ଦୈନିକ ସଂକ୍ରମଣରେ ସାଢ଼େ ୧୬% ହ୍ରାସ

କୋଟିଏ ଟପିଲା ନମୁନା ପରୀକ୍ଷା, ରାଜ୍ୟରେ ସମାନ୍ତରାଳ ସ୍ଥିତିରେ ରହିଛି: ଡିଏମ୍‌ଇଟି

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ମୃତ୍ୟୁ ରେକର୍ଡ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସୂଚନା ଦିଆଯାଇଛି, ଯାହାକି କରୋନାର ଦ୍ବିତୀୟ ଲହରର ସର୍ବାଧିକ ମୃତ୍ୟୁ। ଏଥିରେ ଖୋର୍ଧାରେ ସର୍ବାଧିକ ୪, ରାୟଗଡ଼ା, ପୁରୀରେ ୨ଜଣ ଲେଖାଏଁ, ଅନୁଗୁଳ, କଟକ, କେନ୍ଦୁଝର, ସୁନ୍ଦରଗଡ଼ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୨୦୨୯କୁ ବୃଦ୍ଧି ପାଇଛି।

ଖୋର୍ଧା ଜିଲ୍ଲାରେ ସର୍ବାଧିକ ୩୫୬ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ରହିଛି। ସଂକ୍ରମଣ ଉପରତଳ ହେଉଛି। ତେଣୁ ଏହାକୁ ନେଇ ଲୋକମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା କମ୍ ରହିଛି। ଜିଲ୍ଲାରୁ ଆସୁଥିବା ମୃତ୍ୟୁ ରିପୋର୍ଟକୁ ଅଡିଟ୍‌ କରାଯିବା ପରେ ଏହାର ଘୋଷଣା କରାଯାଉଛି। କରୋନାରେ ସଂକ୍ରମିତ ହେଉଥିବା ଆକ୍ରାନ୍ତ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେବେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଥିବା ଡା. ମହାନ୍ତି କହିଛନ୍ତି।

ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ ସବୁ ଜାଗାରେ ସଟ୍‌ଡାଉନ୍ କିମ୍ବା ଲକଡାଉନ୍‌ର ଆବଶ୍ୟକତା ନାହିଁ। ଗତବର୍ଷ ସଟଡାଉନ୍, ଲକ୍‌ଡାଉନ୍ ହୋଇଥିବା ବେ‌ଳେ ତାହାର ପ୍ରଭାବ କିଭଳି ରହିଥିଲା, ତାହାକୁ ଅନୁଧ୍ୟାନ କରାଯାଇ ଏବେ ପଦକ୍ଷେପ ଗ୍ରହଣ କରାଯାଉଛି। ଯେଉଁ ଜାଗାରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେ ଜାଗାରେ ସଟଡାଉନ୍, ଲକଡାଉନ୍ ଭଳି ପଦକ୍ଷେପ ନିଆଯାଇପାରେ। ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରାଯାଉଥିବା ଡା. ମହାପାତ୍ର କହିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ନଜରକୁ ଆସିଛି। ଗତ ୨୭ ତାରିଖରେ ରାଜ୍ୟରେ ସର୍ବାଧିକ ୮୩୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ସାଢ଼େ ୧୬ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ରାଜ୍ୟରେ ୬୯୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ପ୍ରତି ମିନିଟ୍‌ରେ ପ୍ରାୟ ୫ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଅପରପକ୍ଷେ ଗତ ୨୪ ଘଣ୍ଟାରେ ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ସଂଖ୍ୟାରେ ବୃଦ୍ଧି ହୋଇଛି। ୪୪,୦୬୪ ନମୁନାରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ୧୫.୮ ପ୍ରତିଶତ ରହିଛି। ରାଜ୍ୟରେ ସମୁଦାୟ ନମୁନା ପରୀକ୍ଷା ସଂଖ୍ୟା ୧କୋଟି ୪୧,୨୦୪କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଖୋର୍ଧା ଲଗାତାର ଭାବେ ସଂକ୍ରମଣର ଶୀର୍ଷ ସ୍ଥାନ ବଜାୟ ରଖିଛି। ଜିଲ୍ଲାରୁ ୯୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୬୮,୯୯୫ରେ ପହଞ୍ଚି ଯାଇଛି। ଏହାସହ କଟକ ୫୧୭, ସୁନ୍ଦରଗଡ଼ ୪୭୪, ନୂଆପଡ଼ା ୪୨୦, ଝାରସଗୁଡ଼ା ୩୯୬, ବରଗଡ଼ ୩୩୦, ଅନୁଗୁଳ ୩୨୫, ସମ୍ବଲପୁର ୩୨୩, ମୟୂରଭଞ୍ଜ ୩୦୮, କଳାହାଣ୍ଡି ୨୯୨ ଓ ଷ୍ଟେଟ୍‌ ପୁଲରୁ ୧୮୫ଜଣଙ୍କୁ ଚିହ୍ନଟ କରାଯାଇଛି। ୨୧ଟି ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୩୫ହଜାର ୫୧୩କୁ ବୃଦ୍ଧି ପାଇଛି। ମାତ୍ର ୫ଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ୨୫ଟି ଜିଲ୍ଲା ରେଡ୍ ଓ ୟେଲୋ-ଜୋନ୍‌ରେ ରହିଛି। ରାଜ୍ୟରେ ଆଜି ୪୬୭୯ କୋଭିଡ୍‌ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ମୋଟ୍‌ କୋଭିଡ୍‌ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୮୦ହଜାର ୪ଶହକୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୫୩,୦୩୧ ଚିକିତ୍ସିତ କୋଭିଡ୍‌ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର