ଭିତରକନିକାରେ ୧୬ ଧଳା କୁମ୍ଭୀର

ପ୍ରାକୃତିକ ପରିବେଶରେ ବିଶ୍ୱରେ ସବୁଠୁ ଅଧିକ
୧୮ ଫୁଟର ଅଣ୍ଡିରା ଓ ୧୬ ଫୁଟର ମାଈ ଧଳା କୁମ୍ଭୀର ଠାବ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ, ନାଳରେ ୧୬ଟି ଧଳା ବଉଳା କୁମ୍ଭୀର ଅଛନ୍ତି। ଯାହାକି ପ୍ରାକୃତିକ ପରିବେଶରେ ବିଶ୍ୱରେ ସବୁଠୁ ଅଧିକ। ଭିତରକନିକା ନଦୀରେ ୧୮ ଫୁଟ ଲମ୍ବ ଧଳା ଅଣ୍ଡିରା ଓ କାଳିଭଞ୍ଜଡ଼ିଆ ନିକଟରେ ୧୬ ଫୁଟର ମାଈ ଧଳା ବଉଳା କୁମ୍ଭୀର ଅଛନ୍ତି। ଏ ବର୍ଷ ଭିତରକନିକାରେ କୁମ୍ଭୀର ଗଣନାରୁ ଏହା ଜଣାପଡିଛି ବୋଲି ବରିଷ୍ଠ ଜୀବ ବିଜ୍ଞାନୀ ତଥା କୁମ୍ଭୀର ବିଶାରଦ ଡ. ସୁଧାକର କର ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଡ. କରଙ୍କ ତତ୍ତ୍ବ‌ାବଧାନରେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଓ ବାହାରେ ଚଳିତ ମାସ ୧୫ରୁ ୨୩ ତାରିଖ ଯାଏ ଲୁଣି ପାଣି ବା ବଉଳା କୁମ୍ଭୀର ଗଣନା କରାଯାଇଥିଲା।

ଗତବର୍ଷ ଭିତରକନିକାରେ ୧୭୫୭ କୁମ୍ଭୀର ଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୬୮କୁ ବୃଦ୍ଧି ପାଇଛି। ଏଥିସହିତ ଗତବର୍ଷ ଭିତରକନିକାରେ ୧୫ଟି ବଉଳା କୁମ୍ଭୀର ଥିବାବେଳେ ଏ ବର୍ଷ ଏହି ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୫ଟି ମାଈ ଧଳା କୁମ୍ଭୀର ଥିବାବେଳେ ଅଣ୍ଡିରା ଧଳା କୁମ୍ଭୀର ୮ଟି ଓ ୩ଟି ଧଳା କୁମ୍ଭୀର ଶାବକ ଅଛନ୍ତି। ବଡ଼ କଥା ହେଲା, ଭିତରକନିକାର ଡାଙ୍ଗମାଳଠାରେ ଥିବା ଧଳା କୁମ୍ଭୀର ଗୋରୀକୁ ନେଇ କେବଳ ଭାରତରେ ନୁହେଁ , ସାରାବିଶ୍ୱରେ ଚର୍ଚ୍ଚା ହୋଇଥାଏ। ୪୬ ବର୍ଷରେ ପାଦ ଥାପିଥିବା ଗୋରୀ ପାଇଁ ଆଜି ବି ବନବିଭାଗ ସାଥୀ ଖୋଜି ଚାଲିଛି। ଏଭଳି ସମୟରେ ଭିତରକନିକା ଜାତୀୟ ଉଦ୍ୟାନରେ ଧଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପ୍ରାଣୀବିଜ୍ଞାନୀ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଗୋରୀର ଲମ୍ବ ୯ ଫୁଟରୁ ସାମାନ୍ୟ ଅଧିକ। ମାତ୍ର ଏ ବର୍ଷ କୁମ୍ଭୀର ଗଣନାରେ କାଲିଭଞ୍ଜଡ଼ିଆ ନିକଟରେ ଓ ଭିତରକନିକା ମୁଖ୍ୟ ନଦୀରେ ୨ଟି ୧୬ ଫୁଟ ଲମ୍ବର ମାଈ ଧଳା କୁମ୍ଭୀର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର