ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ସ୍ଥିତ କୁମ୍ଭୀଝର ଜଳପ୍ରପାତରେ ରବିବାର ସେଲ୍ଫି ଉଠାଉଥିବାବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ନାବାଳକ ହେଲା କନ୍ଧମାଳ ଜିଲ୍ଲା ଟିକାବାଲିର ଜ୍ୟୋତିଷ୍ମାନ ନାଏକ(୧୬)। ପ୍ରାପ୍ତ ସୂଚନା ଅନୁଯାୟୀ ଜ୍ୟୋତିଷ୍ମାନ ତାଙ୍କ ବାପା, ମା’, ଭଉଣୀ ଏବଂ ସମ୍ପର୍କୀୟଙ୍କ ସହିତ ମିଶି କୁମ୍ଭୀଝରକୁ ବଣଭୋଜି କରିବାକୁ ଆସିଥିଲେ।
ପରିବାର ଓ ସମ୍ପର୍କୀୟମାନେ ରନ୍ଧାବଢ଼ା ଓ ଗପସପରେ ବ୍ୟସ୍ତ ଥିବା ବେଳେ ଜ୍ୟୋତିଷ୍ମାନ ମୋବାଇଲ ଧରି ଜଳ ପ୍ରପାତରେ ସେଲ୍ଫି ନେଉଥିଲେ। ଅସାବଧାନତା ଯୋଗୁଁ ଗୋଡ଼ ଖସିଯିବାରୁ ସେ ପ୍ରପାତ ମଧ୍ୟକୁ ଖସି ପଡ଼ିଥିଲେ। ପରିବାର ଲୋକ ଓ ଅନ୍ୟମାନେ ତାକୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ଆଡେନିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ଅବସ୍ଥା ସଂକଟାପନ୍ନ ଥିବା ଦେଖି ଡାକ୍ତର ତାକୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ବୌଦ୍ଧ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୁରୁଣାକଟକ ପୁଲିସ ବୌଦ୍ଧରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।