ରାୟଗଡ଼ା-ବିଶାଖାପାଟଣା ରେଳ ଲାଇନରେ ଅଘଟଣ : ଇଣ୍ଟରସିଟି ଧକ୍କାରେ ୧୬ ଗାଈ ମୃତ

ରାୟଗଡ଼ା : ରାୟଗଡ଼ା-ବିଶାଖାପାଟଣା ରେଳ ଲାଇନର ଲାଡ୍ଡା-ଜେମାଦେଇପେଣ୍ଠ ଷ୍ଟେସନ ମଧ୍ୟରେ ଥିବା ବଡ଼ହଂସା ଲେବଲ୍ କ୍ରସିଂରେ ଆଜି ସଂଧ୍ୟାରେ ଏକ ଅଘଟଣ ଘଟିଛି। ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ଟ୍ରେନ୍ ଧକ୍କାରେ ‌ ଲେବଲ୍ କ୍ରସିଂ ପାରି ହେଉଥିବା ୧୬ଟି ଗାଈର ମୃତ୍ୟୁ ହୋଇଛି। ଏହି ଅଘଟଣ ପରେ ଗ୍ରାମବାସୀ ରେଳ ଫାଟକ ନିକଟରେ ପହଞ୍ଚି କ୍ଷତିପୂରଣ ଦାବି କରିଛନ୍ତି। ଶେଷଖାଲ ପୁଲିସ, ରେଳ ସୁରକ୍ଷା ବଳ, ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ରେଳ ଟ୍ରାକ୍‌ ଉପରେ ଓ ପାର୍ଶ୍ବରେ ପଡ଼ିଥିବା ଗାଈଗୁଡ଼ିକର ମୃତଦେହକୁ ଗ୍ରାମବାସୀ ଉଦ୍ଧାର କରି ନେଇ ଯାଇଥିଲେ।

ବଡ଼ହଂସା ଗ୍ରାମର ୩୦ରୁ ଊର୍ଧ୍ବ ଗାଈ ଗାଁ ପାଖ ପାହାଡ଼କୁ ଚରିବାକୁ ଯାଇଥିଲେ। ସଂଧ୍ୟାରେ ଗାଈପଲ ଗାଁ ଅଭିମୁଖେ ଫେରୁଥିଲେ। କିଛ ଗାଈ ଲେବଲ୍ କ୍ରସିଂ ପାରି ହୋଇ ସାରିଥିବା ବେଳେ କିଛି ଗାଈ ପଛରେ ରହି ଯାଇଥିଲେ। ଏହି ସମୟରେ ବିଶାଖାପାଟଣାରୁ କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍ ଏହି ଲାଇନରେ ଆସୁଥିବା ସୂଚନା ପାଇ ରେଳଫାଟକ ଜଗୁଆଳି ଗେଟ୍ ପକାଇ ଦେଇଥିଲେ। ଫଳରେ ପଛରେ ଥିବା ୨୦ରୁ ଊର୍ଧ୍ବ ଗାଈ ରେଳ ଲାଇନ୍ ପାରି ହୋଇପାରି ନ ଥିଲେ। ଟ୍ରେନ୍ ଆସିବା ସମୟ ହୋଇଯାଇଥିବାରୁ ଜଗୁଆଳି ମଧ୍ୟ ଆଉ ଗେଟ୍ ଖୋଲି ପାରି ନ ଥିଲେ। ଫଳରେ ଫାଟକ ଭିତରେ ରହିଥିବା ଗାଈଗୁଡ଼ିକୁ ଟ୍ରେନ୍ ଧକ୍କା ଦେଇ ଚାଲି ଯାଇଥିଲା। ପାହାଡ଼ିଆ ଅଞ୍ଚଳ ହୋଇଥିଲେ ବି ଟ୍ରେନ୍‌ଟି ପ୍ରାୟ ୧୦୦ କିମି ବେଗରେ ଯାଉଥିଲା। ଟ୍ରେନ୍ ଧକ୍କାରେ ୧୬ଟି ଗାଈ ପ୍ରାଣ ହରାଇବା ସହ ରେଳ ଲାଇନ ଆଖପାଖକୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ପରେ ଟ୍ରେନ୍‌ଟି ୫ ମିନିଟ୍ ଅଟକିଥିଲା ଏବଂ ଡ୍ରାଇଭର ଏ ସଂପର୍କରେ ଲାଡ୍ଡା ଷ୍ଟେସନ ମ୍ୟାନେଜରକୁ ଅବଗତ କରିଥିଲେ। ଗାଈ ଚରାଳି ଏ ସଂପର୍କରେ ଗ୍ରାମବାସୀଙ୍କୁ ଖବର ଦେବା ପରେ ଗ୍ରାମବାସୀ ଲେଭଲ୍ କ୍ରସିଂ ନିକଟରେ ପହଞ୍ଚି ଘଟଣାର ପ୍ରତିବାଦ କରିବା ସହ ହୋ ହଲ୍ଲା କରିଥିଲେ। ମେଲେକା ଶୁକ୍ରୁ, ମେଲେକା ମୁକୁନା, ମେଲେକା ମାଲିସ୍, ଲାଡ୍ଡା ସରପଞ୍ଚ ଏ. ନାଗେଶ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ରେଳ ଫାଟକ ଜଗୁଆଳିଙ୍କ ସହ ଆଲୋଚନା କରିଥିଲେ। ସୂଚନା ପାଇ ରେଳ ସୁରକ୍ଷା ବଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।

ଅଘଟଣ ପରେ ବିଶାଖାପାଟଣା- ରାୟଗଡ଼ା ଲାଇନରେ ରେଳ ଚଳାଚଳ ସ୍ବାଭାବିକ ରହିଛି। ସେହିପରି ଗାଈ ପଲକୁ ଧକ୍କା ଦେଇଥିବା ବିଶାଶପାଟଣା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍ ନିର୍ଧାରିତ ସମୟ ସଂଧ୍ୟା ୫ଟା ୨୦ରେ ରାୟଗଡ଼ା ଷ୍ଟେସନରୁ କୋରାପୁଟ ଅଭିମୁଖେ ଯାତ୍ରା କରିଛି। ଏ ସଂପର୍କରେ କୋରାପୁଟ ଷ୍ଟେସନ ମ୍ୟାନେଜର୍ ପି.ସି. ସେଠୀଙ୍କୁ ପଚାରିବାରୁ ବିଭାଗୀୟ ଅଧିକାରୀ ଘଟଣାର ତଦନ୍ତ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର