କଳାହାଣ୍ଡିରେ ଜଣେ କରୋନା ଯୋଦ୍ଧାଙ୍କ ସମେତ ୧୬ ନୂଆ ପଜିଟିଭ୍‌, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୫୭

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଜି ଜଣେ କରୋନା ଯୋଦ୍ଧାଙ୍କ ସମେତ ୧୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ଜଣେ ଋଷିଆ ଫେରନ୍ତା ଅଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଏହି ସୂଚନା ଦିଆଯାଇଛି। ଜିଲ୍ଲାରେ ପ୍ରଥମ ଥର ପାଇଁ ଏକକାଳୀନ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି। ନୂଆ ଚିହ୍ନଟ ବ୍ୟକ୍ତିମାନଙ୍କର ମଧ୍ୟରୁ ୧୪ ଜଣ ପୁରୁଷ ଥିବା ବେଳେ ୨ ଜଣ ହେଉଛନ୍ତି ମହିଳା। ସେହିପରି କରୋନା ଯୋଦ୍ଧାଙ୍କ ସମେତ ୧୪ ଜଣ ଲାଞ୍ଜିଗଡ଼ ବ୍ଲକରେ ଥିବା ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ୧୧ ଜଣ ନିକଟରେ ତାମିଲନାଡୁରୁ ଫେରିଥିଲେ। ୨ ଜଣ ଗୁଜୁରାଟରୁ ଓ ଜଣେ କର୍ଣ୍ଣାଟକରୁ ଆସିଥିଲେ। ସେହିପରି କୋଭିଡ ଯୋଦ୍ଧା ସ୍ଥାନୀୟ ଅଞ୍ଚଳରେ ଡ୍ୟୁଟିରେ ଥିଲେ। ଅନ୍ୟ ଜଣେ ଋଷିଆରୁ ଫେରି ଜୟପଟଣା ବ୍ଳକର ଏକ ସଂଗରୋଧ କେନ୍ଦ୍ରରେ ଥିଲେ।

କଳାହାଣ୍ଡିରେ ଆଜି ୧୬ ଜଣ ବ୍ୟକ୍ତି ନୂଆ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭ ହୋଇଛି। ଏମାନଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୩୬ ସକ୍ରିୟ ଆକ୍ରାନ୍ତଙ୍କ ଭବାନୀପାଟଣାସ୍ଥିତ କୋଭିଡ ହସ୍‌ପିଟାଲରେ ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର