ଭୁବନେଶ୍ୱର: ଜନଜାତୀୟ ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ ଅବସରରେ ରାଜ୍ୟ ସରକାର ବଡ଼ ଭେଟି ଦେଇଛନ୍ତି। ଜନଜାତିଙ୍କ ବିକାଶ ପାଇଁ ୧,୫୩୫ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଯେଉଁଥିରେ ୧୬ଟି ଆଶ୍ରମ ବିଦ୍ୟାଳୟକୁ ହାଇସ୍କୁଲକୁ ଉନ୍ନୀତ କରାଯିବ। ଏ ବାବଦରେ ପ୍ରତି ବିଦ୍ୟାଳୟ ପିଛା ୧୫କୋଟି ଟଙ୍କା ହିସାବରେ ୨୪୦ କୋଟି ଟଙ୍କା ବିନିଯୋଗ ହେବ। ୧୩ଟି ମାଧ୍ୟମିକ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ ହେବ ଏବଂ ପ୍ରତି ସ୍କୁଲ ପିଛା ୨୨ କୋଟି ଟଙ୍କା ହିସାବରେ ୨୮୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିସହ ୪୨୬ଟି ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ ନିର୍ମାଣ ପାଇଁ ୮୫୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ୧୦୦ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ବରର ଗୋଠପାଟଣାଠାରେ ଜନଜାତି ସଂସ୍କୃତି ଓ ଐତିହ୍ୟ ଭବନ ନିର୍ମାଣ, ୫୦ କୋଟି ଟଙ୍କାରେ ଗୋଠପାଟଣାଠାରେ ଜନଜାତି ଭାଷା ପ୍ରତିଷ୍ଠାନ ନିର୍ମାଣ ଏବଂ ୪ କୋଟି ଟଙ୍କା ବିନିଯୋଗରେ ଜନଜାତି ଅସ୍ମିତା ଭବନ ନିର୍ମାଣ କରାଯିବ। ୫ଟି ବହୁମୁଖୀ କେନ୍ଦ୍ର ନିର୍ମାଣ କରିବାକୁ ୩ କୋଟି ଟଙ୍କା ବିନିଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।
ଜନତା ମଇଦାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆହୁରି କହିଲେ ‘ପେସା’ ଆଇନ୍ ଲାଗୁ ପୂର୍ବରୁ ଲୋକଙ୍କ ମତ ସଂଗ୍ରହ କରାଯିବ। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁରେ ଜନସଭା କରାଯାଇ ପେସା ଆଇନ କିପରି କାର୍ଯ୍ୟକାରୀ ହେବ ସେନେଇ ବିସ୍ତୁତ ଆଲୋଚନା ହେବ। ବିର୍ସା ମୁଣ୍ଡାଙ୍କ ସ୍ମୃତିକୁ ଉଜ୍ଜୀବିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଜନଜାତୀୟ ଗୌରବ ଦିବସରେ ‘ଧର୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା’ ଅଧୀନରେ ଅନେକ କଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ ହେଉଛି। ଜନଜାତି ସମ୍ପ୍ରଦାୟଙ୍କ ସ୍ବାସ୍ଥ୍ୟ, ଶିକ୍ଷା,
ଜୀବନ ଜୀବିକା ଓ ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ତାରତମ୍ୟକୁ ଦୂର କରି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ଓଡ଼ିଶାର ୨୭ଟି ଜିଲ୍ଲାର ୭,୬୬୭ଟି ଗ୍ରାମକୁ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅଭିଯାନର ସଫଳ ରୂପାୟନ ପାଇଁ ଆମେ ସକ୍ରିୟଭାବେ କାମ କରୁଛୁ। ସମସ୍ତ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଛି ବୋଲି ସେ ମତବ୍ୟକ୍ତ କରିଥିଲେ।
‘ପେସା’ ଆଇନ୍ ଲାଗୁ ପୂର୍ବରୁ ମତ ନିଆଯିବ
ଗୋଠପାଟଣାରେ ଜନଜାତି ସଂସ୍କୃତି ଓ ଐତିହ୍ୟ ଭବନ
ହାଇସ୍କୁଲକୁ ଉନ୍ନୀତ ହେବ ୧୬ ଆଶ୍ରମ ବିଦ୍ୟାଳୟ
୧୩ଟି ହାଇସ୍କୁଲକୁ ଯୁକ୍ତ୨ କଲେଜରେ ପରିଣତ କରାଯିବ
ସେ ଆହୁରି କହିଲେ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ରାଜ୍ୟର ୮ଟି ବିଶେଷ ଅନୁନ୍ନତ ଜନଜାତି ବା ପିଭିଟିଜି ବର୍ଗଙ୍କୁ ଜମି ଅଧିକାର ପ୍ରଦାନ କରିବାରେ ଓଡ଼ିଶା ଉଲ୍ଲେଖନୀୟ କୃତିତ୍ବ ହାସଲ କରି ସର୍ବଭାରତୀୟ ସ୍ତରରେ ରେକର୍ଡ କରିଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ହାର ରୋକିବାକୁ ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା’ ପ୍ରଣୟନ କରିବାକୁ ଯାଉଛନ୍ତି। ଏଥିସହ ଆଦିବାସୀ ଅଞ୍ଚଳରେ ପିଲାଙ୍କ ପାଇଁ ହଷ୍ଟେଲ, ସିଡୁଲ୍ ଅଞ୍ଚଳରେ ପେସା ଆଇନ କାର୍ଯ୍ୟକାରୀ କରିବା, ଗ୍ରାମସଭାଗୁଡ଼ିକୁ ସକ୍ରିୟ କରିବା ଦିଗରେ ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଏମ୍ ଜନମନ୍ ଯୋଜନାରେ ୧୮ଟି ରାଜ୍ୟରେ ଆଦିବାସୀ ଅଞ୍ଚଳରେ ସୌରଶକ୍ତି ମାଧ୍ୟମରେ ବିଜୁଳି ଯୋଗାଇ ଦିଆଯାଉଛି ବୋଲି ମତବ୍ୟକ୍ତ କରିଥିଲେ। କେନ୍ଦ୍ର ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିର୍ସା ମୁଣ୍ଡା ଜନଜାତି ସମାଜର ବନ୍ଧନକୁ ସୁଦୃଢ କରିବା ସହ ସେମାନଙ୍କ ଉନ୍ନତି ପାଇଁ ଯେଉଁ ଉଦ୍ୟମ କରିଯାଇଛନ୍ତି ତା’ର ତୁଳନା ନାହିଁ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଧାୟକ ବାବୁ ସିଂହ ପ୍ରମୁଖ ଯୋଗଦେଇଥିଲେ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଏବଂ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।
ବିହାରର ଜାମୁଇଠାରେ ଅନୁଷ୍ଠିତ ଜନଜାତୀୟ ଗୌରବ ଦିବସ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନର ଶୁଭାରମ୍ଭ କରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଖାପାଖି ୬୬୪୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଆଭାସୀ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରେ ଉପସ୍ଥିତ ଦର୍ଶକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।