ରାୟଗଡ଼ା: ରାୟଗଡା ଜିଲ୍ଲାରେ ଖରିଫ ଋତୁ ପାଇଁ ବର୍ତ୍ତମାନ ନାମ ପଞ୍ଜୀକରଣ ଚାଲିଛି।ତେବେ ଗତକାଲି ଅର୍ଥାତ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଚାଷୀ ନିଜ ନାମ ପଞ୍ଜୀକରଣ କରିବାର ଶେଷ ତାରିଖ ରହିଥିଲା।ତେବେ ବହୁ ଚାଷୀ ଏନେଇ ଅବଗତ ହୋଇନଥିବା ଏବଂ ଚାଷୀ ନାମ ପଞ୍ଜୀକରଣ କରିବାରେ ସମସ୍ୟା ଦେଖାଦେଉଥିବାରୁ ରାଜ୍ୟ ସରକାର ଏବାକୁ ଆହୁରି ୬ ଦିନ ବଢାଇଛନ୍ତି। ଆସନ୍ତା ୨୨ ତାରିଖ ନାମ ପଞ୍ଜୀକରଣ କରିବାର ଶେଷ ଦିନ ଧାର୍ଯ୍ୟ କରାଯାଇଛି।ଏହା ପରେ ବିଭାଗ ତରଫରୁ ସମସ୍ତ ନାମକୁ ଡିଜିଟାଇଜେସନ କରାଯିବ ବୋଲି କୁହାଯାଇଛି। ଜିଲ୍ଲାର ୧୪ଟି ଲ୍ୟାମ୍ପସରେ ୧୭ ତାରିଖ ସୁଦ୍ଧା ୧୫୦୮୮ ଜଣ ଚାଷୀ ନିଜ ନାମ ପଞ୍ଜିକରଣ କରିଥିବା ଜଣାପଡିଛି। ଜିଲ୍ଲାର ଆମ୍ବାଦୋଳା ଲ୍ୟାମ୍ପସରେ ୧୩୬ ଜଣ ନୂତନ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ବିଷମକଟକ ଲ୍ୟାମ୍ପସରେ ୧୬୨୬ ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି।
ସେହିପରି ଚନ୍ଦ୍ରପୁର ଲ୍ୟାମ୍ପସରେ ୨୫୦ ଜଣ ଚାଷୀ, ଗୁଡାରୀ ଲ୍ୟାମ୍ପସରେ ୯୮୨ ଜଣ, ଗୁଣୁପୁର ଲ୍ୟାମ୍ପସରେ ୨୦୪୨ ଜଣ, କଲ୍ୟାଣସିଂହପୁର ଲ୍ୟାମ୍ପସରେ ୧୫୧୪ ଜଣ, କାଶୀପୁର ଲ୍ୟାମ୍ପସରେ ୨୬୦ ଜଣ, କୋଲନୋରା ଲ୍ୟାମ୍ପସରେ ୪୯୦ ଜଣ, ମୁନିଗୁଡା ଲ୍ୟାମ୍ପସରେ ୮୪୨ ଜଣ,ପଦ୍ମପୁର ଲ୍ୟାମ୍ପସରେ ୩୫୬୭ ଜଣ, ରାମନାଗୁଡା ଲ୍ୟାମ୍ପସରେ ୨୨୨୨ ଜଣ, ରାୟଗଡା ଲ୍ୟାମ୍ପସରେ ୬୨୭ ଜଣ ଏବଂ ରାୟଗଡା ଏମପିସିଏସରେ ୧୯୫ ଜଣ ଚାଷୀ ନିଜ ନାମକୁ ପଞ୍ଜିକରଣ କରିଛନ୍ତି।
ତେବେ ଚାଷୀଙ୍କ ନାମ ପଞ୍ଜୀକରଣ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଚିଠି ମାଧ୍ୟମରେ ଆରସିଏସକୁ ଜମାଇଛନ୍ତି। ଜିଲ୍ଲାରେ ପଦ୍ମପୁର ବ୍ଲକରେ ସର୍ବାଧିକ ଚାଷୀ ନାମ ପଞ୍ଜୀକରଣ କରୁଥିବା ବେଳେ ଆମ୍ବାଦୋଳା ଲ୍ୟାମ୍ପସରେ ସବୁଠାରୁ କମ୍ ଚାଷୀ ନାମ ପଞ୍ଜୀକରଣ କରୁଛନ୍ତି। ଚଳିତ ବର୍ଷ ବର୍ଷାର ଦେଖା ନଥିବାରୁ ଜିଲ୍ଲାର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଲଘୁଚାପ ଜନିତ ବର୍ଷା ହେଉଥିଲେ ମଧ୍ୟ କାଁ ଭାଁ ଜିଲ୍ଲାର କୌଣସି ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଅଗଷ୍ଟରେ ଯେତିକି ବର୍ଷା ହେବା କଥା ତାହା ହୋଇଥିବା ବିଭାଗ କହୁଥିଲେ ମଧ୍ୟ ଚାଷ ପାଇଁ କିନ୍ତୁ ଆହୁରି ବର୍ଷା ଦରକାର ବୋଲି ଚାଷୀ ମହଲରେ ମତ ପ୍ରକାଶ ପାଇଛି।ବର୍ତ୍ତମାନ ଲଘୁଚାପ ଘନିଭୂତ ହୋଇଥିଲେ ମଧ୍ୟ ରାୟଗଡା ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳି ନାହିଁ।