ଆଉ ବନ ବିଭାଗକୁ ପାଣ୍ଠି ମିଳିପାରୁ ନଥିବାରୁ ଏବର୍ଷ ଫାୟାରଲାଇନ୍ ତିଆରି କରାଯାଇ ନଥିଲା। ଗତ ୨୧ ତାରିଖରେ ବନ ବିଭାଗର ପରିଚାଳନାଧୀନ ଇକୋ ପାର୍କକୁ ଲାଗି ରହିଥିବା ଏହି ଜଙ୍ଗଲରେ କେହି ନିଆଁ ଲଗାଇ ଦେଇଥିଲେ। ସୂଚନା ପାଇ ପାର୍କ ଦାୟିତ୍ବରେ ଥିବା ଏକମାତ୍ର ୱାଚର୍ କୁଶ ନାଏକ ସେଠାରେ ପହଞ୍ଚି ପାଣି ପକାଇଥିଲେ। ମାତ୍ର ସ୍ଥିତି ନିୟନ୍ତ୍ରଣାଧୀନ ହୋଇନଥିଲା। ଏ ସଂକ୍ରାନ୍ତରେ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ମଧ୍ୟ ଦେଇଥିଲେ। କିନ୍ତୁ କେହି ତତ୍ପରତା ଦେଖାଇ ନଥିଲେ। ବରଂ ଯଥେଷ୍ଟ ବିଳମ୍ବରେ ସୂଚନା ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଲା ବେଳକୁ ପ୍ରାୟତଃ ଗଛ ପୋଡ଼ି ଯାଇଥିଲା। ଇକୋ ପାର୍କର ଦେଖାଜଗା ପାଇଁ ଜଣେ ଫରେଷ୍ଟରଙ୍କ ତତ୍ତ୍ବାବଧାନରେ ୪ ଜଣ ୱାଚର୍ଙ୍କୁ ପୂର୍ବରୁ ନିଯୁକ୍ତ କରାଯାଇଥିବା ବେଳେ ଏବେ କେବଳ ଜଣେ ୱାଚର୍ ଏଠାରେ ରହୁଛନ୍ତି। ଦାୟିତ୍ବରେ ଥିବା ଫରେଷ୍ଟର ମଧ୍ୟ କେବେ ଆସିଲେ କେବେ ଆସନ୍ତି ନାହିଁ। ଝାରସୁଗୁଡ଼ା ଜିଲ୍ଲାରେ ଯେଉଁ ବନୀକରଣ ପାଇଁ ପାଣ୍ଠି ଆସିବା ବନ୍ଦ ହୋଇଯାଉଛି ତାହାର ସୁରକ୍ଷା ଦିଗକୁ ଜାଣିଶୁଣି ଅବହେଳା କରାଯାଉଥିବା ଅଭିଯୋଗ ହେଉଛି।