ଖଣିପ୍ରଭାବିତ ଅଞ୍ଚଳରେ ନିର୍ମିତ ୧୬ଟି ରାସ୍ତାର ଲୋକାର୍ପଣ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଖଣି ପ୍ରଭାବିତ ଅଞ୍ଚଳକୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସୁଗମ କରାଯାଉଛି। ଏହି କ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆକରି ନିର୍ମାଣ କରାଯାଇଥିବା ୧୬ଟି ରାସ୍ତାର ଲୋକାର୍ପଣ କରାଯାଇଛି। ଗୁରୁବାର ଦିନ ଲହୁଣୀପଡ଼ା ବ୍ଲକର ପ୍ରତାପପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ରାସ୍ତାଗୁଡ଼ିକର ଉଦଘାଟନ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଗ୍ରାଧିକାର ଭିତ୍ତିରେ ସଡ଼କ ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯିବା ଫଳରେ ଲୋକଙ୍କ ଜୀବନ ଜୀବିକାରେ ବିଶେଷ ଉନ୍ନତି ଆସିପାରୁଛି।

ଏହି ୧୬ଟି ରାସ୍ତା ଭିତରୁ ଲହୁଣୀପଡ଼ା ବ୍ଲକର ୧୨ଟି ରହିଥିବା ବେଳେ ୪ଟି କୋଇଡ଼ା ବ୍ଲକରେ ରହିଛି। ଏହି ରାସ୍ତା ନିର୍ମାଣ ହେବା ଫଳରେ ଲହୁଣୀପଡ଼ା ଏବଂ କୋଇଡ଼ା ବ୍ଲକର ୨୮ଟି ଗାଁର ୧୨ ହଜାରରୁ ଅଧିକ ଲୋକ ଉପକୃତ ହେବେ। ଏହି ୧୬ଟି ରାସ୍ତାର ଦୈର୍ଘ୍ୟ ୨୪ କିଲୋମିଟରରୁ ଅଧିକ। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ଏହି ରାସ୍ତାଗୁଡ଼ିକର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା।

ଲହୁଣୀପଡ଼ା ବ୍ଲକର ସାଧୁବାହାଲରୁ ଦିଗି, କର୍ଡାହୁଡ଼ିରୁ ପ୍ରତାପପୁର (ଭାୟା: ରେଙ୍ଗାଲବେଡ଼ା), ଠିଆବେର୍ନାରୁ କୁଡ଼ାପଡ଼ା, ସେଲ୍ ରୋଡରୁ ଦେଓଦେବପୁର (ଭାୟା: ଘାଟିତଳ), ଶଶରୁ ରୁଗୁଡ଼ି, ତଲବାହାଲିରୁ ଭୂୟାଁସାହି, ରଙ୍ଗମାଟିଆରୁ ରଙ୍ଗମାଟିଆ, ସାନନୂଆଗାଁରୁ ଗିରିଜାଟୋଲା, ସାନନୂଆଗାଁରୁ ଭୂୟାଁସାହି, ସନଜଲରୁ ତାଲଡିହି, ବୁଢ଼ାଭୂଇଁରୁ ବୁଢ଼ାଭୂଇଁ, ଲାଡ଼ାପାଣିରୁ ଲାଡ଼ାପାଣି ରାସ୍ତା ନିର୍ମାଣ କରାଯାଇଛି।

ସେହିପରି କୋଇଡ଼ା ବ୍ଲକରେ ୨୧୫ ନମ୍ବର ଜାତୀୟ ରାଜପଥରୁ ଟୁକୁଟୋଲା, ୨୧୫ ନମ୍ବର ଜାତୀୟ ରାଜପଥରୁ ରେଙ୍ଗାଲବେଡ଼ା ବସ୍ତି, ସୋୟାମ୍ବାରୁ ଚାରଢ଼ିପା, ବଡ଼ବାଲିଯୋରରୁ ସ୍କୁଲ ସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଛି।

ଏହି ଉଦଘାଟନୀ କାର୍ଯ୍ୟକ୍ରମ ବେଳେ ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ବଣାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ଲହୁଣୀପଡ଼ା ବିଡିଓ ଧନାଇ ଚରଣ ଟୁଡୁଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାସ୍ତା ସଂଯୋଗୀକରଣ ହେଉଛି ରାଜ୍ୟ ସରକାରଙ୍କର ଏକ ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ। ତେଣୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳ, ବିଶେଷକରି ଖଣି ପ୍ରଭାବିତ ଓ ଗ୍ରାମାଞ୍ଚଳକୁ ମୁଖ୍ୟ ବଜାର ବା ସହରାଞ୍ଚଳ ସହ ଯୋଡ଼ି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବନ ଜୀବିକା କ୍ଷେତ୍ରରେ ଲୋକଙ୍କ ପାଇଁ ଗମନାଗମନକୁ ସୁଗମ କରିବା ଉପରେ ପ୍ରାଥମିକତା ଦିଆଯାଉଛି। ରାସ୍ତା ନିର୍ମାଣ ଓ ଉନ୍ନତିକରଣ କରାଯିବା ସହିତ ଆବଶ୍ୟକ ସ୍ଥାନରେ ନୂଆ ରାସ୍ତା ଏବଂ ସେତୁ ନିର୍ମାଣ କରି ଗମନାଗମନକୁ ଉନ୍ନତ ଓ ସୁଗମ କରାଯାଉଛି।

ସମ୍ବନ୍ଧିତ ଖବର