୧୫୦ତମ ଜୟନ୍ତୀ: ଭଞ୍ଜ ଭୂମିପତି ଶ୍ରୀରାମଚନ୍ଦ୍ର

ବାଲ୍ୟଜୀବନ ଓ ଶିକ୍ଷା ଗ୍ରହଣ

ସାଧାରଣତଃ ଗଡ଼ଜାତ ଅଞ୍ଚଳର ରାଜାମାନେ ପ୍ରଜାନୁରାଗୀ ନ ଥିଲେ ବୋଲି କୁହାଯାଏ। କିନ୍ତୁ ଏହାର ବିରଳ ବ୍ୟତିକ୍ରମ ଥିଲେ ମୟୂରଭଞ୍ଜର ସୁଯୋଗ୍ୟ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ। ଭାଷାଭିତ୍ତିକ ରାଜ୍ୟ ଗଠନ, ଉତ୍କଳ ସମ୍ମିଳନୀ, କୃଷକଙ୍କ ଅଧିକାର ତଥା ସ୍ବାସ୍ଥ୍ୟ, ଶିକ୍ଷା, ଶିଳ୍ପ, କଳା ଓ ସଂସ୍କୃତିିର ବିକାଶ ଦିଗରେ ତାଙ୍କର ଅବଦାନ ଉଲ୍ଲେଖନୀୟ। ଆଜି ହେଉଛି ତାଙ୍କର ୧୫୦ତମ ପବିତ୍ର ଜନ୍ମତିଥି। ଏହି ଅବସରରେ ‘ସମ୍ବାଦ’ର ସ୍ବତନ୍ତ୍ର ପ୍ରତିବେଦନ…

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଥିଲେ ଯୋଗଜନ୍ମା ପୁରୁଷ। ଅସାଧାରଣ ପ୍ରତିଭା ଓ ସାଧୁ ଉଦ୍ୟମ ବଳରେ ସେ ସମଗ୍ର ଓଡ଼ିଶାର ରାଜନୀତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଭଗୀରଥ ପାଲଟି ଯାଇଥିଲେ। ସେତେବେଳେ ତାଙ୍କୁ ଲକ୍ଷ୍ୟ କରି ପ୍ରଖ୍ୟାତ କବି ଚିନ୍ତାମଣି ମହାନ୍ତି ଲେଖିଥିଲେ
–‘ଉତ୍କଳ ତାହାକୁ କରିଛି ଭରସା, ଫେରାଇବ ସେ ତାହାର ଦୁର୍ଦ୍ଦଶା।’

ବାଲ୍ୟଜୀବନ ଓ ଶିକ୍ଷା ଗ୍ରହଣ
ପାଞ୍ଚ ବର୍ଷ ବୟସରେ ଅବଧାନଙ୍କ ପାଖରେ ତାଙ୍କର ବାଲ୍ୟଶିକ୍ଷା ଆରମ୍ଭ ହୋଇଥିଲା। ଦୁଇ ବର୍ଷରେ ଚାହାଳି ପାଠ ଶେଷ କଲେ। ଘରେ ଆଉ ଜଣେ ଶିକ୍ଷକ ତାଙ୍କୁ ଓଡ଼ିଆ ଓ ଇଂରାଜୀ ପଢ଼ାଉଥିଲେ। ସେ ଏହାପରେ ବାରିପଦା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ। ମାତ୍ର ୩୪ ବର୍ଷ ବୟସରେ ୧୮୮୭ ମେ ମାସ ୨୯ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କର ଦେହାନ୍ତ ହେଲା। ପରେ ତାଙ୍କର ମହାରାଣୀ ମଧ୍ୟ ମୃତ୍ୟୁବରଣ କଲେ। ଏହି ସମୟରେ ରାମଚନ୍ଦ୍ର ଭଞ୍ଜ ନାବାଳକ ଥିଲେ। ତେଣୁ ମୟୂରଭଞ୍ଜ ରାଜ୍ୟ ସରକାରଙ୍କ ହାତକୁ ଯାଇଥିଲା। କଟକରେ ରାମଚନ୍ଦ୍ର ଭଞ୍ଜ ମୟୂରଭଞ୍ଜ ଭବନରେ ରହି ଅଧ୍ୟୟନ କଲେ। ପଣ୍ଡିତ ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କୁ ସରକାର ଶିକ୍ଷକ ଭାବେ ନିଯୁକ୍ତ କରିଥିଲେ। ସେ ରେଭେନ୍ସାରେ ଦୁଇ ବର୍ଷ ଏଫ୍.ଏ. ପଢ଼ିଲେ। ବି.ଏ. ପରୀକ୍ଷାଦେବା ତାଙ୍କର ପ୍ରବଳ ଇଚ୍ଛା ଥିଲା; ମାତ୍ର ସେହି ସମୟରେ ସେ ସାବାଳକ ହେବାରୁ ରାଜ୍ୟ ଶାସନର ଦାୟିତ୍ବ ତାଙ୍କୁ ଦିଆଗଲା। ୧୮୯୨ ଅଗଷ୍ଟ ମାସ ୧୫ ତାରିଖରେ ରାମଚନ୍ଦ୍ର ଭଞ୍ଜଦେଓ ରାଜଗାଦିରେ ବସିଥିଲେ।

ସ୍ମୃତିରକ୍ଷାରେ କାର୍ପଣ୍ୟ
ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ପିତା ରାଜା କୃଷ୍ଣଚନ୍ଦ୍ର ଭଞ୍ଜ କଟକ କଲେଜ (ପରେ ରେଭେନ୍ସା କଲେଜ) ପାଇଁ ପ୍ରଥମରୁ ୫୦୦ ଟଙ୍କା ଦାନ କରିଥିଲେ। ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ଦାନରୁ ରେଭେନ୍ସା କଲେଜର ବିଜ୍ଞାନ ବିଭାଗ ପରିପୁଷ୍ଟ ହୋଇଥିଲା। ଏହି କଲେଜ ମୟୂରଭଞ୍ଜ ରାଜବଂଶର ଏକ ଅମ୍ଳାନ ଓ ଅମର କୀର୍ତ୍ତି। ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ଦାନ ଫଳରେ କଟକରେ ମେଡ଼ିକାଲ୍‌ ସ୍କୁଲ ପ୍ରତିଷ୍ଠା ହୋଇଥିଲା। ସେଥିପାଇଁ ମେଡ଼ିକାଲ କଲେଜର ନାମ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡ଼ିକାଲ କଲେଜ ରଖାଯାଇଥିଲା। କଟକରେ ‘ଉତ୍କଳ ସାହିତ୍ୟ ସମାଜ’ ର ସ୍ଥାୟୀ ସଭା ଗୃହ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ଦାନରେ ନିର୍ମିତ ହୋଇଥିଲା। ତାହା ଶ୍ରୀରାମଚନ୍ଦ୍ର ଭବନ ନାଁରେ ସୁପରିଚିତ। ତେବେ ଏଭଳି ଜଣେ ମହାପୁରୁଷଙ୍କ ୧୫୦ତମ ଜୟନ୍ତୀ ପାଳନକୁ ନେଇ ରାଜ୍ୟ ସରକାର ଗୁରୁତ୍ବ ଦେଇ ନ ଥିବାର ଚର୍ଚ୍ଚା ହେଉଛି। ସଭା, ସମିତି ଏବଂ ସାହିତ୍ୟ ପୁରସ୍କାର ଉତ୍ସବ ପାଳନ ହେଉଥିଲାବେଳେ ସରକାର ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ଭୁଲି ଯାଇଥିବାର ଅଭିଯୋଗ ମଧ୍ୟ ହେଉଛି।

ପୁଲିସ ନି‌େୟାଜନ ଓ ସୁଶାସନ
ମୟୂରଭଞ୍ଜରେ ୧୯୧୯ରେ ୧୩ଟି ଥାନା ଓ ୧୦ଟି ଫାଣ୍ଡି ଥିଲାବେଳେ ରାମଚନ୍ଦ୍ର ଭଞ୍ଜଦେଓଙ୍କ ସମୟରେ ୬୫ ଜଣ ଉଚ୍ଚ ପୁଲିସ କର୍ମଚାରୀ ଓ ୨୭୨ ଜଣ କନେଷ୍ଟବଳ ନିଯୁକ୍ତ ହୋଇଥିଲେ। ରାଜ୍ୟରେ ମହାରାଜା ଗ୍ରାମ ପଞ୍ଚାୟତ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ। ଗ୍ରାମର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ପଞ୍ଚାୟତ ଗଠନ କରାଗଲା। ସେମାନଙ୍କର ମୁଖ୍ୟ ହେଲେ ପ୍ରେସିଡେଣ୍ଟ୍। ଏହି ପଞ୍ଚାୟତଦ୍ୱାରା ଗ୍ରାମମାନଙ୍କରେ ଶାନ୍ତିଶୃଙ୍ଖଳା ରକ୍ଷା କରାଗଲା। ରାଜ୍ୟର କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ନିମନ୍ତେ ବେତନ ବୃଦ୍ଧି କରାଯାଇଥିଲା। ଅବସର ନେଲାବେଳେ ସେମାନଙ୍କ ପାଇଁ ଅବସରକାଳୀନ ଭତ୍ତା ଦେବାର ବ୍ୟବସ୍ଥା ମଧ୍ୟ ହୋଇଥିଲା। ଏହାଫଳରେ ଶିକ୍ଷିତ ଓ ସଚ୍ଚୋଟ ବ୍ୟକ୍ତିମାନେ ଚାକିରି ପାଇଁ ଆଗ୍ରହୀ ହେଲେ। ଏହାଦ୍ବାରା ରାଜ୍ୟ ଶାସନର ମାନ ମଧ୍ୟ ଉନ୍ନତ ହେଲା। ପରବର୍ତ୍ତୀ ସମୟରେ ସ୍ବାୟତ୍ତ ଶାସନ ଲାଗୁ ହେଲା। ୧୯୦୫ରେ ବାରିପଦା ମ୍ୟୁନିସିପାଲିଟି ଗଠିତ ହେଲା। ଏଥିରେ ୧୫ଜଣ କମିସନର ରହିଲେ।

ଯୋଗ୍ୟ ପିତା, ସୁଯୋଗ୍ୟ ସନ୍ତାନ
ଶ୍ରୀରାମଚନ୍ଦ୍ର ଭଞ୍ଜ ୧୭ ଡିସେମ୍ବର ୧୮୭୦ରେ ମୟୂରଭଞ୍ଜର ଭଞ୍ଜବଂଶରେ ଜନ୍ମଗ୍ରହଣ କରିଥିଲେ। ଭଞ୍ଜ ବଂଶ ଓଡ଼ିଶାର ଏକ ପ୍ରାଚୀନ ରାଜବଂଶ। ଶ୍ରୀରାମଚନ୍ଦ୍ରଙ୍କ ପିତା ହେଉଛନ୍ତି କୃଷ୍ଣଚନ୍ଦ୍ର ଭଞ୍ଜ। ସେ ଦକ୍ଷ ଓ ଉତ୍ତମ ଶାସକ ଥିଲେ। ରାଜା କୃଷ୍ଣଚନ୍ଦ୍ରଙ୍କ ସମୟରେ ଫୌଜଦାରୀ ଓ ଦେବାନୀ ଅଦାଲତ, ପୋଲିସ୍‌ ଥାନା, ଜମିଜମା ବନ୍ଦୋବସ୍ତ, ରାଜସ୍ବ ଆଦାୟ ବ୍ୟବସ୍ଥା, ପୂର୍ତ୍ତ ବିଭାଗର ସୃଷ୍ଟି, ରାସ୍ତାଘାଟ ନିର୍ମାଣ, ବିଦ୍ୟାଳୟ ସ୍ଥାପନ ଆଦି ବହୁବିଧ କାର୍ଯ୍ୟ ସାଧିତ ହୋଇଥିଲା। ରାଜ୍ୟରେ ମଧ୍ୟ ପ୍ରଥମଥର ପାଇଁ ଏକ ଦାତବ୍ୟ ଚିକିତ୍ସାଳୟ ଖୋଲାଯାଇଥିଲା। ସେ ଉଚ୍ଚଶିକ୍ଷାର ବିକାଶ ପାଇଁ କମିସନର ଟି. ଇ. ରେଭେନ୍ସାଙ୍କୁ ୨୭ ହଜାର ଟଙ୍କା ଦାନ କରିଥିଲେ। ଫଳରେ କଟକରେ ରେଭେନ୍ସା କଲେଜ ସ୍ଥାପିତ ହେଲା। ଇଂରେଜ ସରକାର ମଧ୍ୟ ତାଙ୍କ ଉପରେ ପ୍ରୀତ ହୋଇ ତାଙ୍କୁ ମହାରାଜା ଉପାଧି ଦେଇଥିଲେ। ରାଜା କୃଷ୍ଣଚନ୍ଦ୍ରଙ୍କ ସୁଯୋଗ୍ୟ ଦାୟାଦ ଥିଲେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ।

ଉତ୍ତମ ଶାସନ
ମହାରାଜା ରାମଚନ୍ଦ୍ର ଭଞ୍ଜ ରାଜ୍ୟଭାର ନେଲାପରେ ଉତ୍ତମ ଶାସନ ପଦ୍ଧତି ପାଇଁ ଗୁରୁତ୍ବ ଦେଇଥିଲେ। ୧୮୯୩ ମସିହାରେ ସେ ରାଜ୍ୟର ଦେୱାନ, ବିଚାରପତି, ଇଞ୍ଜିନିୟର, ପୁଲିସ ଅଧ୍ୟକ୍ଷ ଓ ଅନ୍ୟ ଦୁଇ ଜଣ ଅବୈତନିକ ସଭ୍ୟଙ୍କୁ ନେଇ ଏକ କାଉନସିଲ ଗଢ଼ିଥିଲେ। ଏହାକୁ ‘ମୟୁରଭଞ୍ଜ ଷ୍ଟେଟ୍ କାଉନସିଲ’ କୁହାଗଲା। କାଉନସିଲର ମତ ଅନୁଯାୟୀ ଶାସନ କାର୍ଯ୍ୟ ସମ୍ପାଦନ ହେଉଥିଲା। ଏହା ନୂଆ ଆଇନ ପ୍ରଣୟନ, ବାଷିକ ଆୟବ୍ୟୟର ହିସାବ ଓ ଶାସନ ସମ୍ପର୍କୀୟ ସମସ୍ତ ଦାୟିତ୍ବ ଗ୍ରହଣ କଲା। ପ୍ରଜାସ୍ୱତ୍ବ ଆଇନ, ସ‌େର୍ଭ, ବନ୍ଦୋବସ୍ତ ଆଇନ, ଷ୍ଟାମ୍ପ ଆଇନ, ରେଜିଷ୍ଟ୍ରେସନ ଆଇନ, ପୁଲିସ ଆଇନ ପ୍ରଭୃତି ଏହାର ଅନ୍ତର୍ଗତ। ମୟୂରଭଞ୍ଜରେ ସର୍ବପ୍ରଥମେ ଦେବାନୀ ଓ ଫୌଜଦାରୀ ବିଭାଗକୁ ଅଲଗା କରାଯାଇଥିଲା ଯେତେବେଳେ ତାହା ବ୍ରିଟିଶ ଶାସନରେ ମଧ୍ୟ ହୋଇ ନ ଥିଲା। ଏଭଳି କରିବା ଦ୍ବାରା ତାଙ୍କର କ୍ଷମତା