ଭୁବନେଶ୍ବର: ‘ବନ୍ଦେ ମାତରମ୍’ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଓ ବୀରତ୍ବର ପ୍ରତୀକ। ବଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ ନେଇଥିବା ଏହି ଗୀତ ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କ ମନରେ ଉତ୍ସାହ ଓ ବୈପ୍ଳବିକ ମନୋଭାବ ଜଗାଇଥିଲା। ଆଜି ଲୋକସେବା ଭବନରେ ରାଜ୍ୟସ୍ତରୀୟ ରାଷ୍ଟ୍ର ଗୀତ ‘ବନ୍ଦେ ମାତରମ୍‌’ର ୧୫୦ ତମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମର ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ଲୋକସେବା ଭବନସ୍ଥିତ ପ୍ରାଙ୍ଗଣରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ଉଦ୍‌ଘାଟନ ଓ ରାଷ୍ଟ୍ର ଗୀତର ସାମୂହିକ ଗାନରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଗୀତର ଲୋକପ୍ରିୟତା ଓ ପ୍ରଭାବକୁ ଦେଖି ବ୍ରିଟିସ ସରକାର ବନ୍ଦେ ମାତରମ୍‌କୁ ନିଷିଦ୍ଧ କରିଥିଲେ, ଯାହା ଏହି ଗୀତର ଶକ୍ତିର ସ୍ପଷ୍ଟ ପ୍ରମାଣ। ଦେଶପ୍ରେମ ବିନା ଦେଶର ଉନ୍ନତି ଅସମ୍ଭବ। ବନ୍ଦେ ମାତରମ୍ ଆମ ହୃଦୟରେ ସେହି ଦେଶପ୍ରେମର ଅଗ୍ନିକୁ ପୁନଃ ଜାଗୃତ କରେ। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏହି ବର୍ଷବ୍ୟାପୀ ପାଳନ ଖୁବ୍ ଗୁରୁତ୍ୱପୂର୍ଣ୍ଣ। 

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ‘ବନ୍ଦେ ମାତରମ୍‌’ର ବର୍ଷବ୍ୟାପୀ ପାଳନରେ ଓଡ଼ିଶା ସାମିଲ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ବନ୍ଦେ ମାତରମ୍‌କୁ ସାମୂହିକ ଭାବେ ଗାନ୍ କରିବାର ପ୍ରଭାବ ଖୁବ୍ ସୁଦୂରପ୍ରସାରୀ। ଆଗାମୀ ଦିନରେ ଏହା ରାଷ୍ଟ୍ରବାଦକୁ ଏକ ନୂଆ ସଜ୍ଞା ଦେବାରେ ସଫଳ ହେବ। ଆଗାମୀ ୧ବର୍ଷ ଧରି ସମସ୍ତ ଜିଲ୍ଲାରେ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ସଂଗଠନଙ୍କ ମାଧ୍ୟମରେ ସାମୂହିକ ଗାନ, ସାଂସ୍କୃତିକ ଆୟୋଜନ ଓ ସଚେତନତା କାର୍ଯ୍ୟକ୍ରମ ପାଇଁ ଯୋଜନା କରାଯାଇଛି। ଆଜିଠୁ ଏହାର ଶୁଭାରମ୍ଭ ହୋଇଛି। ବର୍ଷବ୍ୟାପୀ ଯାହା ଯାହା କାର୍ଯ୍ୟକ୍ରମ ହେବ ସେଥିରେ ସମସ୍ତେ ସାମିଲ ହୁଅନ୍ତୁ। ଭାରତ ମାତାର ଗୌରବକୁ ସାରା ପୃଥିବୀରେ ପରିବ୍ୟାପ୍ତ କରିବା ପାଇଁ ସଂକଳ୍ପ ବଦ୍ଧ ହେବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟଙ୍କ ସହ ସମସ୍ତ ବିଭାଗୀୟ ସଚିବ, ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବନ୍ଦେ ମାତରମ୍‌ ଗାନ କରିଥିଲେ।