ଖଣି ଶିଳ୍ପକୁ ଲାଗିପାରେ ଧକ୍କା, ୨୦୨୦ ମାର୍ଚ୍ଚ ପରେ ବଢ଼ିବନି ଲିଜ୍ ଅବଧି

ଉଚ୍ଚସ୍ତରୀୟ କମିଟି ସୁପାରିସ କାର୍ଯ୍ୟକାରୀ କରିବ କେନ୍ଦ୍ର, ଓଡ଼ିଶାରେ ୧୬ଟି ଲୁହାପଥର ଖଣି ବନ୍ଦ ହେବ, ଖଣି ମନ୍ତ୍ରୀ କହିଲେ, କୌଣସି ପ୍ରଭାବ ପଡ଼ିବ ନାହିଁ

ନୂଆଦିଲ୍ଲୀ/ ଭୁବନେଶ୍ବର : ଦେଶର ଖଣି ଶିଳ୍ପକୁ ବଡ଼ ଧକ୍କା ଲାଗିପାରେ। ଆସନ୍ତାବର୍ଷ ମାର୍ଚ୍ଚ ୩୧ ତାରିଖରେ ୫୦ ବର୍ଷ ପୂରଣ ହେଉଥିବା ଅଣ-କ୍ୟାପ୍‌ଟିଭ ଖଣି ଗୁଡ଼ିକର ଲିଜ୍ ଅବଧି ଶେଷ ହେଉଥିବାବେଳେ ଏଗୁଡ଼ିକର ଅବଧି ବୃଦ୍ଧି ସଂକ୍ରାନ୍ତ ଏକ ପ୍ରସ୍ତାବକୁ େକନ୍ଦ୍ର ସରକାର ଖାରଜ କରିବାକୁ ଯାଉଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଦେଶରେ ୩୩୪ଟି ଖଣିକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି କରିଛି। ଏହି ଖଣି ଗୁଡ଼ିକ ଦେଶର ୧୦ଟି ରାଜ୍ୟରେ ରହିଛି। ସେଗୁଡ଼ିକୁ ଟାଟା ଷ୍ଟିଲ, ବେଦାନ୍ତ ଲିମିଟେଡ, ଏସେଲ ମାଇନିଂ, ଭି ଏମ୍ ସାଲଗାଓକର ଏବଂ ରୁଙ୍ଗଟା ମାଇନ୍ସ ଭଳି ବଡ଼ କଂପାନି ବ୍ୟବହାର କରୁଛନ୍ତି। ଏ ମଧ୍ୟରୁ ୪୬ଟି ଖଣିରୁ ବିପୁଳ ପରିମାଣର ଲୁହାପଥର, ମାଙ୍ଗାନିଜ୍ ଏବଂ କ୍ରୋମାଇଟ ଉତ୍ତୋଳନ ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ଖଣି ଶିଳ୍ପର ପ୍ରମୁଖ ସମସ୍ୟାକୁ ଚିହ୍ନଟ କରିବା ଏବଂ ତାହାକୁ ଦୂର କରିବା ଲାଗି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ଏକ କମିଟି ସୁପାରିସ କରିଛି ଯେ, ଯେଉଁ ଖଣି ଗୁଡ଼ିକ ୫୦ ବର୍ଷ ଧରି କାର୍ଯ୍ୟକ୍ଷମ ରହିଛି ସେଗୁଡ଼ିକର ଲିଜ୍ ଅବଧି ଆସନ୍ତା ୨୦୨୦ ମାର୍ଚ୍ଚ ୩୧ ତାରିଖରେ ଶେଷ ହେବ। ଏହା ପରେ ଖଣିଗୁଡ଼ିକୁ ନିଲାମ ଜରିଆରେ ପୁଣି ଥରେ ଆବଣ୍ଟନ କରାଯିବ। ଖଣି ଓ ଖଣିଜ (ବିକାଶ ଓ ନିୟାମକ (ସଂଶୋଧିତ) ଆଇନ ୨୦୧୫ରେ କରାଯାଇଥିବା ବ୍ୟବସ୍ଥା ଅନୁସାରେ ଏସବୁ ଖଣି ଗୁଡ଼ିକର ଲିଜ୍ ଅବଧି ଶେଷ ହେବାକୁ ଯାଉଛି। ତେବେ ଏଥିପାଇଁ ଦେଶ ଭିତରେ ସ୍ଥାପିତ ହୋଇଥିବା ଶିଳ୍ପ ସଂସ୍ଥାଗୁଡ଼ିକ କଞ୍ଚାମାଲ ସମସ୍ୟା ସାମ୍ନା କରିବେ ନାହିଁ। କାରଣ ପାଞ୍ଚ ବର୍ଷ ପୂର୍ବରୁ ସେମାନେ ଜାଣିଛନ୍ତି ଆଗକୁ ଏହାହିଁ ହେବାକୁ ଯାଉଛି। ତେଣୁ ଏହି ଖଣି ଗୁଡ଼ିକର ଲିଜ୍ ଅବଧି ଜାରି ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି କମିଟି ମତ ଦେଇଛି। ସରକାର ଏବେ କମିଟିର ସୁପାରିସ୍‌ଗୁଡ଼ିକୁ ଅନୁଧ୍ୟାନ କରୁଛନ୍ତି। ଖୁବ୍‌ଶୀଘ୍ର ଏ ନେଇ ଏକ କ୍ରିୟାନ୍ବୟନ ଯୋଜନା ପ୍ରକାଶ ପାଇପାରେ।

ଅନ୍ୟପକ୍ଷରେ ଏବେ କଞ୍ଚାମାଲ ଉତ୍ତୋଳନ ହେଉଥବା ସମସ୍ତ ଅଣ-କ୍ୟାପ୍ଟିଭ ଖଣିର ଅବଧିକୁ ୨୦୨୦ ମସିହା ପରେ ୧୦ ବର୍ଷ ପାଇଁ ବୃଦ୍ଧି କରିବା ନିମନ୍ତେ ଦାବି ହେଉଛି।

ଏପରିକି ଏହା ପରେ ଆଉ ୨୦ ବର୍ଷ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିବା ବିଷୟକୁ ମଧ୍ୟ ବିଚାରକୁ ନେବା ଲାଗି ଖଣି ଶିଳ୍ପ ଦାବି କରିଆସୁଛି।

ତେବେ ଖଣି ଲିଜ୍ ଅବଧି ବୃଦ୍ଧି କରିବାକୁ ଉଚ୍ଚସ୍ତରୀୟ କମିଟି ମନା କରିଥିଲେ ମଧ୍ୟ ଏହା କହିଛି ଯେ, ନିଲାମ ପରେ ନୂଆ ଲିଜ୍‌ଧାରୀମାନେ ମଞ୍ଜୁରିପ୍ରାପ୍ତ ଯୋଜନା ଏବଂ ପରିବେଶ ଅନୁମତି ଆଧାରରେ ପ୍ରଥମ ୨ ବର୍ଷ ଖଣି ଖନନ କରିପାରିବେ। ତେଣୁ ପୁରୁଣା ଲିଜଧାରୀଙ୍କ ପରିବର୍ତ୍ତେ ନୂଆ ଖଣି ଲିଜଧାରୀମାନେ ଖଣି ହାତକୁ ନେବା ଏବଂ ପରିଚାଳନା କରିବା ପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଖାଦେବାକୁ ଥିବା ଅସୁବିଧା ସାମ୍ନା କରିବେ ନାହିଁ। ଏଥିସହିତ ନୂଆ ଲିଜଧାରୀଙ୍କୁ ପରିବେଶ ଓ ଜଙ୍ଗଲ ମଞ୍ଜୁରି ଆବେଦନ ନିମନ୍ତେ ଆବଶ୍ୟକ ସମୟ ମିଳିବ। ଏପରିକି ଆବଶ୍ୟକ ପଡ଼ିଲେ ଏମ୍‌ଏମ୍‌ଡିଆର ଆଇନ ୨୦୧୫ରେ ପୁଣି ଥରେ ସଂଶୋଧନ ହୋଇପାରେ।

ଖଣି ଶିଳ୍ପ ପାଇଁ ଗଠନ କରାଯାଇଥିବା କମିଟିରେ କ୍ୟାବିନେଟ ସଚିବଙ୍କ ସହିତ ଖଣି, ଇସ୍ପାତ, କୋଇଲା, ରାଜସ୍ବ ଏବଂ ଅର୍ଥ ବିଭାଗର ସଚିବମାନେ ସଦସ୍ୟ ରହିଥିଲେ।

େତବେ େକନ୍ଦ୍ର ସରକାର ଖଣି ନିଲାମ ନେଇ ଅଟଳ ଥିବା କାରଣରୁ ମାନ୍ଦାବସ୍ଥା ଦ୍ବାରା ପ୍ରଭାବିତ ହୋଇଥିବା ଖଣି ଭିତ୍ତିକ ଶିଳ୍ପ ପାଇଁ ଅଣ କ୍ୟାପ୍ଟିଭ ଖଣିର ଲିଜ୍ ଅବଧି ବୃଦ୍ଧି ନହେବା ଚିନ୍ତାର ବିଷୟ ପାଲଟିଛି। ଖଣି ଭିତ୍ତିକ ଶିଳ୍ପର ଉତ୍ପାଦନ ପ୍ରଭାବିତ େହାଇପାରେ େବାଲି ସେମାନେ ଆଶଙ୍କା କରାଯାଉଛି। ଏଥିସହିତ ଖଣି ଏବଂ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକରେ କାର୍ଯ୍ୟରତ ଲକ୍ଷ ଲକ୍ଷ କର୍ମଚାରୀ ମଧ୍ୟ ସେମାନଙ୍କ ଚାକିରି ହରାଇବା ଆଶଙ୍କା ରହିଛି ‌େବାଲି କିଛି କୁହାଯାଉଛି।