ସଙ୍କୁଚିତ ହୋଇଯିବା ସ୍ବାଭାବିକ ଥିଲା। କିନ୍ତୁ ସେ ଚାହୁଥିଲେ ଯେ ଏକଚ୍ଛତ୍ରବାଦ ନ ରହୁ। ଏଭଳି ପଦକ୍ଷେପ ନେଇ ସେ ସମସ୍ତଙ୍କର ପ୍ରଶଂସାଭାଜନ ହୋଇପାରିଥିଲେ। ରାଜା ନିଜ ରାଜ୍ୟକୁ ସଦର, ବ୍ରାହ୍ମଣଘାଟି, ପାଞ୍ଚପୀଢ଼ ଓ କପ୍ତିପଦା ଚାରୋଟି ସବ୍‌ଡିଭିଜନରେ ବିଭକ୍ତ କଲେ। ମହାରାଜା ନିଜେ ଶାସନ ବିଭାଗର ମୁଖ୍ୟ ଥିଲେ। ପୂର୍ତ୍ତ, ଜଙ୍ଗଲ, ଶିକ୍ଷା, ସ୍ବାସ୍ଥ୍ୟ ଓ ପୋଲିସ୍‌ ବିଭାଗଗୁଡ଼ିକ ତାଙ୍କ ଅଧୀନ ଥିଲା। ମହାରାଜା ପ୍ରତ୍ନତତ୍ତ୍ବବିଦ୍ ନଗେନ୍ଦ୍ରନାଥ ବାସୁ ଏବଂ ରମାପ୍ରସାଦ ନନ୍ଦଙ୍କୁ ନିଯୁକ୍ତି ଦେଇଥିଲେ।

ଉତ୍କଳ ସମ୍ମିଳନୀରେ ଯୋଗଦାନ
ମହାରାଜା ଥିଲେ ଜଣେ ସଚ୍ଚୋଟ ଦେଶପ୍ରେମୀ। ଓଡ଼ିଆ ଜାତିର ମାନ ଉଚ୍ଚ କରିବାପାଇଁ ସେ ସଦା ଚେଷ୍ଟିତ ଥିଲେ। ସେ ସମୟର ଉତ୍କଳ ଜନନୀର ବିକଳାଙ୍ଗ ଅବସ୍ଥା ଦେଖି ସେ ବ୍ୟଥିତ ହୋଇ ପଡ଼ିଥିଲେ ଏବଂ ଏକତ୍ରୀକରଣ ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ। ୧୯୦୩ ଡିସେମ୍ବର ୩୦ ରେ କଟକର ଇଦ୍‌ଗା ପଡ଼ିଆରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସେ ସଭାପତିତ୍ୱ କରିଥିଲେ। ସଭାମଣ୍ଡପର ଆଗ ଧାଡ଼ିରେ ମଧୁସୂଦନ ଦାସ ଓ ଅନ୍ୟାନ୍ୟ ଉଦ୍ୟୋକ୍ତାଗଣ ବସିଥିବା ଦେଖି ଷ୍ଟୁଲରେ ନ ବସି ତଳେ ବସିପଡ଼ି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଉତ୍କଳ ସମ୍ମିଳନୀର ଜନ୍ମକୁ ସ୍ବାଗତ କରି ସେଦିନ ସେ କହିଥିଲେ – “ଉତ୍କଳ ଦେଶର ଇତିହାସରେ ଏପରି ଏକ ସଭା ଅଭିନବ ବ୍ୟାପାର। ସଭାରେ ଆପଣମାନଙ୍କୁ ସାକ୍ଷାତ କରି ମୋର ଅନିର୍ବଚନୀୟ ଆନନ୍ଦ ଜାତ ହେଉଅଛି। ଏହି ଦେଶହିତକର କାର୍ଯ୍ୟରେ ଆପଣମାନଙ୍କ ସଙ୍ଗେ ଭାଗୀ ହୋଇଥିବାରୁ ମୁଁ ନିଜକୁ କୃତଜ୍ଞ ମନେ କରୁଅଛି… ।”

ବୈବାହିକ ଜୀବନ
ଭ୍ରମଣପ୍ରିୟ ରାମଚନ୍ଦ୍ର ଦାର୍ଜିଲିଂ ଯାଇଥିଲାବେଳେ ବ୍ରାହ୍ମ ଧର୍ମ ପ୍ରବର୍ତ୍ତକ କେଶବଚନ୍ଦ୍ର ସେନଙ୍କ କନ୍ୟାଙ୍କୁ ଭେଟିଥିଲେ। ଦୁହିଁଙ୍କର ପରିଚୟ ହୋଇଥିଲା ଓ ଦୁହେଁ ଦୁହିଁଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ। ଦୁହିଁଙ୍କର ବିବାହ ପ୍ରସ୍ତାବ ମଧ୍ୟ ଆଗତ ହେଲା। ମହାରାଜା ଏଥିପାଇଁ ନିଜର ସମ୍ମତି ଦେଲେ। କିନ୍ତୁ କେଶବଚନ୍ଦ୍ର ସେନ ହିନ୍ଦୁ ହୋଇ ନ ଥିବାରୁ ତାଙ୍କ କନ୍ୟାକୁ ଗ୍ରହଣ କରିବାପାଇଁ ରାଜପରିବାର ଘୋର ଆପତ୍ତି କରିଥିଲା। ପ୍ରଜାମାନେ ମଧ୍ୟ ଏହାର ବିରୋଧ କଲେ। ପ୍ରଜାଙ୍କ ରାୟକୁ ସମ୍ମାନ ଜଣାଇ ରାମଚନ୍ଦ୍ର ୨୫ ବର୍ଷ ବୟସରେ ପାଞ୍ଚକୋଟର ମହାରାଜା ନୀଳମଣି ସିଂହ ନାତୁଣୀ ଲକ୍ଷ୍ମୀକୁମାରୀଙ୍କୁ ୧୮୯୬ରେ ବିବାହ କଲେ। ଗୋଟଇଏକନ୍ୟା ସନ୍ତାନ ଏବଂ ଦୁଇ ପୁତ୍ରର ଜନନୀ ମହାରାଣୀ ଲକ୍ଷ୍ମୀକୁମାରୀ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୧୯୦୨ରେ ମୃତ୍ୟୁବରଣ କଲେ। ପତ୍ନୀଙ୍କର ବିୟୋଗରେ ମହାରାଜ ଶୋକାଭିଭୂତ ହୋଇ ଆମିଷ ଭକ୍ଷଣ ପରିତ୍ୟାଗପୂର୍ବକ ସନ୍ନ୍ୟାସ ଜୀବନ ଯାପନ କଲେ। ମହାରାଣୀଙ୍କ ସ୍ମତି ଉଦ୍ଦେଶ୍ୟରେ ୧୯୦୬ରେ ସେ ଲକ୍ଷ୍ମୀ କୁମାରୀ ଧର୍ମଶାଳା ଏବଂ ରାଣୀବାଗ ନାମରେ ସୁନ୍ଦର ଉଦ୍ୟାନ ନିର୍ମାଣ କରିଥିଲେ। ମହାରାଣୀଙ୍କ ମୃତ୍ୟୁର ତିନି ବର୍ଷ ଯାଏ ମହାରାଜା ବିବାହ କଲେ ନାହିଁ। ପରେ କେଶବଚନ୍ଦ୍ର ସେନଙ୍କ ତୃତୀୟା କନ୍ୟା ସୁଚାରୁ ଦେବୀଙ୍କୁ (ଯାହାଙ୍କୁ ସେ ପୂର୍ବରୁ ପ୍ରେମ କରୁଥିଲେ) ୧୯୦୪ ରେ କଲିକତାରେ ବିବାହ କରିଥିଲେ ବୋଲି କୁହାଯାଏ। ସର୍ତ୍ତ ଥିଲା ଯେ ସୁଚାରୁଦେବୀ ମୟୂରଭଞ୍ଜ ଆସିବେ ନାହିଁ ଓ ତାଙ୍କ ଗର୍ଭରୁ ଜାତ ସନ୍ତାନ ରାଜା ହୋଇପାରିବେ ନାହିଁ।

ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ପକାଇଥିଲେ
