ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗ୍ରାମରେ ଆଦିବାସୀମାନଙ୍କୁ ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସ ଓ ପ୍ରଲୋଭନ ଦେଖାଇ ଧର୍ମାନ୍ତରୀକରଣ କରାଯାଉଛି। ଘଟଣାକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ୩/୪ମାସ ପୂର୍ବରୁ ଉକ୍ତ ଗ୍ରାମର ଦୁଇଟି ଆଦିବାସୀ ପରିବାରର ୧୬ ଜଣଙ୍କୁ ଧର୍ମାନ୍ତରୀକରଣ କରାଯାଇଥିଲା। ଘଟଣାକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ୭/୮ଦିନ ହେବ ଗ୍ରାମବାସୀ ଉକ୍ତ ଦୁଇଟି ପରିବାରର ୧୬ ଜଣଙ୍କୁ ବାସନ୍ଦ କରିଥିଲେ। ଏହାପରେ ଏହି ଘଟଣାକୁ ଆଦିବାସୀ ସମାଜ ପକ୍ଷରୁ ବିରୋଧ କରାଯାଇ ଥାନାରେ ଅଭିଯୋଗ କରାଯାଇଥିଲା।
ଅଭିଯୋଗ ପରେ ବାମେବାରୀ ପୁଲିସ ସୋମବାର ଗ୍ରାମବାସୀଙ୍କ ସହିତ ଏ ନେଇ ଆଲୋଚନା କରିଥିଲା। ଧର୍ମାନ୍ତରୀକରଣର ଶିକାର ହୋଇଥିବା ଗ୍ରାମରେ ଏହି ଦୁଇ ପରିବାର ମୂଳଧର୍ମକୁ ଫେରିବେ ବୋଲି ଗ୍ରାମବାସୀଙ୍କୁ ପୁଲିସ ଉପସ୍ଥିତରେ କହିଥିଲେ। ମଙ୍ଗଳବାର ଗ୍ରାମରେ ବୈଠକ କରି ୧୬ ଜଣଙ୍କୁ ସ୍ଵଧର୍ମକୁ ଫେରାଇ ନେବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ପୁଲିସ ସୂଚନା ଦେଇଛି।
ପୁଲିସର ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ରାଜ୍ୟରୁ ନିର୍ଦ୍ଦିଷ୍ଟ ଧର୍ମର ଲୋକମାନେ ଆସି କନକନା ଓ ଭୋଳବେଡ଼ା ଗ୍ରାମର ଆଦିବାସୀଙ୍କୁ ବିଭିନ୍ନ ପ୍ରଲୋଭନ ଓ ଅନ୍ଧବିଶ୍ୱାସ ଜନ୍ମାଇ ନିଜ ଧର୍ମଆଡ଼କୁ ଆକୃଷ୍ଟ କରୁଛନ୍ତି। ଆଦିବାସୀ ଗ୍ରାମଗୁଡ଼ିକରେ ଲୋକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି। ଆଦିବାସୀ ଗ୍ରାମଗୁଡିକରେ ଚାଲିଥିବା ଧର୍ମାନ୍ତରୀକରଣକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।