କଳାପଥର ପାଇଁ ଗୋଷ୍ଠୀସଂଘର୍ଷ: ୧୬ ଆହତ

ଯାଜପୁର/ଧର୍ମଶାଳା : ଧର୍ମଶାଳା ତହସିଲ ଅଧୀନ ରାହାଡପୁର ପାହାଡ଼ର କଳାପଥର ଚୋରା କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁରୁବାର ଦିନ ରକ୍ତାକ୍ତ ସଂଘର୍ଷ ହୋଇଛି। ଏହି ସଂଘର୍ଷରେ ୧୬ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଜେନାପୁର ଥାନା ପୁଲିସ ପହଞ୍ଚିଛି।

ପ୍ରକାଶ ଥାଉକି ବିଛାଖଣ୍ଡି, ଆରୁହା, ଡଙ୍କାରୀ ପ୍ରଭୃତି ପାହାଡ଼ର ଖାଦାନ ଏକ ପ୍ରକାର ବନ୍ଦ ରହିଥିବା ବେଳେ ରାହାଡ଼ପୁର ପାହାଡ଼ ଉପରେ ମାଫିଆଙ୍କ ଆଖି ପଡ଼ିଛି। ରାହାଡ଼ପୁର ପାହାଡ଼ରେ ଗୋଟିଏ ସୈରାତ ନିଲାମ ଥିବା ବେ‌ଳେ ଅନ୍ୟଗୁଡ଼ିକରୁ ମଧ୍ୟ ବ୍ୟାପକ ଚୋରି ଚାଲିଛି। ଗତ ୭ତାରିଖରେ ଓଭରଲୋଡ଼ ପଥର ଚାଲାଣ ହେଉଥିବା ବେଳେ ଗୋଟିଏ ଗୋଷ୍ଠୀ ଆରଟିଓ, ପୁଲିସ ଓ ତହସିଲକୁ ସୂଚନା ଦେବାରୁ ୮ଟି ଗାଡ଼ି ଜବତ ହୋଇଥିଲା। ସେବେ ଠାରୁ ଉଭୟ ଗୋଷ୍ଠୀ ଛକାପଞ୍ଝାରେ ଥିବା ବେଳେ ଗୁରୁବାର ଅପରାହ୍‌ଣରେ ଏକ ଗୋଷ୍ଠୀ ବଜାରକୁ ଫେରୁଥିବା ବେଳେ ବିପକ୍ଷ ଗୋଷ୍ଠୀ ସେମାନଙ୍କୁ ଗାଳିଗୁଲଜ କରିଥିଲେ। ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏହି ଘଟଣାରେ ୧୬ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି।

ଆହତ ପଦନ ଦେହୁରୀ(୫୦), ଯଦୁମଣି ଦେହୁରୀ(୪୬), ପତ୍ନୀ ଶାନ୍ତିଲତା ଦେହୁରୀ(୪୧), ବିପିନ ଦେହୁରୀ(୨୨), ଟୁରିଆ ଦେହୁରୀ(୪୫), ମଙ୍ଗୁଳି ଦେହୁରୀ(୫୫), ବର୍ଷା ଦେହୁରୀ(୧୨), ସନାତନ ଦେହୁରୀ(୩୦) ଓ ଘନିଆ ଦେହୁରୀ(୪୦) ପ୍ରମୁଖ ଡାକ୍ତରଖାନାକୁ ଆସିଥିଲେ। ସେହିପରି ପାଣ୍ତବ ସାହାଣିଙ୍କ ପୁଅ ପ୍ରଭାକର(୩୦), ଏକନ ସାହାଣିଙ୍କ ପୁଅ ବଳରାମ(୩୫), ଦୁଃଖୀଶ୍ୟାମ ସାହାଣିଙ୍କ ପୁଅ ରଂଜନ(୩୪), ସୁନାକର ପ୍ରଧାନ, ଗୌରାଙ୍ଗ ସାହାଣି, ସୁଦାମ ସାହାଣି ଓ ରାଜୁ ପ୍ରଧାନ ପ୍ରମୁଖ ଆହତ ହୋଇଥିବା ଖବର ମିଳିଛି। ଦେହୁରୀ ପରିବାରର ଆହତମାନଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଖବର ପାଇ ଜେନାପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରାହାଡପୁର ପାହାଡରୁ କଳାପଥର ପରିବହନ କରୁଥିବା ଗାଡିଗୁଡିକରୁ ଆଦାୟ ହେଉଥିବା ଟଙ୍କା ଭାଗବଣ୍ଟାକୁ ନେଇ ଏଭଳି ଗଣ୍ଡଗୋଳ ଘଟିଥିବା ଆଲୋଚନା ହେଉଛି। ଦିନକୁ ଦିନ ରାହାଡ଼ପୁର ଅଞ୍ଚଳରେ ଆଇନ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। କଳାପଥର କେଳେଙ୍କାରୀ ଏହାର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର