ବ୍ରହ୍ମପୁର: ଗଞ୍ଜାମଜିଲ୍ଲା କଳୁଷିତ ରାଜନୀତିର ପୃଷ୍ଠଭୂମି ପାଲଟିଛି। ଜିଲ୍ଲାରେ ରାନୈତିକ ହତ୍ୟା ଧିରେଧିରେ ଉଗ୍ର ହେବାରେ ଲାଗିଛି। ପୁଲିସ ତଥ୍ୟ ଅନୁଯାୟୀ, ୧୯୯୮ ମସିହାରୁ ୨୦୨୫ ସୁଦ୍ଧା ଗତ ୨୭ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୧୬ ଜଣ ସ୍ଥାନୀୟ ରାଜନେତାଙ୍କୁ ହତ୍ୟା କରାଯାଇଛି।
ସଦ୍ୟତମ ଘଟଣା ସୋମବାର ରାତିରେ ଘଟିଥିଲା। ଦୁଇଜଣ ବାଇକ୍ ଆରୋହୀ ଦୁର୍ବୃତ୍ତ ଆଇନଜୀବୀ ତଥା ବିଜେପି ସଦସ୍ୟ ପୀତବାସ ପଣ୍ଡାଙ୍କୁ ବୈକୁଣ୍ଠ ନଗରସ୍ଥିତ ତାଙ୍କ ବାସଭବନ ନିକଟରେ ଗୁଳି କରି ହତ୍ୟା କରିଥିଲେ।
ପଣ୍ଡାଙ୍କ ହତ୍ୟାର ପ୍ରକୃତ କାରଣ ତଦନ୍ତ କରାଯାଉଛି। ଚଳିତ ବର୍ଷ ଗଞ୍ଜାମରେ ଏହି ନିର୍ମମ ହତ୍ୟାକାଣ୍ଡ ପ୍ରଥମ ଥର ପାଇଁ ଘଟିଛି। ଗତ ବର୍ଷ, ବିଧାନସଭା ନିର୍ବାଚନ ପୂର୍ବରୁ,ଶ୍ରୀକୃଷ୍ଣ ଶରଣପୁରର ବିଜେପି କର୍ମୀ ଦିଲ୍ଲୀପ ପାହାଣଙ୍କୁ ମେ’ ୧୫ ତାରିଖରେ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ୨୦୨୨ ମସିହାରେ ଦିଗପହଣ୍ଡି ବ୍ଲକରେ ଦୁଇଜଣ ବିଜେଡି ସମର୍ଥକଙ୍କୁ ହତ୍ୟା କରାଯାଇଥିଲା। ୨୦୨୧ ମସିହାରେ ପୂର୍ବତନ ବେଗୁନିଆପଡ଼ା ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ଏବଂ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିସୋଇଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ।
୨୦୧୯ ମସିହାରେ ବ୍ରହ୍ମପୁରରେ ଆସ୍କା ବିଧାନସଭା ଆସନର ପ୍ରାର୍ଥୀ ମନୋଜ ଜେନାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ସେହି ବର୍ଷ ଶେରଗଡ଼ା ବ୍ଲକର କୁଲାଗଡ଼ାର ପୂର୍ବତନ ସମିତି ସଦସ୍ୟ ସୁବାସ ଚନ୍ଦ୍ର ସାହୁଙ୍କୁ ହତ୍ୟା କରାଯାଇଥିଲା। ୨୦୧୭ ମସିହାରେ ଛତ୍ରପୁର ଏନଏସିର ବିଜେଡି ଯୁବ ନେତା ଏବଂ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା।
ବୁଗୁଡ଼ା ଏନଏସିର ପୂର୍ବତନ ଅଧ୍ୟକ୍ଷ ବାଳକୃଷ୍ଣ ପାତ୍ରଙ୍କୁ ୨୦୧୫ ମସିହାରେ ହତ୍ୟା କରାଯାଇଥିଲା। ୨୦୧୪ ମସିହାରେ, ଛତ୍ରପୁରରେ ଦୁର୍ବୃତ୍ତମାନେ ସିପିଆଇ ସଦସ୍ୟ ସୁକୁରା ସାହୁଙ୍କୁ ହତ୍ୟା କରିଥିଲେ। ୨୦୧୦ ମସିହାରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏନ ସୀମାଞ୍ଚଲ ରେଡ୍ଡୀଙ୍କୁ ହତ୍ୟା କରାଯାଇଥିଲା।
୨୦୦୯ ଏବଂ ୨୦୦୮ ମସିହାରେ ଆସ୍କାରେ ଯଥାକ୍ରମେ ବିଜେଡିର ସୁଦର୍ଶନ ପରିଡା ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ମହାନ୍ତିଙ୍କୁ ହତ୍ୟା କରାଯାଇଥିଲା।
୨୦୦୨ ମସିହାରେ ଦୁର୍ବୃତ୍ତମାନେ କଂଗ୍ରେସ ସଦସ୍ୟ ଏବଂ ପୂର୍ବତନ ଆସ୍କା ବ୍ଲକ ଅଧ୍ୟକ୍ଷ ଉମା ଚରଣ ବିସୋଇଙ୍କୁ ହତ୍ୟା କରିଥିବା ବେଳେ, ୧୯୯୮ ମସିହାରେ ସେମାନେ ପୂର୍ବତନ ଆସ୍କା ଏନଏସି ଅଧ୍ୟକ୍ଷ ସାହେବ ପରିଡାଙ୍କୁ ହତ୍ୟା କରିଥିଲେ।