ଭୁବନେଶ୍ବର: ହରଡ଼ ଡାଲି ଦରବୃଦ୍ଧିରେ ଲଗାମ ଲାଗୁନାହିଁ। ଦର ନିୟମିତ ବ୍ୟବଧାନରେ ବଢ଼ି ଅଣାୟତ୍ତ ସ୍ତରକୁ ଗଲାଣି। ଗତ ୩ରୁ ୪ ଦିନ ମଧ୍ୟରେ ଏହାର ଦାମ୍‌ କ୍ବିଣ୍ଟାଲ ପିଛା ୫୦୦ ଟଙ୍କା/କିଲୋଗ୍ରାମ ପିଛା ୫ ଟଙ୍କା ବଢ଼ିଯାଇଛି। ପୂର୍ବରୁ ବିଭିନ୍ନ କିସମର ହରଡ଼ ଡାଲି କିଲୋପିଛା ୧୪୫ ଟଙ୍କାରୁ ଆରମ୍ଭ ହୋଇ ୧୫୫/୧୬୦ ଟଙ୍କା ଭିତରେ ବିକ୍ରି ହେଉଥିଲା। କିନ୍ତୁ ବର୍ତ୍ତମାନ ପାଇକାରୀ ବଜାରରେ ଏହାର ଦର କିଲୋଗ୍ରାମ ପିଛା ୧୫୦ ଟଙ୍କାରୁ ୧୬୫ ଟଙ୍କାରେ ବିକ୍ରି ହେଉଛି। ଗତମାସରେ ମଧ୍ୟ ହରଡ଼ ଡାଲି ମୂଲ୍ୟ କ୍ବିଣ୍ଟାଲ ପିଛା ୩୦୦ରୁ ୪୦୦ ଟଙ୍କା ବା କିଲୋଗ୍ରାମ ପିଛା ୩/୪ ଟଙ୍କା ବଢ଼ିଥିଲା।

Advertisment

ହରଡ଼ ଡାଲି ଦରବୃଦ୍ଧିର ମୁଖ୍ୟ କାରଣ ଉତ୍ପାଦନ ହ୍ରାସ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସାରା ଭାରତରେ ଚାଷୀ ଆଉ ଚାଷ ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଏହାର ଏକ ବଡ଼ କାରଣ ହେଲା ଚାଷ କାମ କରିବାକୁ ଶ୍ରମିକ ମିଳୁନାହାନ୍ତି। ଫଳରେ ଚାଷୀ ଅର୍ଥ ଖର୍ଚ୍ଚ କରି ଯେତିକି ଫସଲ ପାଇବା କଥା ତାହା ପାଉନାହିଁ। ଗୋଟିଏ ପଟେ ମଜୁରି ଓ
ଚାଷ ସଂକ୍ରାନ୍ତ ଅନ୍ୟାନ୍ୟ ଖର୍ଚ୍ଚ ବଢ଼ିବା ଏବଂ ଅନ୍ୟପଟେ ଉତ୍ପାଦନ କମିବା ଦ୍ବାରା ଚାଷୀ କ୍ଷତି ସହୁଛି। ଏହାବ୍ୟତୀତ ପ୍ରତିକୂଳ ପାଣିପାଗ ମଧ୍ୟ ଡାଲି ଓ ଅନ୍ୟାନ୍ୟ ଫସଲ ଅମଳକୁ ପ୍ରଭାବିତ କରୁଛି। ବଜାର ନୀତିରେ ସଂଶୋଧନ ଆଣିବା ଲାଗି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। କହିଛନ୍ତି ଯେ କର୍ପୋରେଟ୍ ସଂସ୍ଥା ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାକୁ ଭାଙ୍ଗିବାକୁ ହେବ। ଏହା ନହେଲେ କର୍ପୋରେଟ୍ ହାଉସଗୁଡ଼ିକ ହାତକୁ ଡାଲି ଭଳି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ଚାଲିଯିବ। ବିଭିନ୍ନ ଖାଦ୍ୟ ସାମଗ୍ରୀର ଦାମ୍‌ରେ ‌ହଠାତ୍ ଅସ୍ବାଭାବିକ ହ୍ରାସବୃଦ୍ଧି ଘଟିବ।

ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ କହିବାନୁଯାୟୀ, ରାଜ୍ୟରେ ବାର୍ଷିକ ପ୍ରାୟ ୯ ଲକ୍ଷ ୫୦ ହଜାର ଟନ୍ ଡାଲି ଆବଶ୍ୟକ ରହିଛି। ଏଥିରୁ ଅଳ୍ପ କିଛି ଆମ ରାଜ୍ୟରେ ଉତ୍ପାଦନ ହେଉଛି। କିନ୍ତୁ ଉତ୍ପାଦନ ହେଉଥିବା ଅଳ୍ପ କିଛି ହରଡ଼ ଡାଲି ରାୟପୁରର ଡାଲି ମିଲ୍‌କୁ ପଳାଇଥାଏ। ସେଠାରେ ସେଗୁଡ଼ିକର ପ୍ରକ୍ରିୟାକରଣ ହୋଇ ବଜାରକୁ ଆସିଥା‌ଏ। ବର୍ତ୍ତମାନ ମୁଗ ଡାଲି ମୂଲ୍ୟ କିଛିଟା ହ୍ରାସ ପାଇଥିଲେ ମଧ୍ୟ ହରଡ଼ ଡାଲି ମୂଲ୍ୟ ବଢ଼ିଯାଇଛି। ହରଡ଼ ଡାଲି ମୂଲ୍ୟବୃଦ୍ଧି ପାଇଁ ସେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଏବଂ କର୍ପୋରେଟ୍ ହାଉସ୍‌ଙ୍କ ଖେଳକୁ ଦାୟୀ କରିଛନ୍ତି। ସରକାର ଯଦି ନୀତିରେ ପରିବର୍ତ୍ତନ ନଆଣିବେ ତା’ହେଲେ ଗ୍ରାହକ ଏଭଳି ଶୋଷଣର ଶିକାର ହେବା ସହିତ ଛୋଟ ଛୋଟ ବ୍ୟବସାୟୀ ମଧ୍ୟ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ବୋଲି ସେ ମତ ଦେଇଛନ୍ତି।