ଏନଜିଓ କଳାତାଲିକା ଭୁକ୍ତ, ଏଡସ୍ ସଚେତନତା ବାଟବଣା: ବଢ଼ୁଛି ପଜିଟିଭ୍, ୩ ବର୍ଷରେ ୧୬୭ ମୃତ

୨୦୧୯ରୁ ବନ୍ଦ ରହିଛି ଟିଆଇ କାର୍ଯ୍ୟକ୍ରମ, ହଟସ୍ପଟ୍ ପାଲଟିଛି ରାୟଗଡ଼ା ସହରାଞ୍ଚଳ

ରାୟଗଡ଼ା: ଏଚଆଇଭି ହଟସ୍ପଟ୍ ରାୟଗଡ଼ା ସହରାଞ୍ଚଳରେ ଏଡସ୍ ସଚେତନତା ବାଟବଣା ହୋଇଛି। ଟାର୍ଗଟେଡ୍ ଇଣ୍ଟରଭେନସନ୍ (ଟିଆଇ) କାର୍ଯ୍ୟକ୍ରମ କରୁଥିବା ଭୁବନେଶ୍ବରର ସ୍ବେଚ୍ଛାସେବୀ ସଂସ୍ଥା ‘ସୃଷ୍ଟି’ କଳାତାଲିକା ଭୁକ୍ତ ହେବା ପରେ ରାୟଗଡ଼ାରେ ବଢ଼ିବାରେ ଲାଗିଛି ପଜିଟିଭ୍ ଓ ମୃତକଙ୍କ ସଂଖ୍ୟା। ୨୦୧୯ରୁ ସଚେତନତା କାର୍ଯ୍ୟକ୍ରମ ବନ୍ଦ ରହିଛି। ରାଜ୍ୟ ସରକାର ଟିଆଇ କାର୍ଯ୍ୟକ୍ରମ ପାଇଁ ଅନ୍ୟ କେଉଁ ସଂସ୍ଥାକୁ ନିଯୁକ୍ତି କରୁନଥିବାରୁ ଏଡସ୍ କାର୍ଯ୍ୟକ୍ରମ ଜିଲ୍ଲାରେ ବାଧାପ୍ରାପ୍ତ ହୋଇଛି। ଏପରିକି ଗତ ୩ ବର୍ଷରେ ୧୬୭ ଏଡସ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସରକାରୀ ରେକର୍ଡରୁ ଜଣା ପଡିଛି।

କେବଳ ରାୟଗଡ଼ା ସହର, ବ୍ଲକ୍ ଅଞ୍ଚଳ ପାଇଁ ବେସରକାରୀ ସଂସ୍ଥା ‘ସୃଷ୍ଟି’ କୁ ରାଜ୍ୟ ସରକାର ଟିଆଇ କାର୍ଯ୍ୟକ୍ରମ ପାଇଁ ଦାୟିତ୍ବ ଦେଇଥିଲେ। ସହରାଞ୍ଚଳରେ ଥିବା କଳକାରଖାନା, ବେସରକାରୀ ବ୍ୟବସାୟ ପ୍ରତିଷ୍ଠାନକୁ ବାହାର ରାଜ୍ୟରୁ ଆସୁଥିବା ମାଲବାହୀ ଟ୍ରକ୍, ଯାନବାହନର ଡ୍ରାଇଭର, ଶ୍ରମିକ ଶ୍ରେଣୀର ଲୋକଙ୍କ ଯୋଗୁ ଏଚଆଇଭି ସଂକ୍ରମଣ ବଢ଼ୁଥିବା ସର୍ଭେ ରିପୋର୍ଟରୁ ଜଣା ପଡିଛି। ରାୟଗଡ଼ାରୁ ଜେକେପୁର ମଧ୍ୟରେ ଅସୁରକ୍ଷିତ ଭାବେ ଯୌନ କାରବାର ବଢ଼ୁଥିବାରୁ ସଂକ୍ରମଣ ଅଧିକ ହେଉଛି। ଏହି ଅଞ୍ଚଳର ଯୌନକର୍ମୀଙ୍କୁ ସଚେତନତା କରିବା ସହ ଯୌନ ସଂପର୍କ ସମୟରେ କଣ୍ଡୋମ ବ୍ୟବହାର କରିବା, ସଂକ୍ରମିତ ବ୍ୟକ୍ତି ଠିକ୍ ସମୟରେ ମେଡ଼ିସିନ୍ ବ୍ୟବହାର ସହ ଅନ୍ୟ ଦିଗ ସଂପର୍କରେ ସଚେତନତା ସୃଷ୍ଟି ଦିଗରେ ବେସରକାରୀ ସଂସ୍ଥା ‘ସୃଷ୍ଟି’ କାମ କରି ଆସୁଥିଲା। ହେଲେ ସଂସ୍ଥା ଠିକ୍ ଭାବରେ କାମ ନ କରିବା ସହ ଓସାକ୍ସରୁ ପାଇଥିବା ସରକାରୀ ଅନୁଦାନର ୟୁସି ମଧ୍ୟ ଦାଖଲ କରିନଥିଲା। ସୃଷ୍ଟି ଉପରେ ୩ ଲକ୍ଷର ଟଙ୍କାର ବକେୟା ଗଡ଼ିବା ପରେ ଓସାକ୍ସ୍ ବେସରକାରୀ ସଂସ୍ଥା ସୃଷ୍ଟିକୁ କଳାତାଲିକା ଭୁକ୍ତ କରିବାକୁ ଜାତୀୟ ଏଡସ୍ ନିୟନ୍ତ୍ରଣ ସମିତିକୁ ଚିଠି ଲେଖିଛି। ୨୦୧୯ରୁ ଜିଲ୍ଲାରେ ଟିଆଇ କାର୍ଯ୍ୟକ୍ରମ ବନ୍ଦ ରହିଛି।

