ରାଜ୍ୟରେ ଉଦ୍‌ଘାଟିତ ହେଲା ୧୬ ଶିଶୁମିତ୍ର ଥାନା

ଭୁବନେଶ୍ବର : ସୋମବାର ଦିନ ଭର୍ଚୁଆଲ ମୋଡରେ ଭୁବନେଶ୍ବର ସମେତ ରାଜ୍ୟରେ ୧୬ଟି ସ୍ଥାନରେ ଶିଶୁମିତ୍ର ଥାନା ଉଦ୍‌ଘାଟିତ ହୋଇ ଯାଇଛି। ଏସଏଫ୍ଏସଏଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ବରେ ଓଡ଼ିଶା ଜାତୀୟ ସ୍ତରରେ ହିଂସା ମୁକ୍ତ ରାଜ୍ୟ ଭାବେ ସୁନାମ ସୃଷ୍ଟି କରି ପାରିଛି। ପୁଲିସ ହେଉଛି ମହିଳା ଓ ଶିଶୁମାନଙ୍କର ବନ୍ଧୁ। ପ୍ରତିଷ୍ଠା ହୋଇଥିବା ଏହି ଥାନାଗୁଡ଼ିକ ମହିଳା ଓ ଶିଶୁମାନଙ୍କୁ ସେମାନଙ୍କ ଉପରେ ହେଉଥିବା ନିର୍ଯାତନାର ତଦନ୍ତ କରିବା ସହିତ ତୁରନ୍ତ ନ୍ୟାୟ ଦେବାରେ ସହାୟକ ହୋଇ ପାରିବ।

ଏହି ପଦକ୍ଷେପକୁ ପ୍ରଶଂସା କରି ପୁଲିସ ଡିଜିପି ଏସ୍‌ କେ ବନ୍‌ଶଲ୍ କହିଛନ୍ତି ଏହି ପଦକ୍ଷେପ ଲିଙ୍ଗଗତ ହିଂସା ପୀଡ଼ିତଙ୍କୁ ସଶକ୍ତ କରିବାରେ ସହଯୋଗ କରିବ। ବର୍ତମାନ ସେମାନେ ଗୋପନୀୟତା ସହିତ ବୃତ୍ତିଗତ ତଥା ମାନସିକ ସମର୍ଥନ ପାଇପାରିବେ। ଏହି ଥାନାରେ ଏମିତି ବ୍ୟବସ୍ଥା କରାଯାଇଛି ଅଭିଯୋଗକାରିଣୀ କିମ୍ବା ଶିଶୁଟିଏ ଥାନାକୁ ଆସିଲେ ସେ ଥାନାକୁ ନ ଆସିବା ଭଳି ଅନୁଭବ କରିବ। ଯେଉଁଠାରେ ସେମାନେ ବନ୍ଧୁତ୍ବପୂର୍ଣ୍ଣ ପରିବେଶ ପାଇବା ସହିତ ସମ୍ପର୍କ ହେଲଲ୍ପ ଡେସ୍କ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ପାରିବ।

କ୍ରାଇମବ୍ରାଞ୍ଚ ଏଡ଼ିଜି ଅରୁଣ ବୋଥ୍ରା କହିଛନ୍ତି ପୀଡ଼ିତଙ୍କୁ ଠିକ୍ ସମୟରେ ମାନସିକ ସ୍ତରରେ ସହଯୋଗ ଅନେକ ଜୀବନ ରକ୍ଷା କରି ପାରେ। ସେମାନଙ୍କ ମଧ୍ୟରୁ ଅନେକ ସାମାଜିକ କଳହକୁ ଭୟ କରି ଚରମ ପଦକ୍ଷେପ ଗ୍ରହଣ କରନ୍ତି। ଶିଶୁ ଓ ବନ୍ଧୁତ୍ବପୂର୍ଣ୍ଣ ଥାନା ସହିତ ହେଲ୍ପ ଡେସ୍କ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ସହଯୋଗ କରିବ ବୋଲି ସେ ଆତ୍ମବିଶ୍ବାସ ବ୍ୟକ୍ତ କରିଛନ୍ତି।

ଏହି ଅବସରରେ ଭୁବନେଶ୍ବର, ଜଗତସିଂହପୁର, ଯାଜପୁର ଟାଉନ, ନୟାଗଡ଼ ସଦର, ବାଲେଶ୍ବର ସୋ‌ର, ମୟୁରଭଞ୍ଜର ରାଇରଙ୍ଗପୁର, ରାଉରକେଲାର ସେକ୍ଟର-୧୯, କେଉଁଝର ଟାଉନ, ବରଗଡ଼ ପଦ୍ମପୁର, ସୋନପୁରର ବିନିକା, ଝାରସୁଗୁଡ଼ା, ଗଞ୍ଜାମର ଆସ୍କା, କଳାହାଣ୍ଡି ଭବାନୀପାଟଣା ସଦର, ଦେବଗଡ଼, ଢ଼େଙ୍କନାଳ ପୁଲିସ ଥାନା, ଅନୁଗୁଳ ନାଲକୋରେ ଶିଶୁମିତ୍ର ଥାନା ପ୍ରତିଷ୍ଠା ହୋଇଛି। ଆଗାମୀ ଦିନରେ ଆହୁରି ୨୦ଟି ଶିଶୁମିତ୍ର ଥାନା ଖୋଲିବାକୁ ଯୋଜନା ରହିଛି। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏଡିଜି ରେଖା ଲୋହାନୀ, ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଶୁଭା ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର