ବେଲଗୁଣ୍ଠା: ଗଜରାଜଙ୍କ ପାଇଁ ୧୬ ଗାଁ ଅନ୍ଧାର, ରାସ୍ତା ଡେଇଁ ମାତିଛନ୍ତି କ୍ଷେତରେ

ଚାଷୀ ମୁଣ୍ଡରେ ଭାଳେଣି, ଲୋକେ ଆତଙ୍କିତ

ବେଲଗୁଣ୍ଠା: ପାଚିଲା ଧାନର ମହକ ଗଜରାଜଙ୍କୁ ଗାଁ ମୁହାଁ କରୁଛି। ରାସ୍ତା ପାର ହୋଇ ହାତୀପଲ କ୍ଷେତ ଭିତରେ ପଶି ଧାନ ଖାଇବା ସହ ଦଳି ଚକଟି ନଷ୍ଟ କରି ପକାଉଛନ୍ତି। ଫଳରେ ଫସଲକୁ କେମିତି ସୁରକ୍ଷା ଦେବେ, ଏହି ଚିନ୍ତାରେ ଚାଷୀକୁଳ ମୁଣ୍ଡରେ ଭାଳେଣି ପଡ଼ିଛି। ସେପଟେ ହାତୀ ଭୟରେ ଗ୍ରାମବାସୀ ସଞ୍ଜ ନଇଁବା ମାତ୍ରେ ତାଟି କବାଟ ବନ୍ଦ କରୁଥିବା ବେଳ‌େ ଅନ୍ୟପଟେ ହାତୀପଲକୁ ସୁରକ୍ଷା ପାଇଁ ବନ ବିଭାଗ ସହ ସମନ୍ବୟ ରଖି ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ କାଟ୍ କରୁଥିବାରୁ ୧୬ ଗାଁ ୩ ଦିନ ହେଲା ଅନ୍ଧାରରେ ରହିଛି। କିଛି ଗ୍ରାମବାସୀ ହାତୀପଲ ଘଉଡ଼ାଇବାକୁ ଟାୟାର୍ ଜାଳି ରାତି ଉଜାଗର ରହୁଛନ୍ତି। ତଥାପି କୌଣସି ସୁଫଳ ମିଳୁନି। ଏହି ଚିତ୍ର ହେଉଛି, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍‌ର କିଛି ଗାଁର।

ବୁଗୁଡ଼ା ବିଟ୍‌ରୁ ଆସିଥିବା ଏହି ୧୫ଟିକିଆ ହାତୀପଲରେ ୩ଟି ଦନ୍ତା, ୮ଟି ମାଈ ଓ ୪ଟି ଛୁଆ ହାତୀ ଅଛନ୍ତି। ଏମାନେ ବେଲଗୁଣ୍ଠା ବ୍ଲକ୍ ଅଧୀନ କିରାପଲ୍ଲୀ, ଜିରୋଳି, ବଙ୍କା, ଇନ୍ଦ୍ରଗଡ଼, ବିଏଲଏସପୁର ଶାସନ, ଜିଲିବା ଓ ମଙ୍ଗଳପୁର ଗ୍ରାମରେ ଆତଙ୍କ ଖେଳାଇଛନ୍ତି। ଏମାନେ ଭାଗ ହୋଇ ଏଣେତେଣେ ବୁଲୁଛନ୍ତି। ସନ୍ଧ୍ୟା ହେବା ମାତ୍ରେ ରାସ୍ତା ପାର ହୋଇ ଗାଁ ଭିତରକୁ ଆସି ଧାନ ଖାଉଛନ୍ତି। ଫଳରେ ଚାଷୀ ମାନଙ୍କ ପସଲ ଏବେ ଉଜୁଡ଼ିଗଲାଣି। ଆଜି ସେହି ପଲର ୮ଟି ହାତୀ କୁମାରଶୁଣି ପର୍ବତ ତଳ ଜଙ୍ଗଲରେ ଗତିବିଧି ଜାରି ରଖିଛନ୍ତି। ତେବେ ହାତୀପଲଙ୍କ ସୁରକ୍ଷା ପାଇଁ ୩ ଦିନ ହେଲା ବିଦ୍ୟୁତ୍ କାଟ୍ ହେଉଥିବାରୁ ଗ୍ରାମବାସୀଙ୍କୁ ଅନ୍ଧାରରେ ରାତି କାଟିବାକୁ ପଡ଼ୁଛି। ଏହାସହ ସନ୍ଧ୍ୟା ହେଲେ ରାସ୍ତାଘାଟ ଶୂନ୍‌ଶାନ୍ ହୋଇଯାଉଛି। ହାତୀପଲଙ୍କୁ ଘଉଡ଼ାଇବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଗାଙ୍ଗପୁର ବନପାଳ ଜି.ଭେଙ୍କେଟ ରାଓ ଦୋରା କହିଛନ୍ତି, ଗତକାଲି ମଧ୍ୟରାତ୍ରୀରେ ଏହି ୧୫ଟିକିଆ ହାତୀପଲ ବଙ୍କା ଓ ସୁରମଣି ଦେଇ ବଡ଼ନଦୀ ପାର ହୋଇ ସାନଦୋଡ଼ଙ୍ଗା, ବଡ଼ଦୋଡଙ୍ଗା ଓ ବିଞ୍ଚଣା ଦେଇ ମା’ବୁଢ଼ାକେନ୍ଦୁ ପୀଠ ନିକଟ ଦୁମୁଦୁମି ଜଙ୍ଗଲରେ ଆଶ୍ରୟ ନେଇଛନ୍ତି। ହାତୀପଲ ସହ ଚାଷୀଙ୍କ ଧାନ ଫସଲର ସୁରକ୍ଷା ଲାଗି ସମସ୍ତ ବନ୍ଦୋବସ୍ତ କରାଯାଇଛି। ଚାଷୀ ମାନେ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ତେବେ ଦୁମୁଦୁମି ଜଙ୍ଗଲରେ ହାତୀପଲଙ୍କ ଗତିବିଧି ପରେ ଗାଙ୍ଗପୁର ଓ କ୍ଷତ୍ରିୟବରପୁର ଚାଷୀ ଆତଙ୍କିତ ହୋଇଛନ୍ତି। ଗତକାଲି ରାତି ୯ଟାରେ ୮ଟି ହାତୀ ବଙ୍କା ନିକଟରେ ଧାନ ଖାଉଥିବା ଖବର ପାଇ ବନପାଳ ସୁନିତା ପାତ୍ରଙ୍କ ନେତୃତ୍ୱରେ ବନରକ୍ଷୀ ପ୍ରଶାନ୍ତ କୁମାର ପୋଲେଇଙ୍କ ସମେତ ଏକ ଟିମ୍ ଆସି ଗ୍ରାମବାସୀ ଏବଂ ଲାଇନମ୍ୟାନ୍ ପ୍ରଦୀପ ସ୍ବାଇଁଙ୍କ ସହାୟତାରେ ସେମାନଙ୍କୁ ଘଉଡ଼ାଇଥିଲେ। ହାତୀପଲ ବଙ୍କା ଏବଂ କିରାପଲ୍ଲୀ ମଧ୍ୟରେ ଥିବା ମୁଖ୍ୟରାସ୍ତା ପାର କରି ଜଙ୍ଗଲକୁ ପଳାଇଥିଲେ।

ସମ୍ବନ୍ଧିତ ଖବର