ବିଧାନସଭା ମୌସୁମୀ ଅଧିବେଶନରେ ଆସିବ ୧୬ଟି ବିଲ୍‌, ନବୀନ ନିବାସରୁ ସାମିଲ ହେବେ ମୁଖ୍ୟମନ୍ତ୍ରୀ

ସଚିବାଳୟ କନ୍‌ଫରେନ୍‌ସ୍‌ ହଲ୍‌ରେ ବସିବେ ୬ ଜଣ ବିଧାୟକ

ଭୁବନେଶ୍ୱର : ଆସନ୍ତାକାଲି ମଙ୍ଗଳବାରଠାରୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନ। ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୭ଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ଧାର୍ଯ୍ୟ କରାଯାଇଛି। ମୌସୁମୀ ଅଧିବେଶନ କାଳରେ ଗୁରୁତ୍ବପୂର୍ଣ୍ଣ ୯ଟି ଅଧ୍ୟାଦେଶ ସମେତ ୧୬ଟି ବିଲ୍‌ ଆଗତ ଓ ପାରିତ କରିବାକୁ ସରକାର ସ୍ଥିର କରିଛନ୍ତି। କୋଭିଡ୍‌ ମହାମାରୀ ସମୟରେ ଏହି ଅଧିବେଶନ ବସୁଥିବାରୁ ସାମାଜିକ ଦୂରତା ଓ ସଂକ୍ରମଣ ପ୍ରତିହତ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ରହି ଗୃହ କାର୍ଯ୍ୟରେ ଯୋଗଦେବେ। ଏହାସହିତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ମହୀଧର ରଣା, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ ବିଧାୟକ ରାଜେନ୍ଦ୍ର ଢୋଲକିଆ ନିଜ ନିଜ ଜିଲ୍ଲାରେ ରହି ଭିଡିଓ କନଫରେନ୍‌ସିଂ ଜରିଆରେ ସାମିଲ ହେବେ। ୬ ଜଣ ବିଧାୟକମାନଙ୍କ ପାଇଁ ସଚିବାଳୟର ଦ୍ବିତୀୟ ମହଲାରେ ଥିବା ଭିଡିଓ କନ୍‌ଫରେନ୍‌ସିଂ ହଲରେ ବ୍ୟବସ୍ଥା କରାଯାଇଛି। ଖବର ସଂଗ୍ରହ ପାଇଁ ଛାପା ଗଣମାଧ୍ୟମର ପ୍ରତିନିଧିମାନେ ବିଧାନସଭା ନୂତନ କନ୍‌ଫରେନ୍‌ସ ହଲରେ ବସିବେ।

ସରକାର ପୂର୍ବରୁ ଜାରି କରିଥିବା ୯ଟି ଅଧ୍ୟାଦେଶ ସମ୍ପର୍କିତ ବିଲ ଏହି ଅଧିବେଶନରେ ପାରିତ କରାଯିବ। ଏହାବ୍ୟତୀତ ଓଡ଼ିଶା ନୌବାଣିଜ୍ୟ ବୋର୍ଡ଼ ବିଲ୍‌-୨୦୨୦, ଓଡ଼ିଶା ଲୋକାୟୁକ୍ତ (ସଂଶୋଧନ) ବିଲ୍‌-୨୦୨୦, ସୋସାଇଟି ପଞ୍ଜୀକରଣ (ଓଡ଼ିଶା ସଂଶୋଧନ) ବିଲ୍‌-୨୦୨୦, ଓଡ଼ିଶା ସାଧାରଣ ପାଠାଗାର (ସଂଶୋଧନ) ବିଲ୍‌-୨୦୨୦, ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ସଂଶୋଧନ) ବିଲ୍‌-୨୦୨୦ (ଇଡକୋ), ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ସଂଶୋଧନ ବିଲ୍‌-୨୦୨୦ ଓ ଓଡ଼ିଶା ଲୋକାଲ୍‌ ଫଣ୍ଡ୍‌ ଅଡିଟ୍‌ (ସଂଶୋଧନ) ବିଲ୍‌-୨୦୨୦ ଗୃହରେ ଆଗତ କରିବାକୁ ସରକାର ସ୍ଥିର କରିଛନ୍ତି।

କୋଭିଡ୍‌ ମହାମାରୀ ସମୟରେ ଏହି ଅଧିବେଶନ ବସୁଥିବାରୁ ସାମାଜିକ ଦୂରତା ଓ ସଂକ୍ରମଣ ପ୍ରତିହତ ପାଇଁ ଯେଉଁ ବିଧାୟକମାନେ ଚାହିଁବେ ଗୃହକୁ ନ ଆସି ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରୁ ଭିଡିଓ କନଫରେନ୍‌ସିଂ ଜରିଆରେ ଗୃହ କାର୍ଯ୍ୟରେ ଯୋଗ ଦେଇପାରିବେ। ମନ୍ତ୍ରୀ ଶ୍ରୀ ମଲ୍ଲିକ ଢେଙ୍କାନାଳ ଜିଲ୍ଲାରେ, ବିରୋଧୀ ଦଳ ଉପନେତା ତଥା ବିଜେପି ବିଧାୟକ ଶ୍ରୀ ସେଠୀ ଭଦ୍ରକଠାରେ, ବିଜେଡିର କଣ୍ଟାମାଳ ବିଧାୟକ ଶ୍ରୀ ରଣା ବୌଦ୍ଧ, ଓ ବିଧାୟକ ଶ୍ରୀ ଢୋଲକିଆ ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରୁ ଅଧିବେଶନ ବସୁଥିବା ଦିନଗୁଡ଼ିକରେ ଗୃହ କାର୍ଯ୍ୟରେ ସାମିଲ ହେବା ପାଇଁ ବ୍ୟବସ୍ଥା ହୋଇଛି। ଏହାସହିତ ସଚିବାଳୟର ଦ୍ବିତୀୟ ମହଲାରୁ ଭିଡିଓ କନଫରେନ୍‌ସିଂ ଜରିଆରେ ବରିଷ୍ଠ ବିଧାୟିକା ଉଷା ଦେବୀ, ସାବିତ୍ରୀ ଅଗ୍ରଓ୍ବାଲ୍‌, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ବଦ୍ରି ନାରାୟଣ ପାତ୍ର, ଶଶିଭୂଷଣ ବେହେରା ଓ ନିତ୍ୟାନନ୍ଦ ସାହୁ ଗୃହ କାର୍ଯ୍ୟରେ ଭାଗ ନେବେ।

ସମ୍ବନ୍ଧିତ ଖବର