ଭୁବନେଶ୍ବର: ଅଲ ଇଣ୍ଡିଆ ସେନ୍ସସନ୍‌ ଅଫ୍‌ ଏମ୍‌ଏସ୍‌ଏମ୍‌ଇ ୨୦୦୬-୦୭ ଅନୁସାରେ ରାଜ୍ୟରେ ୧୫,୩୧୫ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା ଏମ୍‌ଏସ୍‌ଏମ୍‌ଇ ସଂସ୍ଥା ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି। ୨୦୦୬-୦୭ ମସିହା ପରେ ଏମ୍‌ଏସ୍‌ଏମ୍‌ଇ ଗଣନା ହୋଇନାହିଁ। ଏହି ଗଣନା ପରେ ୨୦୧୦ରୁ କେତେ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ହୋଇଛି ତାହାର ତଥ୍ୟ ଉପଲବ୍ଧ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ।
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନୋତ୍ତରରେ ଶ୍ରୀ ଦେବ କହିଛନ୍ତି ଯେ ରାଜ୍ୟରେ ଚଳିତବର୍ଷ ଅଗଷ୍ଟ ୩୧ ତାରିଖ ସୁଦ୍ଧା ୪ଲକ୍ଷ ୧୧ହଜାର ୬୯ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ଉଦ୍ୟମ ପଞ୍ଜୀକରଣ କରିଛନ୍ତି।

Advertisment

ଏଥିରେ ୮୯,୫୫୫ଟି ମାନୁଫାକ୍ଚରିଂ, ୧,୬୮,୬୪୪ଟି ସର୍ଭିସ୍ ବର୍ଗ ଓ ୧,୫୨,୮୭୦ଟି ଟ୍ରେଡିଂ ବର୍ଗ ଅନ୍ତର୍ଭୁକ୍ତ। ଏଥିରେ ୩୪ଲକ୍ଷ ୫୬ହଜାର ୪୩୭ଜଣ କର୍ମ ନଯୁକ୍ତି ପାଇଛନ୍ତି। ତହିଁରେ ମାନୁଫାକ୍ଚରିଂ ବର୍ଗରେ ୧୦,୮୪,୩୦୬ ଜଣ, ସର୍ଭିସ ବର୍ଗରେ ୧୪,୭୩,୩୯୯ଜଣ ଓ ଟ୍ରେଡିଂ ବର୍ଗରେ ୮,୯୮,୭୩୨ ଜଣ କର୍ମନିଯୁକ୍ତି ପାଇଛନ୍ତି। ବନ୍ଦ ହୋଇଯାଇଥିବା ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ଉପରେ ଅନାଦେୟ ଋଣ ସରକାରଙ୍କ ପାଖରେ ଉପଲବ୍ଧ ନାହିଁ। କଟକ ଜିଲ୍ଲାରେ ସର୍ବାଧିକ ୨୪୦୨, ସୁନ୍ଦରଗଡ଼ ୨୦୨୦, ଖୋର୍ଧା ୧୫୦୪, ଗଞ୍ଜାମ ୧୦୬୧ ଏମ୍‌ଏସ୍‌ଏମ୍‌ଇ ବନ୍ଦ ହୋଇଛନ୍ତି। ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୩୫, ଗଜପତି ୧୦୦ ଏମ୍‌ଏସ୍‌ଏମ୍‌ଇ ବନ୍ଦ ହୋଇଛି।