ମିଳିଥିବା ସୂଚନାନୁଯାୟୀ, ୨୦୧୮ରେ ୧୩୮୮୫ ଜଣଙ୍କୁ କାଉନସେଲିଂ କରାଯାଇ ୧୩୪୫୨ ନମୁନା ପରୀକ୍ଷା କରାଯାଇଥିଲା। ଯେଉଁଥିରୁ ୭୩ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହିପରି ୨୦୧୯ରେ ୧୬୩୮୪ ଜଣଙ୍କୁ କାଉନସେଲିଂ କରାଯାଇ ପରୀକ୍ଷା ପାଇଁ ସଂଗ୍ରହ ହୋଇଥିବା ୧୫୯୪୪ ନମୁନାରୁ ୭୯ ପଜିଟିଭ୍, ୨୦୨୦ରେ ୨୦୭୦୯ ଜଣଙ୍କୁ କାଉନସେଲିଂ କରାଯାଇ ସଂଗ୍ରହ ହୋଇଥିବା ୨୦୧୮୭ ନମୁନାରୁ ୫୩ ପଜିଟିଭ୍ ଏବଂ ୨୦୨୧ ମାର୍ଚ୍ଚ ସୁଦ୍ଧା ୭୦୬୬ ଜଣଙ୍କୁ କାଉନସେଲିଂ କରାଯାଇ ସଂଗ୍ରହ ହୋଇଥିବା ୬୯୭୫ ନମୁନାରୁ ୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏପରି ଭାବେ ଗତ ୩ ବର୍ଷରେ ଜିଲ୍ଲାରୁ ୨୦୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୬୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

୨୦୧୯ରେ ଟିଆଇ କାର୍ଯ୍ୟକ୍ରମ ବନ୍ଦ ପରେ ୨୦୨୦ ରେ ଟେଷ୍ଟିଂ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଅନ୍ୟପକ୍ଷରେ ଗତ ୪ ବର୍ଷ ହେଲା ହଟସ୍ପଟ୍ ଅଞ୍ଚଳ ଜେକେପୁର ଇଏସଆଇ ହସପିଟାଲରେ ଚାଲିଥିବା ଆଇସିଟିସି ସେଣ୍ଟରକୁ ବନ୍ଦ କରି ଦିଆଯାଇଛି। ଫଳରେ ବହୁ ଆକ୍ରାନ୍ତ ଟେଷ୍ଟିଂ ପାଇଁ ରାୟଗଡ଼ାକୁ ଆସିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ସମେତ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ଓ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଇସିଟିସି ସେଣ୍ଟର କାମ କରୁଛି। ୨୦୨୦ ମାର୍ଚ୍ଚରେ କରୋନା ବ୍ୟାପିବା ପରେ ଏଡସ୍ ସଚେତନତା କାର୍ଯ୍ୟକ୍ରମ ଅଧିକ ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧିତ ଖବର