ବ୍ରହ୍ମପୁର: ଗ୍ରୀଷ୍ମ ଆରମ୍ଭରୁ ଗଞ୍ଜାମ ଜିଲ୍ଲାରେ ଜଳ ସଂକଟ ଉଗ୍ର ରୂପ ନେଲାଣି। ଅଧିକାଂଶ ନଈ, ପୋଖରୀ ଶୁଖିଗଲାଣି। ସେହିପରି ଗଞ୍ଜାମ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଋଷିକୁଲ୍ୟା ନଦୀ ମଧ୍ୟ ଶୁଖିଲା। ଗାଁ ଗାଁରେ ଜଳ ସଂକଟ ଉତ୍କଟ ହୋଇଛି। ପ୍ରତିଦିନ କେଉଁଠି ନା କେଉଁଠି ପାଣି ପାଇଁ ହାଣ୍ଡିମାଠିଆ ଧରି ବିକ୍ଷୋଭ, ରାସ୍ତାରୋକ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଋଷିମାଳ ପର୍ବତମାଳାରୁ ବାହାରିଥିବା ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲ୍ଲାରେ ୧୬୫ କିଲୋମିଟର ଅତିକ୍ରମ କରି ସମୁଦ୍ରରେ ମିଶିଛି। ଋଷିକୁଲ୍ୟା ଉପରେ ଗଞ୍ଜାମ ଜିଲ୍ଲାବାସୀ ଜଳସେଚନ ଓ ପାନୀୟ ଜଳ ପାଇଁ ନିର୍ଭରଶୀଳ। ଏବେ ଋଷିକୁଲ୍ୟା ଶଯ୍ୟା ଅଧିକାଂଶ ସ୍ଥାନରେ ଶୁଖିଲା ପଡ଼ିଛି। ପାର୍ଶ୍ବବର୍ତ୍ତୀ ନଦୀତଟ ଅଞ୍ଚଳରେ ଭୂତଳ ଜଳସ୍ତର କମିବା ସହିତ ପାନୀୟଜଳ ସମସ୍ୟା ମଧ୍ୟ ଦେଖା ଦେଲାଣି। ଆଉଦୁଇ ମାସ ପ୍ରଚଣ୍ଡ ଖରା ହେବ। ଏଣୁ ତାତି ବଢ଼ିବା ସହ ଜିଲ୍ଲାରେ ଜଳ ସମସ୍ୟା ଉତ୍କଟ ହେବା ନେଇ ଆଶଙ୍କା କରାଯାଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନକୁଦିନ ଅଧିକ ଖରା ଓ ଗରମ ଅନୁଭବ ହେଉଛି। ସେହିପରି ଜଙ୍ଗଲ ନଷ୍ଟ ଯୋଗୁ ବର୍ଷାର ପରିମାଣ ମଧ୍ୟ କମୁଛି। ଏଥିପାଇଁ ନଈନାଳ ଶୁଖି ଯାଉଛି।

Advertisment

ଋଷିକୁଲ୍ୟା ନଦୀର ପାଣି ଯେ କେବଳ ଜଳସେଚନ ଓ ପାନୀୟ ଜଳ ପାଇଁ ବ୍ୟବହାର ହୋଇଥାଏ ତାହା ନୁହେଁ, ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟ ଏହାର ପାଣି ଉପରେ ନିର୍ଭର କରିଥାନ୍ତି। ଋଷିକୁଲ୍ୟାରେ ପ୍ରତିବର୍ଷ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିଥାନ୍ତି। ଚଳିତ ବର୍ଷ ଆସନ୍ତା ୬ତାରିଖରେ ବାରୁଣୀ ସ୍ନାନ ପଡ଼ୁଥିବା ବେଳେ ଋଷିକୁଲ୍ୟାରେ ପାଣି ନାହିଁ। ବିଶେଷ କରି ଆସିକାସ୍ଥିତ ଋଷିକୁଲ୍ୟା ଘାଟ, ପୁରୁଷୋତ୍ତମପୁର ଓ ପ୍ରତାପୁର ଘାଟରେ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିଥାନ୍ତି। ହେଲେ ଋଷିକୁଲ୍ୟାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପାଣି ନଥିବାରୁ ବାରୁଣୀ ସ୍ନାନ ବାଧାପାପ୍ତ ହେବା ନେଇ ଆଶଙ୍କା କରାଯାଉଛି। ଚଳିତ ବର୍ଷ କେତେକ ସ୍ଥାନରେ ନଦୀ ପୂରା ଶୁଖି ଯାଇ ଗୋଟିଏ ପଳତା ଧାର ଦେଇ ପାଣି ଯାଉଛି। ଋଷିକୁଲ୍ୟାରେ ୬ଟି ନଦୀର ପାଣି ପଡ଼ୁଛି। ତଥାପି ସେହି ପାଣିର ସଦ୍‌ବିନିଯୋଗ କରାଯାଇ ପାରୁ ନାହିଁ। ଫଳରେ ଖରାଦିନରେ ଋଷିକୁଲ୍ୟା ନଦୀ ସମ୍ପୂର୍ଣ୍ଣ ଶୁଖି ଯାଉଛି। ବର୍ତ୍ତମାନ ରାଜ୍ୟ ସରକାର ସୋରଡ଼ା ବ୍ଲକ୍‌ରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି। ଏଥିପାଇଁ ପ୍ରାୟ ୧ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ସେହିପରି ଅନ୍ତଃନଦୀ ଜଳାଶୟ ଯୋଜନାରେ ଋଷିକୁଲ୍ୟାର ସୋରଡ଼ା ନିକଟସ୍ଥ ସିଙ୍ଗିପୁରଠାରେ ବ୍ୟାରେଜ୍‌ ତିଆରି କରାଯିବ। ଏହା ସହିତ ଛତ୍ରପୁର ବ୍ଲକ୍‌ର କଂସାରୀଗଣ୍ଡରେ ଋଷିକୁଲ୍ୟାରେ ମଧ୍ୟ ଏକ ବ୍ୟାରେଜ୍‌ ନିର୍ମାଣ ହେବ। ଏହା କାର୍ଯ୍ୟକାରୀ ହେବା ପରେ ଋ‌ଷିକୁଲ୍ୟାର ପାଣି ସଂରକ୍ଷିତ ରଖାଯାଇ ପାରିବ ବୋଲି ଆଶା କରାଯାଉଛି।