ଶିକ୍ଷାନୁରାଗୀ ଶ୍ରୀରାମଚନ୍ଦ୍ର ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ପକାଇବା ସହ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିଥିଲେ। ତାଙ୍କ ରାଜତ୍ବ ସମୟରେ ୪୪ଟି ବିଦ୍ୟାଳୟର ସଂଖ୍ୟାବୃଦ୍ଧି ପାଇ ୪୩୧ରେ ପହଞ୍ଚିଥିଲା। ସ୍କୁଲ ବୃଦ୍ଧି ପାଇବାରୁ ଛାତ୍ରଛାତ୍ରୀ ସଂଖ୍ୟା ବଢ଼ି ୨୩୭୬ରୁ ୯୫୯୪ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଜାବତ୍ସଳ ଶ୍ରୀରାମଚନ୍ଦ୍ର ୧୮୯୨ ମସିହାରେ ଶିକ୍ଷା ବଜେଟ୍‌ର ବ୍ୟୟବରାଦ ପରିମାଣ ୭୮୯୯ ଟଙ୍କାରୁ ୫୪ ହଜାର ୯୫୮ ଟଙ୍କାକୁ ବଢାଇଥି‌ଲେ। ଓଡ଼ିଶାର ଜନସାଧାରଣଙ୍କ ହିତ ଦୃଷ୍ଟିରୁ କଟକଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲେ, ଯାହା ଏବେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଭାବେ ପରିଚିତ। ସେହିପରି କଟକ ରେଭେନ୍ସା ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଗୃହ ନିର୍ମାଣ ଓ ଉତ୍କଳ ସାହିତ୍ୟ ସମାଜର ସ୍ଥାୟୀ ସଭାଗୃହ ତାଙ୍କର ଦାନଅର୍ଥରେ ହୋଇଥିଲା। ଜନସ୍ବାସ୍ଥ୍ୟ ସେବା ପାଇଁ ୧୯୦୫ ମସିହାରେ ବାରିପଦା ପୌର ପରିଷଦ ଗଠନ କରିବା ସହ ମହାରାଜ ଶ୍ରୀରାମଚନ୍ଦ୍ର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ରାଜ୍ୟରେ ୮ଟି ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା କରିବା ସହିତ ଚିକିତ୍ସାଳୟଗୁଡ଼ିକୁ ନୂତନ ଓ ଆଧୁନିକ ଯନ୍ତ୍ରପାତି ଯୋଗାଇ ଦେଇଥିଲେ। ତାଙ୍କ ସମୟରେ ରାଜ୍ୟରେ ମହାମାରୀ, ହଇଜା ଆଦି ସଂକ୍ରାମକ ରୋଗର ନିରାକରଣ ପାଇଁ ପଦକ୍ଷେପ ନିଆଯାଇଥିଲା। ଗୋବୀଜ ଟିକାକୁ ବାଧ୍ୟତାମୂଳକ କରାଯାଇଥିଲା।

ସମ୍ବନ୍ଧିତ ଖବର