ପ୍ରତାପୁର : ଆଉ ନାହାନ୍ତି ଶେଷ ସମୟର ବନ୍ଧୁ ଉମାଚରଣ ସାହୁ (୬୨)। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ପଞ୍ଚାୟତ କଲ୍ୟାଣପୁର ଗ୍ରାମର ବାସିନ୍ଦା ତଥା ଜୀବନକାଳରେ ୧୬୬ଟି ଶବ ସଂସ୍କାର କରି ସ୍ବତନ୍ତ୍ର ପରିଚୟ ତିଆରି କରିଥିବା ଉମାଚରଣଙ୍କ ଆଜି ସକାଳ ୮ଟାରେ ପରଲୋକ ଘଟିଛି। ଗତ ତିନିବର୍ଷ ତଳେ ହଠାତ୍ ତାଙ୍କର ହାତଗୋଡ଼ ଝିମା ହେବା ସହ ଅଚଳ ପାଲଟିଯାଇଥିଲା। ଚିକିତ୍ସା ପାଇଁ ପାଖରେ ଆବଶ୍ୟକ ଅର୍ଥ ନଥିବାରୁ ଜୀବନ ସହ ତାଙ୍କର ସଂଘର୍ଷ ଜାରି ରହିଥିଲା। ଆଜି ସେ ଶେଷ ନିଃଶ୍ବାସ ତ୍ୟାଗ କରିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରିଥିବା ବେଳେ ପୁଅ ଉତ୍ତମ ସାହୁ, ଝିଅ ଓ ଜ୍ବାଇଁ ଉପସ୍ଥିତ ଥିଲେ।
ଦିବଙ୍ଗତ ଉମା କାହାର ମଧ୍ୟ ମୃତ୍ୟୁ ଖବର ପାଇବା କ୍ଷଣି ତାଙ୍କ ଘରେ ପହଞ୍ଚି ପରିବାରକୁ ସମବେଦନା ଜଣାଉଥିଲା। ଶବକୁ କାନ୍ଧ ଦେଇ ସସମ୍ମାନର ସହ ସଂସ୍କାର କରିଆସୁଥିଲେ। ଏଥିପାଇଁ ସେ କାହାଠୁ ଟଙ୍କାଟିଏ ବି ନେଉ ନଥିଲେ। ବିଶେଷକରି ଗରିବ ଓ ଅସହାୟ ଲୋକଙ୍କ ଆତ୍ମୀୟଙ୍କ ଶବ ସଂସ୍କାର ପାଇଁ ଯେମିତି ସାହା ପାଲଟିଥିଲେ। ସେହିପରି ସେ କଳାପ୍ରିୟ ମଧ୍ୟ ଥିଲେ। ଭାରତଲୀଳା ନାଟକରେ ଦ୍ୱାରପାଳ ଭୂମିକାରେ ତାଙ୍କ ଅଭିନୟ ଦର୍ଶକଙ୍କୁ ଆମୋଦିତ କରୁଥିଲା। ଛୋଟ ଛୋଟ ପିଲାମାନଙ୍କୁ ସେ ପାଠ ପଢ଼ାଉଥିଲେ। ତାଙ୍କ ବିୟୋଗ ଗାଁ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଗ୍ରାମବାସୀ କହିଛନ୍ତି।