ଚିନ୍ତା ବଢ଼ାଇଲାଣି ପଞ୍ଚଦଶ ଅର୍ଥ ଆୟୋଗ ସୁପାରିସ : ଅନୁଦାନ ବଢ଼ିବନି, କମିବ!

ମିଳିବ କମ୍ ସମ୍ବଳ, ଓଡ଼ିଶା ଭଳି ରାଜ୍ୟ କ୍ଷତିରେ ପଡ଼ିବେ

ନୂଆଦିଲ୍ଲୀ/ଭୁବନେଶ୍ବର : ପଞ୍ଚଦଶ ଅର୍ଥ ଆୟୋଗ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ତାଙ୍କର ଅନ୍ତରୀଣ ରିପୋର୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରିସାରିଛନ୍ତି। ଏନ୍‌. କେ. ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ରୀୟ ଅର୍ଥ କମିସନ ଯେଉଁ ସୁପାରିସ କରିଛନ୍ତି ବୋଲି କୁହାଯାଉଛି, ତାହା ଯଦି ସତ ହୋଇଥାଏ ତାହେଲେ ରାଜ୍ୟ ଗୁଡ଼ିକ ଭୀଷଣ ଅଡ଼ୁଆରେ ପଡ଼ିବାକୁ ଯାଉଛନ୍ତି। ଚତୁର୍ଦ୍ଦଶ ଅର୍ଥ ଆୟୋଗ କେନ୍ଦ୍ରୀୟ ସମ୍ବଳରୁ ୪୨ ପ୍ରତିଶତ ଅର୍ଥ ରାଜ୍ୟଗୁଡ଼ିକୁ ‌ଦେବାକୁ ସୁପାରିସ କରିଥିଲେ। ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଆସୁଛି। କିନ୍ତୁ ପଞ୍ଚଦଶ ଅର୍ଥ ଆୟୋଗ ଏହାକୁ କମାଇ ଦେଇଛନ୍ତି। ଟିକସ ରାଜସ୍ବ ଆଦାୟ ସେତେଟା ଭଲ ନଥିବାରୁ ଅର୍ଥ ଆୟୋଗ କେନ୍ଦ୍ର ସରକାରଙ୍କୁ ଜଟିଳ ପରିସ୍ଥିତିରୁ ଉଦ୍ଧାର କରିବା ପାଇଁ ରାଜ୍ୟଗୁଡ଼ିକୁ କମ୍ ଟିକସ ବାବଦ ରାଜସ୍ବ ଆବଣ୍ଟନ କରିବା ଲାଗି ସୁପାରିସ କରିଥିବା ଏକ ସୂତ୍ରରୁ ଜଣାଯାଇଛି। ଜାତୀୟ ସ୍ତରର ଏକ ଗଣମାଧ୍ୟମର ଏହି ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟ ଗୁଡ଼ିକର ହୃତ୍‌କମ୍ପନ ବଢ଼ିଯାଇଛି। ବିେଶଷକରି ଓଡ଼ିଶା ଭଳି ରାଜ୍ୟ ଅକଳରେ ପଡ଼ିଯାଇଛନ୍ତି।

ମାନ୍ଦାବସ୍ଥା ଯୋଗୁଁ କେନ୍ଦ୍ର ସରକାର ଯେତିକି ଟିକସ ଆଦାୟ କରିବା କଥା ତାହା କରିପାରୁନାହାନ୍ତି। ତେଣୁ ରାଜସ୍ବ ଅଭାବ ଜନିତ ଚାପ ବଢିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଅର୍ଥ ଆୟୋଗର ସୁପାରିସ ଗ୍ରହଣ କଲେ କେନ୍ଦ୍ର ସରକାରଙ୍କୁ କିଛିଟା ଆଶ୍ବସ୍ତି ମିଳିଯିବ। ହେଲେ ରାଜ୍ୟଗୁଡିକ କିନ୍ତୁ ଆର୍ଥିକ ଦୁଃସ୍ଥିତି ଭିତରକୁ ଠେଲି ହୋଇଯିବେ। ଏହାକୁ କେହି ଅଟକାଇପାରିବେ ନାହିଁ।

ଏହାକୁ ରାଜ୍ୟଗୁଡ଼ିକ ପ୍ରବଳ ବିରୋଧ କରିବା ସ୍ବ‌ାଭାବିକ। ସେମାନେ କେନ୍ଦ୍ର ସରକାରଙ୍କୁ ଅଡ଼ୁଆରେ ପକାଇପାରନ୍ତି। ତେଣୁ ଏଥିରୁ ବର୍ତିବା ଲାଗି ଅର୍ଥ ଆୟୋଗ ରାଜ୍ୟଗୁଡ଼ିକୁ ଅନୁବନ୍ଧିତ ପାଣ୍ଠି ବା ଟାଏଡ୍ ଫଣ୍ଡ୍‌ ବାବଦରେ ଅଧିକ ସମ୍ବଳ ଦେବା ଲାଗି ସୁପାରିସ କରିଥିବା ସୂଚନା ମିଳୁଛି। ଏହି ଅନୁବନ୍ଧିତ ପାଣ୍ଠିରେ ରାଜସ୍ବ ନିଅଣ୍ଟ ଏବଂ ବିପର୍ଯ୍ୟୟ ପ୍ରଶମନ ହ୍ରାସ ବାବଦ ରାଶି ରହିଛି। ଏହାବ୍ୟତୀତ ପ୍ରଦର୍ଶନ ଭିତ୍ତିକ ପ୍ରୋତ୍ସାହନ ରାଶି ବ୍ୟବସ୍ଥା ପୁଣି ଥରେ କାର୍ଯ୍ୟକାରୀ କରିବା ଲାଗି ସୁପାରିସ କରିଥିବା କୁହାଯାଉଛି। କିନ୍ତୁ ଅନୁଦାନ ରାଶିରେ ହ୍ରାସ ଯୋଗୁଁ ଯେଉଁ କ୍ଷତି ହେବ ତାହାକୁ ଏହା ପୂରଣ କରିପାରିବ ନାହିଁ।

ପଞ୍ଚଦଶ ଅର୍ଥ ଆୟୋଗ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗତମାସ ପ୍ରାରମ୍ଭରେ ପ୍ରଥମ ରିପୋର୍ଟ ଦାଖଲ କରିଥିଲେ। ଆସନ୍ତା ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥ ମନ୍ତ୍ରାଳୟ ଏହି ରିପୋର୍ଟକୁ ସଂସଦରେ ଆଗତ କରିବାର ସମ୍ଭାବନା ରହିଛି। ଏଥିସହିତ ଅର୍ଥ ମନ୍ତ୍ରାଳୟ ଆକ୍ସନ ଟେକେନ ରିପୋର୍ଟ ବା ଏଟିଆର୍‌ ମଧ୍ୟ ଦାଖଲ କରିବ। ଫଳରେ କେନ୍ଦ୍ର ସରକାର କମିସନଙ୍କ କେଉଁସବୁ ସୁପାରିସକୁ ଗ୍ରହଣ କରିଛନ୍ତି ତାହା ଏହି ରିପୋର୍ଟରୁ ଜଣାପଡ଼ିବ।

କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, କମିସନ ତାଙ୍କ ରିପୋର୍ଟରେ କେନ୍ଦ୍ର ଓ ରାଜ୍ୟର ସମ୍ବଳ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ପ୍ରୟାସ କରିଛନ୍ତି। ରାଜ୍ୟଗୁଡ଼ିକୁ କେନ୍ଦ୍ରରୁ ପ୍ରଦାନ କରାଯିବାକୁ ଥିବା ଟିକସ ରାଜସ୍ବକୁ ହ୍ରାସ କରାଯାଇଥିବା ବେଳେ ଅନୁବନ୍ଧିତ ପାଣ୍ଠି ପରିମାଣ ବୃଦ୍ଧି କରାଯାଇଛି। ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ପ୍ରଦର୍ଶନ କ’ଣ ରହିଛି ତାହାର ମାନଦଣ୍ଡ ହିସାବରେ ରାଜ୍ୟଗୁଡ଼ିକୁ ଅନୁବନ୍ଧିତ ପାଣ୍ଠି ଯୋଗାଇ ଦିଆଯିବ। ଅର୍ଥାତ୍ ଗ୍ରାମୀଣ ବିକାଶ, ସାମାଜିକ କ୍ଷେତ୍ର ଏବଂ ଭିତ୍ତିଭୂମି କ୍ଷେତ୍ରରେ କିଭଳି କାର୍ଯ୍ୟ କରିଛନ୍ତି ତାହାକୁ ବିଚାରକୁ ନିଆଯାଇ ରାଜ୍ୟଗୁଡ଼ିକୁ ପାଣ୍ଠି ପ୍ରଦାନ କରାଯିବ। କିନ୍ତୁ ଅଣ ଅନୁବନ୍ଧିତ ପାଣ୍ଠି ବା ଅନଟାଏଡ୍ ଫଣ୍ଡ୍‌ ବାବଦରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ପାଇଁ ଅନୁଦାନ କମାଇ ଦେଇଥିବାରୁ ଏହା ରାଜ୍ୟଗୁଡ଼ିକୁ ଅସୁବିଧାରେ ପକାଇବ।

ରାଜ୍ୟ ଗୁଡ଼ିକୁ ଆବଣ୍ଟନ କରାଯିବାକୁ ଥିବା ସମ୍ବଳକୁ ୪୨ ପ୍ରତିଶତରୁ କମ୍ କରିବାକୁ ପଞ୍ଚଦଶ ଅର୍ଥ ଆୟୋଗର ସୁପାରିସ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ଦୋହଲାଇଦେବ। ଓଡ଼ିଶା ବଜେଟ ଉପରେ ମଧ୍ୟ ଅସମ୍ଭବ ଚାପ ସୃଷ୍ଟି କରିପାରେ। କାରଣ ଗତବର୍ଷ ଅର୍ଥ ଆୟୋଗ ଓଡ଼ିଶା ଗସ୍ତରେ ଆସିଥିବାବେଳେ ‌ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସୁଥିବା ଓଡ଼ିଶା ପାଇଁ ୧୫୦୦ କୋଟି ଟଙ୍କାର ସ୍ବତନ୍ତ୍ର ପାଣ୍ଠି ପ୍ରଦାନ କରିବାକୁ ଦାବି କରାଯାଇଥିଲା। ଏହି ଅର୍ଥରେ ରାଜ୍ୟରେ ଅଧିକ ବାତ୍ୟା ଆଶ୍ରୟସ୍ଥଳ ଏବଂ ବାତ୍ୟା ସର୍ତକତା ବ୍ୟବସ୍ଥା ସ୍ଥାପନ କରାଯାଇପାରିବ ବୋଲି କୁହାଯାଉଥିଲା। ସେହିଭଳି ‌ରାଜ୍ୟଗୁଡ଼ିକୁ ଆବଣ୍ଟନ କରାଯାଉଥିବା ସମ୍ବଳକୁ ୪୨ ପ୍ରତିଶତ ପରିବର୍ତ୍ତେ ୫୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ନବୀନ ଦାବି କରିଥିଲେ। କେବଳ ସେତିକି ନୁହେଁ, ସେସ୍ ଏବଂ ସରଚାର୍ଜ ବାବଦରେ ଯେଉଁ ରାଶି କେନ୍ଦ୍ର ସରକାର ଆଦାୟ କରୁଛନ୍ତି ସେଥିରୁ ରାଜ୍ୟ ସରକାର କିଛି ପାଉନାହାନ୍ତି। ତେଣୁ ସେ ବାବଦରେ ଆଦାୟ ହେଉଥିବା ରାଶିକୁ ଆବଣ୍ଟନଯୋଗ୍ୟ ସମ୍ବଳରେ ସାମିଲ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ରାଶିକୁ ଆଉ ୧୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇବା ସହିତ ସ୍ବଚ୍ଛ ‌ଶକ୍ତି ସେସ୍ ବାବଦରେ ଆଦାୟ ହେଉଥିବା ରାଶିକୁ କୋଇଲା ଉତ୍ତୋଳନ ହେଉଥିବା ଅଞ୍ଚଳରେ ଖର୍ଚ୍ଚ କରିବାକୁ ନବୀନ ଦାବି କରିଥିଲେ। ଅର୍ଥ ଆୟୋଗ ଏହାକୁ ଗୁରୁତ୍ବର ସହ ବିଚାର କରି ଓଡ଼ିଶା ଭଳି ରାଜ୍ୟକୁ ନ୍ୟାୟ ପ୍ରଦାନ କରିବେ ବୋଲି ଆଶା କରାଯାଉଥିଲା।

ଉଲ୍ଲେଖଯୋଗ୍ୟ ଯେ ପଞ୍ଚଦର୍ଶ ଅର୍ଥ ଆୟୋଗର କାର୍ଯ୍ୟକାଳ ଗତବର୍ଷ ଅକ୍ଟୋବର ୩୦ରେ ଶେଷ ହେଉଥିଲା। କିନ୍ତୁ ପ୍ରଥମେ ଏହାକୁ ଏହାକୁ ଏକମାସ ଏବଂ ପରେ ଏକ ବର୍ଷ ପାଇଁ ବଢ଼ାଇ ଦେଇଛନ୍ତି। ଅର୍ଥାତ୍ ପଞ୍ଚଦର୍ଶ ଅର୍ଥ କମିସନଙ୍କ କାର୍ଯ୍ୟକାଳ ୨୦୨୦ ଅକ୍ଟୋବରରେ ଶେଷ ହେବ।

ସମ୍ବନ୍ଧିତ ଖବର