ନୂଆ ଡ୍ରାଇଭିଂ ଲାଇସେନ୍ସ ଅପେକ୍ଷାରେ ୧୬,୨୬,୬୯୭ଜଣ

ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା (୨୦୦୪ରେ କମ୍ପ୍ୟୁଟରୀକରଣ ହେବା ଦିନରୁ) ୨୫,୬୨,୨୦୯ଜଣଙ୍କୁ ବିଭିନ୍ନ ଆର୍‌ଟିଓ ଅଧୀନରେ ଭାରୀ ଯାନ, ଲଘୁ ଯାନ ଓ ଦୁଇ ଚକିଆ ଯାନର ଲାଇସେନ୍ସ ପ୍ରଦାନ କରାଯାଇଛି। ଏମାନଙ୍କ ବାଦ୍‌ ଏବେ ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ୧୬,୨୬,୬୯୭ଜଣ ଅପେକ୍ଷାରେ ଅଛନ୍ତି। ସେହିପରି ୭,୬୫,୩୯୫ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ଅବଧି ଶେଷ ହୋଇଯାଇଥିବାରୁ ସେମାନେ ନବୀକରଣ ପାଇଁ ଆବେଦନ କରିଛନ୍ତି। ବିଧାୟକ ପ୍ରଶାନ୍ତ ବେହେରାଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି।

ରାଜ୍ୟରେ କୋଭିଡ କଟକଣା ଯୋଗୁଁ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଓ ନବୀକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବାରୁ ବହୁ ଲୋକଙ୍କୁ ଲାଇସେନ୍ସ ମିଳିନି ବୋଲି ଜଣାପଡ଼ିଛି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ଲକ୍ଷ ୬୪ହଜାର ୭୮୭ଜଣ ଦୁଇ ଚକିଆ ଯାନ ପାଇଁ ଲାଇସେନ୍ସ ପାଇଥିବାବେଳେ ଲଘୁ ଯାନ ପାଇଁ ୭ଲକ୍ଷ ୭୮ହଜାର ୧୬ଜଣ ଏବଂ ଭାରୀ ଯାନ ପାଇଁ ୨ଲକ୍ଷ ୧୯ହଜାର ୪୦୬ଜଣ ଲାଇସେନ୍ସ ପାଇଛନ୍ତି। ସବୁଠୁ ଅଧିକ ଲାଇସେନ୍ସ ଭୁବନେଶ୍ବର-୧ ଆର୍‌ଟିଓ ପକ୍ଷରୁ ପ୍ରଦାନ କରାଯାଇଛି। ଏଠାରେ ୨ଲକ୍ଷ ୨୬ହଜାର ୨୯୪ଜଣ ଲାଇସେନ୍ସ ପାଇଛନ୍ତି। ଏଆର୍‌ଟିଓ ଖୋର୍ଦ୍ଧାରେ ୧,୩୪,୪୭୯ଜଣ, ଚଣ୍ଡିଖୋଲ ଆର୍‌ଟିଓରେ ୧,୧୩,୮୬୯ଜଣ, କଟକରେ ୧,୫୪,୨୩୩ଜଣ, ଗଞ୍ଜାମରେ ୧,୯୭,୪୮୩ଜଣ, ସମ୍ବଲପୁର ଆର୍‌ଟିଓରେ ୧,୨୨,୭୬୮ଜଣ ଲାଇସେନ୍ସ ପାଇଛନ୍ତି। ନୂଆପଡ଼ା ଆର୍‌ଟିଓରେ ସବୁଠୁ କମ୍‌ ୧୦,୭୨୦ଜଣ ଲାଇସେନ୍ସ ପାଇଛନ୍ତି।

ସେହିପରି ନୂଆ ଡ୍ରାଇଭିଂ ଲା‌ଇସେନ୍ସ ପାଇଁ ୧୬ଲକ୍ଷ ୨୬ହଜାର ୬୯୭ଜଣ ଆବେଦନ କରିଥିବାବେଳେ ବିଭିନ୍ନ ଆର୍‌ଟିଓରେ ୫,୮୫,୨୩୬ଟି ଆବେଦନ ପେଣ୍ଡିଂ ଅଛି। ଆବେଦନକାରୀଙ୍କ ପାଖରେ ୨,୩୫,୫୬୩ଟି, ଅନୁମୋଦନ ପରେ ୬,୧୯,୪୨୭ଟି, ଅନ୍ୟମାନଙ୍କ ପାଖରେ ୯୧୫୯ଟି ଆବେଦନ ପଡ଼ିରହିଛି। ସେହିପରି ୮୮ଜଣଙ୍କର ଆବେଦନ ରଦ୍ଦ ହୋଇଥିବାବେଳେ ୬୩,୨୬୭ଜଣଙ୍କର ଆବେଦନ ବାତିଲ୍‌ ହୋଇଛି।

ସମ୍ବନ୍ଧିତ ଖବର