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଓଡ଼ିଶା ବିଶେ‌ଷ ଭାବରେ ପ୍ରଭାବିତ ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। କମିଟିର ସୁପାରିସ୍‌ ଲାଗୁ ହେଲେ ଓଡ଼ିଶାରେ ୧୬ଟି ଲୁହାପଥର ଖଣି ବନ୍ଦ ହୋଇଯିବ। ଏଥିଯୋଗୁ ବାର୍ଷିକ ୮୦ ନିୟୁତ ଟନ୍ କ୍ଷମତାର ଲୁହାପଥର ଉତ୍ପାଦନ ଠପ୍ ହୋଇଯିବ। ବିଶେଷକରି କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ରହିଥିବା ଖଣିଗୁଡ଼ିକ ବନ୍ଦ ହେବ। ସେଗୁଡ଼ିକ ମଧ୍ୟରେ ବଲ୍‌ଦା, ଜିଲିଂ, ଜଜାଙ୍ଗ ଆଦି ଖଣି ରହିଛି। ଏହା ହେଲେ ନିଜସ୍ବ ଖଣି ନଥାଇ ଓଡ଼ିଶାରେ ଇସ୍ପାତ କାରଖାନା ସ୍ଥାପନ କରିଥିବା ବିଭିନ୍ନ କମ୍ପାନିଙ୍କର କଞ୍ଚାମାଲ ସମସ୍ୟା ବଢ଼ିଯିବ। ଏହି ଖଣି ବନ୍ଦ ହେଲେ ଜେଏସପିଏଲ, ଜେଏସ୍‌ଡବ୍ଲ୍ୟୁ, ଭୂଷଣ ସମେତ ବିଭିନ୍ନ ସ୍ପଞ୍ଜ ଆଇରନ୍ କାରଖାନା ଏବଂ ପେଲେଟ୍‌ ଶିଳ୍ପ ପ୍ରଭାବିତ ହେବ। ଏପରିକି ଓଡ଼ିଶାରେ ଏସବୁ ଖଣିକୁ ଆଧାର କରି ଗଢ଼ି ଉଠିଥିବା ଶିଳ୍ପରେ କାର୍ଯ୍ୟ କରୁଥିବା ୪ ଲକ୍ଷ କର୍ମଚାରୀଙ୍କ ଜୀବିକା ବିପଦ ମଧ୍ୟକୁ ଠେଲି ହୋଇଯିବ।

ତେବେ, ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, କ୍ରୋମାଇଟ୍, ଲୁହାପଥର ଆଦି ୪୦ଟି ଖଣିର ନିଲାମ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ୮ଟି କ୍ରୋମାଇଟ୍ ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ େହାଇଗଲେଣି। ୨୦୨୦ ମାର୍ଚ୍ଚ ୩୧ ବେଳକୁ ଓଡ଼ିଶାର ୨୪ଟି ଖଣି ପ୍ରତି ବିପଦ ସୃଷ୍ଟି େହବ,ଅର୍ଥାତ୍ ସେମାନଙ୍କ କାର୍ଯ୍ୟ ଅବଧି ସରିବ। େକନ୍ଦ୍ର ସରକାର ଅନୁମତି ଦେବା କ୍ଷଣି ନିଲାମ ପ୍ରକ୍ରିୟା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିବେ।

ଶିଳ୍ପାୟନ ପ୍ରତି ବିପଦ ସୃଷ୍ଟି େହବା ଆଶଙ୍କାକୁ କିନ୍ତୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏଡ଼ାଇ ଯାଇଛନ୍ତି। କହିଛନ୍ତି, େଯଉଁ ସବୁ ଖଣି ଚାଲୁ ରହିଥିବ, େସସବୁରୁ କଞ୍ଚାମାଲ ଶିଳ୍ପାନୁଷ୍ଠାନ େଯାଗାଇବା ଉପରେ ସରକାର ବିଚାର କରିବେ। ଏଣୁ ଶିଳ୍ପାନୁଷ୍ଠାନ, ବଜାର ବା ନିଯୁକ୍ତି ଉପରେ ଏହାର କୌଣସି ପ୍ରଭାବ ପଡିବାର ନାହିଁ।

ସମ୍ବନ୍ଧିତ ଖବର