ରାଉରକେଲା: ବିଦାୟ ନେଇ ସାରିଛି ବର୍ଷ ୨୦୨୧। ପୃଥବୀରେ ପାଦ ଥାପି ସାରିଛି ନୂଆ ବର୍ଷ ୨୦୨୨। ୨୦୨୧ରେ ଘଟିଯାଇଛି ଅନେକ ହତ୍ୟା, ଦୁଷ୍କର୍ମ, ଆତ୍ମହତ୍ୟା, ଚୋରି, ଡକାୟତି, ଛିନତାଇ ଓ ଅପହରଣ ଭଳି ଅନେକ ଅପରାଧିକ ଘଟଣା। ପୁଲିସ ଅନେକ ଅପରାଧୀଙ୍କୁ ଜେଲ ପୁରାଇବାରେ ସକ୍ଷମ ହୋଇଛି। ଅନେକ ପୁଲିସକୁ ଚକ୍ମା ଦେଇ ଏବେ ବି ବାହାରେ ବୁଲୁଛନ୍ତି।
ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଗତ ୨୦୨୧ ଉଭୟ ସୁନ୍ଦରଗଡ଼ ଓ ରାଉରକେଲା ପୁଲିସ ପାଇଁ ବେଶ୍ ଚାଲେଞ୍ଜ ଥିଲା। ୨୦୨୨ ସମ୍ଭାବ୍ୟ ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ନିଶ୍ଚିତ ଭାବେ ସଜବାଜ ହେଉଥିବ ପୁଲିସ। ରାଉରକେଲା ପୁଲିସ ଜିଲ୍ଲାରେ ଗତ ୨୦୧୮ରୁ ୨୦୨୧ ନଭେମ୍ବର ଅର୍ଥାତ୍ ୪୭ ମାସରେ ମୋଟ ୭୩୦ରୁ ଅଧିକ ଲୁଟ୍, ଛିନତାଇ, ଅପହରଣ, ଡକାୟତି ଘଟଣା ଘଟିଥିଲା। ଅର୍ଥାତ୍ ରାଉରକେଲା ପୁଲିସ ଜିଲ୍ଲାରେ ମାସକୁ ପାଖାପାଖି ୧୬ରୁ ଅଧିକ ଚୋରି, ଡକାୟତି ଓ ଅପହରଣ ଭଳି ଅପରାଧିକ କାର୍ଯ୍ୟକଳାପ ଭିଆଉଥିଲେ ଅପରାଧୀ।
ରାଉରକେଲା ପୁଲିସ ମୁଖ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୮ରେ ମୋଟ ୧୯୨ଟି ଚୋରି, ଛିନତାଇ, ଡକାୟତି, ଲୁଟ୍ ଓ ଅପହରଣ ମାମଲା ରୁଜୁ ହୋଇଥିଲା। ୨୦୧୯ରେ ୧୯୫, କରୋନା ସମୟରେ ଅର୍ଥାତ୍ ୨୦୨୦ରେ ଅପରାଧିକ କାର୍ଯ୍ୟକଳାପ ସେତେଟା ହ୍ରାସ ପାଇ ନଥିଲା। ତଥାପି ମୋଟ ୧୫୨ରୁ ଅଧିକ ମାମଲା ରୁଜୁ ହୋଇଥିଲା। ୨୦୨୧ ନଭେମ୍ବର ମାସ ଶେଷ ସୁଦ୍ଧା ମୋଟ ୧୮୬ଟି ମାମଲା ରୁଜୁ ରାଉରକେଲା ପୁଲିସ ଜିଲ୍ଲାର ୨୧ଟି ଥାନାରେ ରୁଜୁ ହୋଇଥିଲା। ଏଥି ମଧ୍ୟରେ ସର୍ବାଧିକ ୨୩୦ରୁ ଅଧିକ ଅପହରଣ ମାମଲା ରହିଛି।
ଅପହରଣ ଶିକାର ହୋଇଛନ୍ତି ମହିଳା, ଯୁବତୀ, ଛାତ୍ରଛାତ୍ରୀ ଓ ନାବାଳକ। ୪୭ ମାସରେ ସର୍ବାଧିକ ୩୮ଟି ଅପହରଣ ମାମଲା ରୁଜୁ ହୋଇଥିଲା ରଘୁନାଥପାଲୀ ଥାନାରେ। ସେକ୍ଟର-୭ରେ ୩୪ଟି ମାମଲା ରୁଜୁ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲାବେଳେ ୩୩ ମାମଲା ଥିଲା ପ୍ଲାଣ୍ଟସାଇଟ୍ ଥାନାରେ। ଉପାନ୍ତ ବ୍ଲକ ବଣାଇ ଥାନାରେ ୪୭ ମାସରେ ୨୪ଟି, ସେକ୍ଟର -୩ ଥାନାରେ ୧୫ଟି, ବନ୍ଧମୁଣ୍ଡା ଥାନାରେ ୨୪ଟି, ଟିକାୟତପାଲିରେ ୯ଟି, ସେକ୍ଟର-୧୯ରେ ୭ଟି ଅପହରଣ ମାମଲା ରୁଜୁ ହୋଇଥିଲା। ଗୁରୁଣ୍ଡିଆ ଥାନରେ ୪୭ ମଧ୍ୟରେ ମାତ୍ର ୨ଟି ଚୋରି, ଛିନତାଇ, ଲୁଟ୍ ମାମଲା ରୁଜୁ ହୋଇଥିଲା ବୋଲି ଥାନା ପକ୍ଷରୁ କୁହାଯାଇଛି। ସର୍ବାଧିକ ଚୋରି, ଛିନ୍ତାଇ, ଡକାୟତି, ଲୁଟ୍, ଡକାୟତି ମାମଲା ରୁଜୁ ହୋଇଥିଲା ପ୍ଲାଣ୍ଟସାଇଟ୍ ଥାନାରେ।
ପ୍ଲାଣ୍ଟସାଇଟ୍ରେ ୨୦୧୮ରେ ୧୯, ୨୦୨୧୯ରେ ୩୮, ୨୦୨୦ରେ ୨୪ ଓ ୨୦୨୧ ନଭେମ୍ବର ମାସ ଶେଷ ସୁଦ୍ଧା ୩୪ଟି ମାମଲା ରୁଜୁ ହୋଇଥିଲା। ଉଦିତନଗର ଥାନରେ ୨୦୧୮ରେ ୧୮ଟି, ୨୦୧୯ରେ୧୩, ୨୦୨୦ରେ ୮ଟି, ୨୦୨୧ରେ ୧୫ଟି ମାମଲା ରୁଜୁ ହୋଇଥିଲା। ସେକ୍ଟର-୭ରେ ୨୦୧୮ରେ ୧୪ଟି, ୨୦୧୯ରେ ୨୨ଟି, ୨୦୨୦ରେ ୧୯ଟି ଓ ୨୦୨୧ରେ ମଧ୍ୟ ୧୯ଟି ମାମଲା ରୁଜୁ ହୋଇଥିଲା। ସେମିତି ସେକ୍ଟର-୩ ଥାନାରେ ୨୦୧୮, ୨୦୧୯, ୨୦୨୦ ଓ ୨୦୨୧ରେ ଯଥାକ୍ରମେ ୧୬, ୨୦, ୧୧ ଓ ୧୬ଟି ମାମଲା ରୁଜୁହୋଇଥିଲା। ଛେଣ୍ଡ ଥାନାରେ ସେମିତି ୧୪, ୫, ୫ ଓ ୧୨ଟି ମାମଲା ରୁଜୁ ହୋଇଥିଲା। କୋଇଡା ଥାନା ଅଞ୍ଚଳରେ ଚୋରି, ଛିନତାଇ, ଲୁଟ୍, ଡକାୟତି ଓ ଅପହରଣ ମାମଲା ବହୁ ମାତ୍ରାରେ ହ୍ରାସ ପାଇଛି। ୨୦୧୮ରେ ୨ଟି, ୨୦୧୯ରେ ୬ଟି, ୨୦୨୦ରେ ୨ଟି ଓ ୨୦୨୧ ନଭେମ୍ବର ମାସ ଶେଷ ସୁଦ୍ଧା ମାତ୍ର ଗୋଟିଏ ମାମଲା ରୁଜୁ ହୋଇଥିଲା।