ଶିକ୍ଷକତାକୁ ବ୍ରତ ଭାବେ ଗ୍ରହଣ କର: ୧୬ ଜଣ ଅଧ୍ୟାପକ/ଅଧ୍ୟାପିକାଙ୍କୁ ମିଳିଲା ନିଯୁକ୍ତିପତ୍ର

ଭୁବନେଶ୍ବର: ଶିକ୍ଷା ଦ୍ବାରା ସମାଜରେ ନୂତନ ‌ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇପାରିବ। ତେଣୁ ଶିକ୍ଷକତାକୁ ବୃତ୍ତି ନ ଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆହ୍ବାନ ଦେଇଛନ୍ତି। ଆଜି କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନବନିଯୁକ୍ତ ଅଧ୍ୟାପକ-ଅଧ୍ୟାପିକାଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବା ଅବସରରେ ସେ ଏହା କହିଛନ୍ତି।

ନିଯୁକ୍ତି ପତ୍ର ପାଇଥିବା ୧୬ ଜଣ ଅଧ୍ୟାପକ/ଅଧ୍ୟାପିକାଙ୍କ ମଧ୍ୟରେ ୧୪ଜଣ ଦିବ୍ୟାଙ୍ଗ ରହିଛନ୍ତି। ଏଥିସହ ଜଣେ କ୍ରୀଡ଼ାବିତ୍‌ ଓ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଇଂରାଜୀରେ ସର୍ବାଧିକ ୪ ଜଣ, ରାଜନୀତି ବିଜ୍ଞାନରେ ୩ ଜଣ, ଦର୍ଶନଶାସ୍ତ୍ର, ଲଜିକ୍‌ ଓ ଉଦ୍ଭିଦ ବିଜ୍ଞାନରେ ଦୁଇ ଜଣ ଲେଖାଏ ନିଯୁକ୍ତି ପାଇଛନ୍ତି। ଏହାବ୍ୟତୀତ ଗଣିତ, ବାଣିଜ୍ୟ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନରେ ଜଣେ ଲେଖାଏ ଅଧ୍ୟାପକ/ଅଧ୍ୟାପିକାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର, ଯୁଗ୍ମ ସଚିବ ସୁରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସିଲେକ୍ସନ ବୋର୍ଡକୁ ୮୩୩ ଅଧ୍ୟାପକ ପଦ ନିମନ୍ତେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲା। ଏପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ୫୮୮ ପଦ ପୂରଣ ହୋଇଥିଲା। ଏଭଳି ନିଯୁକ୍ତି ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର