କଟକ: ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଉପକରଣ ଓ ଶରୀରରେ ଲାଗୁଥିବା ସାମଗ୍ରୀ ଯୋଗାଣରେ ସମସ୍ୟା ବଢିବାରେ ଲାଗିଛି। ଯେଉଁ ସବୁ ସଂସ୍ଥା ଏହି ସାମଗ୍ରୀ ଅଥବା ଉପକରଣ ଯୋଗାଉଛନ୍ତି, ସେମାନଙ୍କର ପାଖାପାଖି ୧୬ କୋଟି ଟଙ୍କା ଏସ୍ସିବି ଉପରେ ବାକି ପଡିଛି। ଫଳରେ ଠିକ୍ ସମୟରେ ସାମଗ୍ରୀ ଅଥବା ଉପକରଣ ମିଳିବାରେ ସମସ୍ୟା ହେଉଛି। ଯେଉଁ ଉପକରଣ ତିନି ଦିନରେ ମିଳି ଯାଉଥିଲା, ତାହା ପାଇବାକୁ ଏବେ ସପ୍ତାହେରୁ ଅଧିକ ଦିନ ଲାଗିଯାଉଛି। ଯାହାଫଳରେ ଗୁରୁତର ରୋଗୀ ସମସ୍ୟାରେ ପଡିବା ସହିତ ଅସ୍ତ୍ରୋପଚାର ବି ବିଳମ୍ବିତ ହେଉଛି। ଗତମାସରେ ଏସ୍ସିବି ଗସ୍ତରେ ସ୍ବାସ୍ଥ୍ୟ ମନ୍ତ୍ରୀ ଆସିଥିବା ବେଳେ ଏହି ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସପ୍ତାହେ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ବି ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁନି।
ରାଜ୍ୟର ସବୁଠାରୁ ବଡ ରେଫରାଲ ସରକାରୀ ମେଡିକାଲ କଲେଜ ଏସ୍ସିବିକୁ ପ୍ରତ୍ୟେକ ଦିନ ହାରାହାରି ଭାବେ ୬ରୁ ୭ ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ବିଭିନ୍ନ ୱାର୍ଡରେ ହାରାହାରି ଭାବେ ୩ରୁ ୪ହଜାର ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି। ଏସ୍ସିବିକୁ ନିରାମୟ ଯୋଜନାରେ ମାଗଣାରେ ଔଷଧ ଆସୁଥିବାବେଳେ ଯାହା ନିରାମୟ ବା ଓଏସ୍ଏମ୍ସିଏଲ୍ ଦେଉନି ସେହି ସବୁ ଉପକରଣ, ଦାମୀ ଔଷଧ ସବୁ ଏସ୍ସିବିର ସ୍ବୀକୃତିପ୍ରାପ୍ତ ଭେଣ୍ଡରମାନଙ୍କଠାରୁ କ୍ରୟ କରାଯାଇଥାଏ। ବିଭିନ୍ନ ବିଭାଗର ଆବଶ୍ୟକତା ଅନୁଯାୟୀ ତାଲିକା ପ୍ରସ୍ତୁତ କରାଯାଇ ଉକ୍ତ ସ୍ବୀକୃତିପ୍ରାପ୍ତ ଭେଣ୍ଡରମାନଙ୍କ ଠାରୁ ଅଣାଯାଇଥାଏ। ପୂର୍ବରୁ ଔଷଧ ଓ ଉପକରଣ ଇତ୍ୟାଦି ଠିକ ସମୟରେ ମିଳି ଯାଉଥିଲା। ଏବେ କିନ୍ତୁ ୧୬ କୋଟି ଟଙ୍କା ବାକି ପଡିଥିବାରୁ ଉକ୍ତ ସ୍ବୀକୃତିପ୍ରାପ୍ତ ଭେଣ୍ଡରମାନେ ଜଗିରଖି ସାମଗ୍ରୀ ଯୋଗାଣ କରୁଛନ୍ତି। ଏଭଳି ପରିସ୍ଥିତିରେ ଆଇସିୟୁରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ଚିକିତ୍ସା ବି ବାଧାପ୍ରାପ୍ତ ହେଉଛି। ଜୁନ ୨୫ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏସ୍ସିବି ଗସ୍ତରେ ଆସିଥିବାବେଳେ ଏହି ବକେୟା ସମସ୍ୟା ସଂପର୍କରେ ସମସ୍ତ ବିଭାଗୀୟ ମୁଖ୍ୟ, ଅଧ୍ୟକ୍ଷ ଓ ଅଧୀକ୍ଷକ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ବାସ୍ଥ୍ୟ ସଚିବଙ୍କ ସହିତ ଆଲୋଚନା କରି ସପ୍ତାହେ ଭିତରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମାସକ ପରେ ବି ଏହାର ସମାଧାନ ହୋଇପାରିନି। ବକେୟା ପ୍ରାପ୍ୟ ପାଇଁ ସଂସ୍ଥାମାନେ ଅଧୀକ୍ଷକଙ୍କୁ ସାକ୍ଷାତ କରି ସେମାନଙ୍କ ପ୍ରାପ୍ୟ ପ୍ରଦାନ ସଂପର୍କରେ ନିବେଦନ କରିଥିବାବେଳେ ଅଧୀକ୍ଷକ ଏ ସଂପର୍କରେ ଡିଏମ୍ଇଟିଙ୍କ ସହ ଆଲୋଚନା କରାଯାଇଥିବା ନେଇ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/SCB-Medical.jpg)