ଶିମିଳିପାଳରେ ନିଆଁଲିଭା କାମରେ ୧୫୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି : ଫରେଷ୍ଟ ଫାୟାର ଟାସ୍କଫୋର୍ସ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ଏଜେନ୍ସି ଦ୍ବାରା ନିଆଯାଇଥିବା ସମୟୋଚିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ରାଜ୍ୟରେ ଜାରି ରହିଥିବା ଜଙ୍ଗଲ ନିଆଁ ଜନିତ ପରିସ୍ଥିତିକୁ ସନ୍ତୋଷଜନକ ଭାବେ ନିୟନ୍ତ୍ରଣ କରାଯାଇ ପାରିଛି। ବିଗତ ୯ ତାରିଖରେ ରିପୋର୍ଟ ହୋଇଥିବା ୨୯୦ ଗୋଟି ଫାୟାର ପଏଣ୍ଟ ସଂଖ୍ୟା ହ୍ରାସ ପାଇ ଅଦ୍ୟାବଧି ୨୬୮ଗୋଟି ଫାୟାର ପଏଣ୍ଟ ରିପୋର୍ଟ ହୋଇଛି। ଏଥିସହିତ ଏହା ଜଣାଇ ଦିଆଯାଉଛି ଯେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଂଚଳରେ କେବଳ ୨୪‌ଟି ଫାୟାର ପଏଣ୍ଟ ରିପୋର୍ଟ ହୋଇଛି। ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ପକ୍ଷରୁ ଏହି ସୂଚନା ଦିଅଯାଇଛି।

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ୨୭୫୦ ବର୍ଗ କିମି ଅଂଚଳରେ ବ୍ୟାପ୍ତ ଏଥିରୁ ୨୩୦୬.୬ ବର୍ଗକିମି ଶିମିଳିପାଳ ଅଭୟାରଣ୍ୟ ଅର୍ନ୍ତଭୁକ୍ତ। ନିଆଁ ଲିଭା କାର୍ଯ୍ୟରେ ୭୫୦ ଜଣ ନିୟମିତ ଏବଂ ୮୦୦ ସାମୟିକ ୱାଚରଙ୍କୁ ବନାଗ୍ନି ନିର୍ବାପନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୨୫ ଜଣ ବିଶିଷ୍ଟ ୨ ଗୋଟି ଓଡ୍ରାଫ ଦଳ ସହ ୨୦ ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପାଖାପାଖି ୪୦୦ ବ୍ଲୋୟର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଂଚଳରେ ନିଆଁ ଲିଭା କାର୍ଯ୍ୟରେ ଲଗାଯାଇଛି। ବ୍ୟାପକ ଜନସଚେତନତା ନିମନ୍ତେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ସଂଲଗ୍ନ ଇଲାକାରେ ଭିଏସଏସ୍‌ ଆଣ୍ଡ ଇଡିସି, ପିଆରଆଇ, ମିଶନ ଶକ୍ତି, ସ୍ଥାନୀୟ ଆଦିବାସୀ ମୁଖିଆ ଏବଂ ସ୍ବେଚ୍ଛାସେବୀ ସଦସ୍ୟମାନଙ୍କୁ ନେଇ ୬୦୦ଟି ସଚେତନତା ବୈଠକ ଆୟୋଜନର ବ୍ୟବସ୍ଥା କରାଯାଉଛି। ସ୍ଥାନୀୟ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ଆରକ୍ଷୀ କର୍ମଚାରୀ, ବନାଗ୍ନି ପ୍ରାବଲ୍ୟ ଇଲାକାରେ ଜନସଚତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ସାମୁହିକ ଆବଶ୍ୟକୀୟ ପ୍ରଚେଷ୍ଟା, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ସଂଲଗ୍ନ ଇଲାକାରେ ବନାଗ୍ନି ନିର୍ବାପକ କାର୍ଯ୍ୟ କରିବାରେ ସାହାଯ୍ୟ କରୁଅଛି।

ସମ୍ବନ୍ଧିତ ଖବର