ବ୍ରହ୍ମପୁର: ବ୍ରହ୍ମପୁର ଏମ୍କେସିଜି ବଡ଼ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ଏକ ପ୍ରକାର ଆଣ୍ଠେଇ ପଡ଼ିଛି। ଅତ୍ୟନ୍ତ ମୌଳିକ ଆବଶ୍ୟକତା ଡାକ୍ତର ପଦବି ପୂରଣ ଦିଗରେ ସରକାର ଫେଲ୍ ମାରିଛନ୍ତି। ବିଗତ ଦିନରେ ଏଠାରୁ ବହୁ ବିଶେଷଜ୍ଞ ଡାକ୍ତରଙ୍କୁ ଅନ୍ୟ ମେଡିକାଲ କଲେଜକୁ ବଦଳି କରି ନିଆ ଯାଇଥିଲା। ନିରନ୍ତର ବ୍ୟବଧାନରେ ଏଠାରୁ ଡାକ୍ତରଙ୍କ ବଦଳି ଚାଲିଛି। ହେଲେ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଏଭଳି ସ୍ଥିତି ଯୋଗୁଁ ଏବେ ଏମ୍କେସିଜିରେ ଡାକ୍ତର ମରୁଡ଼ି ସଂକଟ ସୃଷ୍ଟି କରିଛି। ବଡ଼ ଡାକ୍ତରଖାନାରେ ଏବେ ୧୬୦ ଡାକ୍ତର ପଦ ଖାଲି ପଡ଼ିଥିବା ତଥ୍ୟରୁ ଜଣାପଡ଼ିଛି। ଏତେ ସଂଖ୍ୟକ ଡାକ୍ତର ପଦବି ଖାଲି ରହିଥିବାରୁ ଏମ୍କେସିଜିରେ ରୋଗୀସେବା ଏବେ ଦଇବ ସାହାରେ ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି।
ଦକ୍ଷିଣ ଓଡ଼ିଶାର ଏକମାତ୍ର ସୁପର୍ସ୍ପେସାଲିଟି ସରକାରୀ ରେଫରାଲ୍ ହସ୍ପିଟାଲ୍ ହେଉଛି ବ୍ରହ୍ମପୁର ଏମ୍କେସିଜି ବଡ଼ ଡାକ୍ତରଖାନା। ଏଠାକୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ରୋଗୀ ରେଫର୍ ହୋଇ ଆସିଥା’ନ୍ତି। ସେହିପରି ଆନ୍ଧ୍ର ସୀମାନ୍ତ ଇଲାକାରେ ରହୁଥିବା ଲୋକେ ମଧ୍ୟ ଏମ୍କେସିଜି ଉପରେ ନିର୍ଭର କରିଥା’ନ୍ତି। ଏମ୍କେସିଜିର ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ରୋଗୀଙ୍କୁ ସୁପର୍ସ୍ପେସାଲିଟି ବିଭାଗର ଚିକିତ୍ସା ପ୍ରଦାନ କରିବା ପାଇଁ ପିଏମ୍ଏସ୍ଏସ୍ୱାଇରେ ସୁପର୍ସ୍ପେସାଲିଟି ବ୍ଲକ୍ କାର୍ଯ୍ୟକ୍ଷମ ରହିଛି। କିନ୍ତୁ ଆବଶ୍ୟକ ଡାକ୍ତର ଅଭାବ ଯୋଗୁଁ ବିଭିନ୍ନ ବିଭାଗରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସାସେବା ମିଳିପାରୁ ନଥିବା ଅଭିଯୋଗ ହୋଇଛି। ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ ପାଇଁ ୪୪୮ ଡାକ୍ତର ପଦବି ମଂଜୁର ହୋଇଛି। ତନ୍ମଧ୍ୟରୁ ବିଭିନ୍ନ ବିଭାଗରେ ୨୮୮ଜଣ ଡାକ୍ତର ରହିଛନ୍ତି। ତେବେ ୧୬୦ ଡାକ୍ତର ପଦବି ଖାଲି ରହିଛି। ଖାଲି ପଦବି ମଧ୍ୟରେ ଶହେରୁ ଅଧିକ ସିନିୟର୍ ରେସିଡେଣ୍ଟ୍ ପଦବି ରହିଛି। ବଡ଼ ଡାକ୍ତରଖାନା ପାଇଁ ମଂଜୁର ହୋଇଥିବା ୩୯ ପ୍ରଫେସର ମଧ୍ୟରୁ ୭ ପଦବି ଖାଲି ରହିଥିବା ବେଳେ ୮୧ ଆସୋସିଏଟ୍ ପ୍ରଫେସର ପଦରୁ ୨୯ ପଦବି ଖାଲି ରହିଛି। ସେହିପରି ୬ଟି ଆସିଷ୍ଟାଣ୍ଟ୍ ପ୍ରଫେସର ପଦବି ଖାଲି ପଡ଼ିଥିବା ତଥ୍ୟ ମିଳିଛି। ଡାକ୍ତର ଅଭାବ ସମସ୍ୟା ପୂରଣ କରିବା ପାଇଁ ରାଜ୍ୟ ସରକାର ଅବସରପ୍ରାପ୍ତ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସରଙ୍କୁ ଚୁକ୍ତିଭିତ୍ତିରେ ନିଯୁକ୍ତି ପ୍ରଦାନ କରୁଛନ୍ତି। ଅସ୍ଥିଶଲ୍ୟ ବିଭାଗର ପ୍ରଫେସର ଅବନୀକାନ୍ତ ମିଶ୍ର ମେଡିକାଲ କଲେଜର ଡିନ୍ ତଥା ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଳାଇ ଗତମାସରେ ଅବସର ନେଇଥିଲେ। ଅସ୍ଥିଶଲ୍ୟ ବିଭାଗରେ ପ୍ରଫେସର ପଦବି ଖାଲି ଥିବାରୁ ତାଙ୍କୁ ପୁଣିଥରେ ସେହି ବିଭାଗରେ ପ୍ରଫେସର ଭାବେ ଚୁକ୍ତିଭିତ୍ତିରେ ସରକାର ପୁନଃନିଯୁକ୍ତି ଦେଇଛନ୍ତି।
ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ର ୩୬ଟି ବିଭାଗ ମଧ୍ୟରୁ ୫ଟି ବିଭାଗ ପ୍ରଫେସରଶୂନ୍ୟ ହୋଇପଡ଼ିଛି। ଏମର୍ଜେନ୍ସି ମେଡିସିନ୍, ପ୍ଲାଷ୍ଟିକ୍ ସର୍ଜରି, ସିଟି ସର୍ଜରି, ସର୍ଜିକାଲ୍ ଗାଷ୍ଟ୍ରୋଏଣ୍ଟ୍ରୋଲୋଜି ଏବଂ ଇଏନ୍ଟି ବିଭାଗରେ ପ୍ରଫେସର ପଦବି ଖାଲି ରହିଛି। ଇଏନ୍ଟି ବିଭାଗର ପ୍ରଫେସର ସନ୍ତୋଷ କୁମାର ମିଶ୍ର କଲେଜର ଅଧ୍ୟକ୍ଷ ତଥା ଡିନ୍ ଦାୟିତ୍ବରେ ରହିଛନ୍ତି। ଅନ୍ୟ କେହି ପ୍ରଫେସର ନଥିବାରୁ ଇଏନ୍ଟି ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ଏବେ ମୁରବିବିହୀନ ହୋଇପଡ଼ିଛି। ଡାକ୍ତର ପଦବି ପୂରଣ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁବାର ଆନ୍ଦୋଳନ କରାଯାଇଛି। ତଥାପି ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହୋଇଛି।