୩୨୦-ଡ଼ି ଜାତୀୟ ରାଜପଥ ପାଇଁ ପଡ଼ିଛି ୧୫୬.୨୯ କୋଟି

ଘୋଷଣାର ୭ ବର୍ଷ ପରେ ବି କାମ ଆରମ୍ଭ ହୋଇନି

ରାଉରକେଲା: କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଘୋଷିତ ରାଉରକେଲା-ଝାଡ଼ଖଣ୍ଡ ଜାତୀୟ ରାଜପଥ (୩୨୦-ଡି) ନିର୍ମାଣ କାମ ଆରମ୍ଭ ହୋଇପାରୁ ନାହିଁ। ଘୋ‌ଷଣାକୁ ଇତି ମଧ୍ୟରେ ୭ ବର୍ଷ ବିତିଯାଇଛି, ହେଲେ ନିର୍ମାଣ କାମ ପାଇଁ ମାଟି ମୁଠାଏ ମଧ୍ୟ ପଡ଼ିନି। ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଏହି ଜାତୀୟ ରାଜପଥ ନିର୍ମାଣ ପାଇଁ ଆଦୌ ତତ୍ପରତା ପ୍ରକାଶ ପାଉନାହିଁ। ନିର୍ମାଣ କାମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ କୁହାଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୫୬ କୋଟି ୨୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ରାଉରକେଲାର ହକି ଛକରୁ – ଝାଡ଼ଖଣ୍ଡର ମନୋହରପୁର ପର୍ଯ୍ୟନ୍ତ ପ୍ରାୟ ୩୪.୧୦ କି.ମି. ରାସ୍ତା ବାବଦରେ ବିଭାଗୀୟ ଅଧିକାରୀ ତା’ପରେ ମଧ୍ୟ ଚୁପ୍‌ ବସିଛନ୍ତି।‌ ଟେଣ୍ଡର ପାଇଁ କୌଣସି ପ୍ରକିୟା ମଧ୍ୟ ଆରମ୍ଭ ହେଉନାହିଁ।

ଯୋଡ଼ିହେବ ରାଉରକେଲା-ଝାଡ଼ଖଣ୍ଡ

କେବେ ଟେଣ୍ଡର କରାଯିବ, ନିର୍ମାଣ କାମ କେବେ ଆରମ୍ଭ ହେବ ବିଭାଗୀୟ ଅଧିକାରୀଙ୍କ ପାଖରେ କୌଣସି ଉତ୍ତର ନାହିଁ। ଉଭୟ ରାଜ୍ୟ ସରକାର ଓ ଏନ୍‌ଏଚ୍‌ର ଉପଯୁକ୍ତ ସମନ୍ବୟ ଅଭାବରୁ ଏଭଳି ସମସ୍ୟା ଉପୁଜିଥିବା କୁହାଯାଉଛି। ସେପଟେ ଗତ ୨୦୨୨ ଅକ୍ଟୋବର ୮ରେ ଆର୍‌ଏସ୍‌ପି ସହରସେବା ବିଭାଗ ମହାପ୍ରବନ୍ଧକ ରାଉରକେଲା ଏନ୍‌ଏଚ୍‌ ଡିଭିଜନର ନିର୍ବାହୀଯନ୍ତ୍ରୀଙ୍କୁ ଜାତୀୟ ରାଜପଥ (୩୨୦-ଡି) ନିର୍ମାଣ ସଂକ୍ରାନ୍ତରେ ଚିଠି ଲେଖିଥିଲେ। ଜାତୀୟ ପଥ କେଉଁ କେଉଁ ବାଟ ଦେଇଗଲେ ଆର୍‌ଏସ୍‌ପି ରିଂ ରୋଡ ଓ ଅନ୍ୟ ରାସ୍ତାର ଯାତାୟାତରେ ଯେମିତି କୌଣସି ବାଧା ଉପୁଜିବ ନାହିଁ, ସେ ସମ୍ପର୍କରେ ଚିଠିରେ ଉଲ୍ଲେଖ କରିଥିଲେ। ଏହା ସତ୍ବେ ଏନ୍‌ଏଚ୍‌ର ବିଭାଗୀୟ ଅଧିକାରୀ ଏ କାମ ବାବଦରେ ସଂପୂର୍ଣ୍ଣ ଭୁଲି ଯାଇଛନ୍ତି।

ଉଲ୍ଲେଖନୀୟ ଯେ ଗତ ୨୦୧୫ ଡିସେମ୍ବର ୧୭ରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ରାଉରକେଲାରୁ ପୂର୍ବ ସିଂହଭୂମର ମନୋହରପୁର ଓ ଚକ୍ରଧରପୁରକୁ ସଂଯୋଗ କରୁଥିବା ରାସ୍ତାକୁ ଜାତୀୟ ରାଜପଥ (୩୨୦ ଡି) ଭାବେ ଘୋଷଣା କରାଗଲା ବୋଲି ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ଚିଠି ଲେଖି ଜଣାଇଥିଲେ। ତେବେ ୭ ବର୍ଷ ପରେ ମଧ୍ୟ କାହିଁକି ଏହି ଜାତୀୟ ରାଜପଥ ନିର୍ମାଣ କାମ ଆରମ୍ଭ ହେଉନାହିଁ ବୋଲି ସୁନ୍ଦରଗଡ଼ ସାଂସଦ କେନ୍ଦ୍ର ସରକାର ବା ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟକୁ ପ୍ରଶ୍ନ କରି ନାହାନ୍ତି।

ରାଉରକେଲା-ଝାଡ଼ଖଣ୍ଡର ମନୋହରପୁର ମଧ୍ୟରେ ଜାତୀୟ ରାଜପଥ ନିର୍ମାଣ ହେଲେ ଗମନାଗମନ ସୁଗମ ହେବ। ସେଥିରେ ଉଭୟ ଝାଡ଼ଖଣ୍ଡ ଓ ସୁନ୍ଦରଗଡ଼ ଜିଲ୍ଲାବାସୀ ବେଶ୍‌ ଉପକୃତ ହେବ। ଉଲ୍ଲେଖନୀୟ ଯେ ଝାଡ଼ଖଣ୍ଡ ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୨୦ ଚକ୍ରଧରପୁର ନିକଟରେ ସୋନୁଆ, ଗୋଏଲକେରା, ମନୋହରପୁର, ଜରେଇକେଲା ଦେଇ ରାଉରକେଲାର ବିଶ୍ରା, ବନ୍ଧମୁଣ୍ଡା ଦେଇ ୧୪୩ନଂ ଜାତୀୟ ରାଜପଥକୁ ହକିଛକ ନିକଟରେ ସଂଯୋଗ କରୁଥିବା ରାସ୍ତାଟି ୩୨୦ -ଡି ଜାତୀୟ ରାଜପଥ ହେବ। ଚକ୍ରଧରପୁରରୁ ରାଉରକେଲା ପର୍ଯ୍ୟନ୍ତ ୯୯. ୭୪ କି.ମି. ଦୂରତା ଥିବାବେଳେ କେବଳ ଓଡ଼ିଶା ଭିତରେ ଏହାର ୩୪.୧୦ କି.ମି. ରହିବ।

ସମ୍ବନ୍ଧିତ ଖବର