ବ୍ରହ୍ମପୁର: ଉପସ୍ଥାନ କମ୍ ରହୁଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ରାଜ୍ୟ ସରକାର ବନ୍ଦ କରୁଛନ୍ତି। ଦୀର୍ଘ ୫ବର୍ଷ ହେଲା ଏହି ଧାରା ଜାରି ରହିଛି। ପ୍ରତି ବର୍ଷ ସରକାର କିଛି ନା କିଛି ବିଦ୍ୟାଳୟରେ ତାଲା ଝୁଲାଉଛନ୍ତି। ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ୪୩୩ ବିଦ୍ୟାଳୟ ବନ୍ଦ କରି ନିକଟସ୍ଥ ସ୍କୁଲରେ ମିଶ୍ରଣ କରିବାକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଏହାକୁ ନେଇ ଗାଁ ଗାଁରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତେଜୁଛି ଅସନ୍ତୋଷ। ପ୍ରତ୍ୟେହ ଜିଲ୍ଲାର କେଉଁଠି ନା କେଉଁଠି ବିଦ୍ୟାଳୟ ବନ୍ଦକୁ କେନ୍ଦ୍ର କରି ଆନ୍ଦୋଳନ, ବିକ୍ଷୋଭ ଓ ଉତ୍ତେଜନା ଚାଲିଛି। ଜିଲ୍ଲାରେ ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ସ୍କୁଲ ବନ୍ଦ କରିବା ଜିଲ୍ଲା ପ୍ରଶାସନ ପାଇଁ କାଠିକର ପାଠ ହୋଇପଡ଼ିବ ବୋଲି କୁହାଯାଉଛି।
ପ୍ରଥମ ପର୍ଯ୍ୟାୟରେ ୧୦ରୁ କମ୍ ପିଲା ଥିବା ବିଦ୍ୟାଳୟ ବନ୍ଦ ଲାଗି ସରକାର ନିଷ୍ପତ୍ତି ନେଲେ। ୨୦୧୫-୧୬ରେ ପ୍ରଥମେ ବିଦ୍ୟାଳୟ ବନ୍ଦ ଓ ସମ୍ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହେଲା ଓ ଜିଲ୍ଲାର ୧୪ଟି ବିଦ୍ୟାଳୟ ବନ୍ଦ କରା ଯାଇଥିଲା। ୨୦୧୬-୧୭ରେ ୫୫ ଓ ୨୦୧୭-୧୮ରେ ୫୮ଟି ବିଦ୍ୟାଳୟ ବନ୍ଦ କରାଯାଇ ନିକଟସ୍ଥ ସ୍କୁଲ ସହିତ ସମ୍ମିଶ୍ରଣ କରା ଯାଇଥିଲା। ୨୦୧୮-୧୯ରେ ୩୧ଟି ଏବଂ ଗତବର୍ଷ ଅର୍ଥାତ ୨୦୧୯-୨୦ରେ ୬ଟି ବିଦ୍ୟାଳୟ ବନ୍ଦ କରା ଯାଇଥିଲା। ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟାଳୟ ବନ୍ଦ କରାଯିବା ପରେ ସେଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ସ୍କୁଲରେ ନାମ ଲେଖାଯାଉଛି। ଉକ୍ତ ସ୍କୁଲ ଆସବାବପତ୍ର ସମ୍ମିଶ୍ରଣ ହୋଇଥିବା ସ୍କୁଲକୁ ନିଆଯାଉଛି। ଶିକ୍ଷକଙ୍କୁ ଅନ୍ୟତ୍ର ଥଇଥାନ କରାଯାଉଛି। ବିଦ୍ୟାଳୟ କୋଠାକୁ ସ୍ଥାନୀୟ ବ୍ଲକ୍କୁ ହସ୍ତାନ୍ତର କରାଯାଉଛି।
ଗତ ୫ବର୍ଷ ମଧ୍ୟରେ ଜିଲ୍ଲାରେ ୧୬୫ ବିଦ୍ୟାଳୟ ବନ୍ଦ ହୋଇଥିବା ବେଳେ ସ୍କୁଲ କୋଠା ଗୁଡ଼ିକ ବ୍ୟବହାର ନ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ସରକାରୀ ଅର୍ଥ ଖତ ଖାଉଛି। ସରକାର ସ୍କୁଲ ବନ୍ଦ ନିଷ୍ପତ୍ତି ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ସବୁ ସୀମା ସରହଦ ଡେଇଁଛି। ଚଳିତ ବର୍ଷ ୪୩୩ଟି ବିଦ୍ୟାଳୟ ବନ୍ଦ ଲାଗି ରାଜ୍ୟ ସରକାର ସ୍ଥିର କରିଛନ୍ତି। ବନ୍ଦ ହୋଇଥିବା ସ୍କୁଲ କୋଠା ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର ହେବ ବୋଲି ସୂଚନା ମିଳିଛି। ଏଠାରେ ପ୍ରଶ୍ନ ଉଠୁଛି, ୪୩୩ କୋଠାକୁ ପଞ୍ଚାୟତିରାଜ ବିଭାଗ କେଉଁ କାମରେ ଲଗାଇବ। ଦ୍ବିତୀୟରେ ୪୩୩ ବିଦ୍ୟାଳୟର ପ୍ରାୟ ୧ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କେଉଁଠି ଥଇଥାନ କରାଯିବ। ଗୋଟିଏ ପଟେ ଦିନକୁ ଦିନ ନୂଆ ନୂଆ ଘରୋଇ ବିଦ୍ୟାଳୟ ଖୋଲୁଥିବା ବେଳେ ସରକାରୀ ବିଦ୍ୟାଳୟରେ ତାଲା ଝୁଲିବାରେ ଲାଗିଛି। ଏହା ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ପ୍ରତିି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ଅନ୍ୟପକ୍ଷରେ ବିଦ୍ୟାଳୟ ବନ୍ଦ ହେବ ବୋଲି ଜଣାପଡ଼ିବା ପରେ ଗାଁ ଗାଁରେ ଅସନ୍ତୋଷ ତେଜିବାରେ ଲାଗିଛି। ଛତ୍ରପୁର ବ୍ଲକ୍ ଚଷା କଣାମଣା ଓ ବଳଭଦ୍ରପୁର ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଗ୍ରାମବାସୀ ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ। ରାଜନାପଲ୍ଲୀ, ପି.ପୁଟବଗଡ଼ ଓ ପାଟପୁର ଗ୍ରାମାବସୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଛତ୍ରପୁର ଆସି ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିପରି ଚିକିିଟି ବ୍ଲକ୍ ବୀରମେଖପୁୁର ଗ୍ରାମବାସୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ବିଦ୍ୟାଳୟ ଶିକ୍ଷକଙ୍କୁ ଆଜି ଅଟକ ରଖିବା ଭଳି ଅଭାବନୀୟ ଘଟଣା ଘଟିଛି। ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଲୋକଙ୍କ ସ୍ବର ଦିନକୁ ଦିନ ଶାଣିତ ହେଉଥିବା ବେଳେ ଜିିଲ୍ଲା ପ୍ରଶାସନ ପାଇଁ ଏହା ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିବା ସମ୍ଭାବନା ରହିଛି।
ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ କହିଛନ୍ତି, ଜିଲ୍ଲାର ୯୩୩ ସ୍କୁଲ ବନ୍ଦ ପାଇଁ ଯୋଜନା ରହିଥିଲା। କିନ୍ତୁ ସେଥିରୁ ୪୩୩ ସ୍କୁଲ ବନ୍ଦ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିରେ ପୁଣି ଏକ ନିୟମାବଳୀ ରହିଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କୌଣସି ଗ୍ରାମବାସୀଙ୍କ ଯଦି ଆପତ୍ତି ଥାଏ ତେବେ ସେମାନେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଫର୍ମାଟରେ ଆବଦେନ କରିବେ। ଜିଲ୍ଲା ଏକ କମିଟି ଗଠନ କରି ଆସିଥିବା ଆପତ୍ତି ଅଭିଯୋଗଗୁଡ଼ିକ ଯାଞ୍ଚ କରିବେ। ଯଦି ଅଭିଯୋଗ ପ୍ରକୃତ ଠିକ୍ ଥିବ ତାହା ହେଲେ ଜିଲ୍ଲାପାଳ ତାହା ଉପରେ ନିଷ୍ପତ୍ତି ନେବେ। ତଣେୁ ଲୋକମାନେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ଠିକ୍ ନୁହଁ। ଯଦିି ସେମାନଙ୍କ କିଛି ଅଭିଯୋଗ ଅଛି ତାହା ହେଲେ ସେମାନେ ଲିଖିତ ଭାବେ ବିଇଓଙ୍କ ଦେଇପାରିବେ। ଜିଲ୍ଲାପାଳଙ୍କ ଦ୍ବାରା ଗଠିତ କମିଟିରେ ନିଷ୍ପତ୍ତି ନିଆଯିବ। ତେଣୁ କୌଣସି ବ୍ୟକ୍ତି ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ନ ସୃଷ୍ଟି କରିବା ଲାଗି ଜିଲ୍ଲା ଶିକ୍ଷାଧିକାରୀ ମତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/school.png)