ହୀରାକୁଦ ଡ୍ୟାମ୍‌ରୁ ୧୬ଟି ଗେଟ୍‌ ଦେଇ ଏବେ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌କୁ ବନ୍ୟା ଜଳ ପ୍ରବେଶ କରୁଛି। ଆଜି ଅପରାହ୍ନରେ ହୀରାକୁଦ ଡ୍ୟାମ୍‌କୁ ଯେଉଁ ପରିମାଣରେ ଜଳ ପ୍ରବେଶ କରୁଛି, ଏହାର ଅଧ ପରିମାଣରେ ଜଳ ନିଷ୍କାସନ କରାଯାଉଛି। ରିପୋର୍ଟ ଲେଖାଯିବା ବେଳକୁ ହୀରାକୁଦ ଡ୍ୟାମ୍‌କୁ ସେକେଣ୍ଡ ପିଛା ୫ ଲକ୍ଷ ୨୪ ହଜାର କ୍ୟୁସେକ୍‌ ଜଳ ପବେଶ କରୁଥିବା ବେଳେ ଡ୍ୟାମ୍‌ରୁ ୨ ଲକ୍ଷ ୪୮ ହଜାର କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି।

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ୬୨୧ ଫୁଟ ଜଳ ରହିଥିବା ବେଳେ ଛତିଶଗଡ଼ରେ ବର୍ଷା ହୋଇଥିବାରୁ ଏଠାରେ ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ଉପୁଜିଛି। ଅନ୍ୟପଟରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ଷା ଯୋଗୁଁ ବିଗତ ୩ ଦିନ ହେବ ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ଏହି ଜିଲ୍ଲାଗୁଡ଼ିକ ଦେଇ ପ୍ରବାହିତ ହୋଇଥିବା ନଦୀ, ଶାଖା ନଦୀ, ନାଳ ଗୁଡ଼ିକରେ ବନ୍ୟା ଜଳ ଆସିଛି। ଏହି କାରଣରୁ ମହାନଦୀରେ ଅଧିକ ଜଳ ପ୍ରବାହିତ ହୋଇ ତଳ ଅଂଚଳରେ ବନ୍ୟା ହେବାର ଆଶଙ୍କା ଉପୁଜିଛି।

ମହାନଦୀର ବରମୂଳ ଠାରେ ୬.୮୩ ଲକ୍ଷ, ମୁଣ୍ଡଳିରେ ୭.୬୦ ଲକ୍ଷ, ବେଲଗାଁରେ ୬୧ ହଜାର, ପର୍ଥଲାରେ ୧.୬୩ ଲକ୍ଷ, ଖଇରମାଳରେ ୫.୦୨ ଳକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ତେବେ ହୀରାକୁଦ ଡ୍ୟାମରୁ ଛଡ଼ାଯାଇଥିବା ପାଣି ତଳ ମୁଣ୍ଡର ପାଣି ସହିତ ମିଶିଗଲେ ମହାନଦୀରେ ବନ୍ୟା ଜଳ ଅଧିକ ପ୍ରବାହିତ ହୋଇପାରେ।

ସମ୍ବନ୍ଧିତ ଖବର