ମୟୂରଭଞ୍ଜ: ୧୬୦ ନୂଆ ଆକ୍ରାନ୍ତ ଚିହ୍ନଟ, ୨ ମହିଳା ମୃତ

୫ ହଜାର ୪୧୩ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା, ବାରିପଦା ପୌରପରିଷଦରୁ ସର୍ବାଧିକ ୧୮ ଚିହ୍ନଟ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରୁ ଆଜି ପୁଣି ୧୬୦ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୃହ ସଙ୍ଗରୋଧରୁ ମାତ୍ର ୨ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରୁ ୧୪୭ ଜଣ ଏବଂ ୨ଜଣ କାର୍ଯ୍ୟରତ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଇଛନ୍ତି। ଏଥିସହିତ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୪୧୩କୁ ବୃଦ୍ଧି ପାଇଛି । ଆଜି ଜିଲ୍ଲାରୁ ୯୫ ପୁରୁଷ ଓ ୫୬ ଜଣ ମହିଳା କୋଭିଡ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଜିଲ୍ଲା ସଦର ମହକୁମା ବାରିପଦା ପୌରପରିଷଦରୁ ସର୍ବାଧିକ ୧୨ ପୁରୁଷ ଏବଂ ୬ ମହିଳାଙ୍କୁ ମିଶାଇ ମୋଟ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କପ୍ତିପଦା, ଉଦଳା ଏନଏସି ଏବଂ ରାସଗୋବିନ୍ଦପୁରରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଦୁଇ ଅଙ୍କରେ ରହିଛି। ଏଥିସହିତ ଗତକାଲି ସୁଦ୍ଧା ଜିଲ୍ଲାରେ ସୁସ୍ଥ ୩ ହଜାର ୮୨୩ଥିବାବେଳେ ଆଜି ସୁଦ୍ଧା ସକ୍ରିୟ ସଂଖ୍ୟା ୧ ହଜାର ୫୭୮ ରହିଛି। ଆଜି ଜିଲ୍ଲାରୁ ୨ ମହିଳାଙ୍କର କରୋନାଜନିତ ମୃତ୍ୟୁ (୪୫ ଓ ୬୫ ବର୍ଷୀୟା) ହୋଇଥିବା ସୂଚନା ପ୍ରଦାନ କରାଯାଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇସାରିଛି।

ପିଆରଏମରେ ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା
ଜିଲ୍ଲାରେ ଶୀର୍ଷରେ ବାରିପଦା ପୌରାଞ୍ଚଳ

ବାରିପଦା : ଜିଲ୍ଲାରେ ସଂକ୍ରମଣରେ ପୁଣି ଶୀର୍ଷରେ ରହିଛି ବାରିପଦା ପୌରପରିଷଦ। ଆଜି ଏଠାରୁ ପୁଣି ୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ସଂକ୍ରମଣର ହାର ବଢ଼ୁଥିବା ପରିଲକ୍ଷିତ ହୋଇଛି। ଆଜି ପୁଣି ଡିଆରଡିଏ କାର୍ଯ୍ୟାଳୟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ପିଆରଏମ ମେଡିକାଲ୍ କଲେଜ ଏଣ୍ଡ୍ ହସ୍ପିଟାଲରେ ମଧ୍ୟ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଚିନ୍ତା ବଢ଼େଇଛି।

ସମ୍ବନ୍ଧିତ ଖବର