ଟିପିଡବ୍ଲୁଓଡିଏଲ୍‌ର ୧୬.୫୭% ଆବଣ୍ଟନ କ୍ଷତି: ଦର ନ ବଢ଼ାଇବାକୁ ପ୍ରସ୍ତାବ

ଭୁବନେଶ୍ବର: ଆସନ୍ତା ଆର୍ଥିକ ବର୍ଷ (୨୦୨୪-୨୫)ର ବିଦ୍ୟୁତ୍‌ମୂଲ୍ୟ ନିର୍ଦ୍ଧାରଣ ପାଇଁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗରେ ଚାଲିଥିବା ଶୁଣାଣିରେ ଆଜି ଟିପିଡବ୍ଲୁଓଡିଏଲ୍‌(ଟାଟା ପାୱାର ପଶ୍ଚିମ ଓଡ଼ିଶା ବଣ୍ଟନ ଲିମିଟେଡ୍‌) କରିଥିବା ବାର୍ଷିକ ରାଜସ୍ବ ଆବଶ୍ୟକତା ଆବେଦନର ତର୍ଜମା ହୋଇଛି। ଆସନ୍ତା ବର୍ଷ ପାଇଁ ୧୧୫୨୪ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ କ୍ରୟ କରିବାକୁ ଯୋଜନା କରିଛି। ଏଥିରେ ୧୬.୫୭% ଆବଣ୍ଟନ କ୍ଷତି ଦର୍ଶାଇ ୯୬୧୪ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ବିକ୍ରୟ ଯୋଜନା କରିଛି। ପୂର୍ବବର୍ଷ ୨୦୨୨-୨୩ ପାଇଁ ଅନୁମୋଦିତ ସତ୍ୟତା (ଟ୍ରୁଇଙ୍ଗ୍‌ ଅପ) ଆବେଦନରେ ୬୬୩ କୋଟି ଟଙ୍କା ରାଜସ୍ୱ ବଳକା ହୋଇଥିବା ଦର୍ଶାଯାଇଛି। ଆସନ୍ତାବର୍ଷ (୨୦୨୪-୨୫) ପାଇଁ ୬୧୨୪ କୋଟି ଟଙ୍କା ରାଜସ୍ୱ ଆବଶ୍ୟକତା ଥିବା ଏହି ଆବଣ୍ଟନ କଂପାନି ଆକଳନ କରିଛି। ତେବେ ବିଦ୍ୟୁତ୍‌ ଦର ନ ବଢ଼ାଇବା ପାଇଁ କମ୍ପାନି ଓଇଆର୍‌ସିଙ୍କୁ ପ୍ରସ୍ତାବ ଦେଇଛି। ଆୟୋଗଙ୍କ ଦ୍ୱାରା ନିଯୁକ୍ତ ‘ୱାଇଜ୍‌’(ୱାର୍ଲଡ ଇନ୍‌ଷ୍ଟିଚ୍ୟୁଟ୍‌ଅଫ୍‌ସଷ୍ଟେନେବୁଲ୍‌ଏନର୍ଜି) ଏହାର ସମୀକ୍ଷା କରି ୧୦ଟି ବିନ୍ଦୁରେ ପ୍ରତିବାଦ କରିଥିଲା। ୧୨ରୁ ଊର୍ଦ୍ଧ୍ବ ଆପତ୍ତିକର୍ତ୍ତା ଟିପିଡବ୍ଲୁଓଡିଏଲ୍‌ର ପ୍ରସ୍ତାବିତ ଏଆର୍‌ଆର୍‌କୁ ବିରୋଧ କରିଥିଲେ।

ଜନଶୁଣାଣିରେ ଭାଗନେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଯୋଗଦେଇ ନିବୁଜ କୋଠରୀରେ ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ନିର୍ଣ୍ଣୟ ହେଉଥିବା କହିବା ସହ ଏହି ପଦ୍ଧତିକୁ ବିରୋଧ କରିଥିଲେ। ଆୟୋଗ ଯେଉଁ ଖୁଚୁରା ବିଦ୍ୟୁତ ମୂଲ୍ୟ ନିର୍ଧାରଣ କରୁଛନ୍ତି ତାହାର ରାଜସ୍ୱ ଆବଶ୍ୟକତା ଦରଖାସ୍ତ ସହିତ କୌଣସି ସମ୍ପର୍କ ନାହିଁ। ଆୟୋଗ ୧୨୦ ଦିନ ଅବଧି ମଧ୍ୟରେ ବିଦ୍ୟୁତ ଉତ୍ପାଦନ, ପରିବହନ, ବ୍ୟବସାୟୀ ଓ ଆବଣ୍ଟନ କମ୍ପାନିମାନଙ୍କର ବାର୍ଷିକ ରାଜସ୍ୱ ଆବଶ୍ୟକତା ଅନୁମୋଦନ କରି ହାରାହାରି ବିଦ୍ୟୁତ ମୂଲ୍ୟ ନିର୍ଣ୍ଣୟ କରୁଛନ୍ତି। କିନ୍ତୁ ଏହି ହାରାହାରି ବିଦ୍ୟୁତ ମୂଲ୍ୟ କିପରି ଖୁଚୁରା ମୂଲ୍ୟରେ ରୂପାନ୍ତର ହେଲା ତାହାର ହିସାବ ଟାରିଫ ଆଦେଶରେ ନାହିଁ। ଅର୍ଥାତ ଏଭଳି ଖୁଚୁରା ବିଦ୍ୟୁତ ମୂଲ୍ୟ ନିର୍ଣ୍ଣୟ ବିଦ୍ୟୁତ୍‌ ଆଇନ- ୨୦୦୩କୁ ଉଲ୍ଲଂଘନ କରୁଛି। ଆଜିର ଜନଶୁଣାଣିରେ ବିଦ୍ୟୁତ କର୍ମଚାରୀ ନେତା ରମେଶ ଶତପଥୀ, ଇଂ ଅକ୍ଷୟ ସାହାଣି, ପ୍ରଭାକର ଦୋରା, ଇଂ ପ୍ରଶାନ୍ତ ପ୍ରଧାନ ପ୍ରମୁଖ ମତ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର