ଅନୁଗୁଳ: ପ୍ରକାଶ ପାଇଛି ଦଶମ ପରୀକ୍ଷା ଫଳ। ଆରମ୍ଭ ହୋଇଛି କଲେଜ ଖୋଜିବା ପ୍ରକ୍ରିୟା। ଏଥର ପରୀକ୍ଷା ଫଳ ଭଲ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ମନ ପସନ୍ଦର କଲେଜ ମିଳିବା ସହଜ ହେବନି। ତଥାପି ପିଲାମାନେ ଗତବର୍ଷର କଟ୍ ଅଫ ମାର୍କକୁ ନଜରରେ ରଖି କେଉଁ କଲେଜ ପାଇଁ ଆବେଦନ କରିବେ ତା’ର ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ସରକାରୀ ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅନୁବନ୍ଧିତ ଯୁକ୍ତ ଦୁଇ ଶ୍ରେଣୀ ପାଇଁ ସମୁଦାୟ ୧୪,୯୪୩ଟି ଆସନରେ ନାମଲେଖା ହେବ। ଅନୁଗୁଳ ଜିଲ୍ଲାରେ କଳାରେ ସର୍ବାଧିକ ୭୧୫୧ ଆସନ ରହିଥିଲା ବେଳେ ବିଜ୍ଞାନରେ ୬୬୫୨ଟି ଆସନ ଓ ବାଣିଜ୍ୟରେ ୭୩୬ ଟି ଆସନ ରହିଛି। ସେହିପରି ସଂସ୍କୃତରେ ୧୨୮ ଓ ଧନ୍ଧାମୂଳକ ଶିକ୍ଷାରେ ୨୭୬ଟି ଆସନ ରହିଛି। ତେବେ ବିଜ୍ଞାନରେ ରହିଥିବା ଆସନ ଭିତରେ ବହୁ ଘରୋଇ କଲେଜ ରହିଛି। ଏପଟେ ଏଥର ଅନୁଗୁଳ ଜିଲ୍ଲାରେ ପ୍ରାୟ ୧୬ ହଜାର ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପାସ୍ କରିଛନ୍ତି। ଏହା ବାଦ୍ ଅନ୍ୟ ବୋର୍ଡରୁ ଛାତ୍ରଛାତ୍ରୀ ଦଶମ ପାସ୍ କରି ଯୁକ୍ତ ଦୁଇରେ ନାମ ଲେଖାଇବାକୁ ଅପେକ୍ଷା କରିଛନ୍ତି। ସେହିପରି ପଡ଼ୋଶୀ ଢେଙ୍କାନାଳ, ଦେବଗଡ଼, ବୌଦ୍ଧ ଜିଲ୍ଲାର ଛାତ୍ରଛାତ୍ରୀ ମଧ୍ୟ ଅନୁଗୁଳ ଜିଲ୍ଲାର କଲେଜଗୁଡ଼ିକୁ ଅଧିକ ପସନ୍ଦ କରନ୍ତି। ଏଣୁ ଏଥର ପିଲାଙ୍କ ଆବଶ୍ୟକତା ଅନୁସାରେ ଆସନ ନିଅଣ୍ଟ ହେବ ବୋଲି ଅନୁମାନ କରାଯାଉଛି। ବିଶେଷକରି ସରକାରୀ କଲେଜଗୁଡ଼ିକରେ ଆସନ ପାଇବା ପାଇଁ ଛାତ୍ରଛାତ୍ରୀଙ୍କ ଭିତରେ କଡ଼ା ପ୍ରତିନ୍ଦ୍ବନ୍ଦ୍ବିତା ହେବ। ଏପରିକି କିଛି ଛାତ୍ରଛାତ୍ରୀ କୌଣସି କଲେଜରେ ଆସନ ପାଇବା ନେଇ ସନ୍ଦେହ ରହିଛି।
ଏପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ଅନୁଗୁଳ ଜିଲ୍ଲାର ୬୫ଟି କଲେଜରେ ନାମଲେଖା ହେବ। ତେବେ ସବୁଠାରୁ ଅଧିକ ଚାହିଦା ରହିଛି ଅନୁଗୁଳ ସରକାରୀ କଲେଜ, ତାଳଚେର ସରକାରୀ କଲେଜ ଓ ଅନୁଗୁଳ ମହିଳା ମହାବିଦ୍ୟାଳୟର। ସେହିପରି ଉପଖଣ୍ଡର ସଦର ମହକୁମାରେ ରହିଥିବା କଲେଜଗୁଡ଼ିକରେ ପଢ଼ିବା ପାଇଁ ଛାତ୍ରଛାତ୍ରୀ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ବିଜ୍ଞାନ ପଢ଼ିବା ପାଇଁ ଘରୋଇ କଲେଜଗୁଡ଼ିକୁ ମଧ୍ୟ ପସନ୍ଦ କରୁଛନ୍ତି ଛାତ୍ରଛାତ୍ରୀ। ଗତବର୍ଷ ଅନୁଗୁଳ ସରକାରୀ କଲେଜରେ ବିଜ୍ଞାନରେ ୮୧.୩୩ ପ୍ରତିଶତ କଟ୍ ଅଫ୍ ମାର୍କ ରହିଥିଲା। ସେହିପରି କଳାରେ ୭୩.୧୭ ଓ ବାଣିଜ୍ୟରେ ୫୭ ପ୍ରତିଶତ କଟ ଅଫ ମାର୍କ ରହିଥିଲା। ଏଥର ଏହା ବଢ଼ିବାର ସମ୍ଭାବନା ରହିଛି।