ରାସ୍ତା ନିର୍ମାଣ ଟେଣ୍ଡର : ୧୬୮ଟି କାମ ବାତିଲ ନିଷ୍ପତ୍ତି ରଦ୍ଦ

ବିଧାୟକଙ୍କ ପରାମର୍ଶରେ ହୋଇଥିଲା ସଂଶୋଧନ

କଟକ : କୋରାପୁଟ ଜିଲ୍ଲାରେ ରାସ୍ତା ନିର୍ମାଣ ପାଇଁ ୨୦୧୭, ମେ’ ୪ରେ ଜାରି କରାଯାଇଥିବା ଟେଣ୍ଡରକୁ ଆଂଶିକ ଭାବେ ବାତିଲ କରିବା ସଂପର୍କିତ ସରକାରୀ ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୩୮୦ଟି କାମ ପାଇଁ ଟେଣ୍ଡର ଅହ୍ଵାନ କରାଯାଇଥିବା ବେଳେ ୨୦୧୭, ଜୁନ୍‌ ୧୩ରେ ଟେଣ୍ଡର ନୋଟିସ୍‌ରେ ସଂଶୋଧନ କରାଯାଇଥିଲା। ଟେଣ୍ଡର ନୋଟିସରେ ପ୍ରକାଶିତ ୩୮୦ଟି କାମ ମଧ୍ୟରୁ କ୍ରମିକ ନମ୍ବର ୧ରୁ ୧୬୮ କ୍ରମିକ ନମ୍ବର ପର୍ଯ୍ୟନ୍ତ ଥିବା କାମ ବାତିଲ କରାଯାଇଛି ବୋଲି ଜୁନ୍‌ ୧୩ ସଂଶୋଧନ ନୋଟସରେ ସ୍ପଷ୍ଟ କରାଯାଇଥିଲା। ଏଥି ସହିତ କେତେକ ନୂଆ କାମ ପାଇଁ ୨୦୧୭, ଅଗଷ୍ଟ ୨୧ରେ ସାନି ଟେଣ୍ଡର ଜାରି କରାଯାଇଥିଲା।

୧୬୮ଟି କାମ ବାତିଲ ପାଇଁ ଜାରି କରାଯାଇଥିବା ଜୁନ୍‌ ୧୩ର ସଂଶୋଧନ ନୋଟିସ୍‌ ଓ ଅଗଷ୍ଟ ୨୧ର ସାନି ଟେଣ୍ଡର ନୋଟିସକୁ ଚାଲେଞ୍ଜ କରି କୋରାପୁଟର ୟୁନାଇଟେଡ୍‌ କଂଟ୍ରାକ୍ଟର ଆସୋସିଏସନ୍‌, ମନୋଜ କୁମାର ନାୟକ ଓ ପତିତପାବନ ନାଥଶର୍ମା ପୃଥକ ମାମଲା ହାଇକୋର୍ଟରେ ଦାୟର କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ମାମଲାର ଏକତ୍ର ଶୁଣାଣି କରି ମୂଳ ଟେଣ୍ଡର ନୋଟିସର ୧୬୮ କାମ ବାତିଲ ପାଇଁ ଜାରି କରାଯାଇଥିବା ୨୦୧୭, ଜୁନ୍‌ ୧୩ର ନୋଟିସ୍‌କୁ ରଦ୍ଦ କରିଛନ୍ତି। ଏଥି ସହିତ ପରବର୍ତ୍ତୀ ସମୟରେ ସାନି ଟେଣ୍ଡର ପାଇଁ ଜାରି ୨୦୧୭, ଅଗଷ୍ଟ ୨୧ରେ ଜାରି ନୋଟିସକୁ ମଧ୍ୟ ଖଣ୍ଡପୀଠ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ସୁନାବେଡାସ୍ଥିତ ଅଧୀକ୍ଷଣ ଯନ୍ତ୍ରୀ(ଆର୍‌ଡବ୍ଲୁ) ଦକ୍ଷିଣାଞ୍ଚଳ ସର୍କଲ ୩୮୦ଟି କାମ ପାଇଁ ୨୦୧୭, ମେ’ ୪ରେ ନୋଟିସ୍‌ ଜାରି କରିଥିଲେ। ପ୍ରସ୍ତାବିତ କାମ ସବୁକୁ ୩ଟି ବର୍ଗରେ ବିଭକ୍ତ କରାଯାଇଥିଲା। ୪୦ ଲକ୍ଷ ଟଙ୍କାରୁ ଦେଢ କୋଟି ମଧ୍ୟରେ ହେବାକୁ ଥିବା କାମ ପାଇଁ ‘ବି’ ଓ ‘ଏ’ କ୍ଲାସ୍‌ କଂଟ୍ରାକ୍ଟର, ଦେଢ କୋଟିରୁ ୪ କୋଟି ଟଙ୍କାର କାମ ପାଇଁ ‘ଏ’ ଓ ସ୍ପେଶାଲ କ୍ଲାସ କଂଟ୍ରାକ୍ଟର ଏବଂ ୪ କୋଟିରୁ ୧୦ କୋଟି ଟଙ୍କା ମଧ୍ୟରେ ଥିବା କାମ ଲାଗି ସ୍ପେଶାଲ କ୍ଲାସ୍‌ ଓ ସୁପର କ୍ଲାସ୍‌ କଂଟ୍ରାକ୍ଟର ଆବେଦନ କରି ପାରିବେ ବୋଲି ଟେଣ୍ଡରରେ ନୋଟିସରେ ସ୍ପଷ୍ଟ କରାଯାଇଥିଲା। ଟେଣ୍ଡରରେ ଅଂଶ ଗ୍ରହଣ ପାଇଁ ଥିବା ଶେଷ ତାରିଖ ୨୦୧୭, ଜୁନ୍‌ ୧୭ ଧାର୍ଯ୍ୟ କରାଯାଇଥିଲା।

୨୦୧୭, ଜୁନ୍‌ ୧୦ରେ ସ୍ଥାନୀୟ ବିଧାୟକ ତାରା ପ୍ରସାଦ ବାହିନୀପତି ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ ଯେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା(ପିଏମଜିଏସଓ୍ଵାଇ) ଅନ୍ତର୍ଗତ କାମରେ ଯଦି ‘ବି’ କ୍ଲାସ କଂଟ୍ରାକ୍ଟରଙ୍କୁ ସୁଯୋଗ ଦିଆଯାଏ ତେବେ କାମର ମାନ ହ୍ରାସ ପାଇବାର ସମ୍ଭାବନା ରହିଛି। ତେଣୁ ‘ବି’ କ୍ଲାସ କଂଟ୍ରାକ୍ଟରଙ୍କ ପାଇଁ ଥିବା କାମର ମିଶ୍ରଣ କରି ଏଗୁଡିକ ‘ଏ’, ସ୍ପେଶାଲ କ୍ଲାସ ଓ ସୁପରକ୍ଲାସ କଂଟ୍ରାକ୍ଟରଙ୍କ ପାଇଁ ଉପଲବ୍ଧ କରିବା ପାଇଁ ବିଧାୟକ ପରାମର୍ଶ ପ୍ରଦାନ କରିଥିଲେ। ଏହା ପରେ ପିଏମଜିଏସଓ୍ଵାଇ ମୁଖ୍ୟଯନ୍ତ୍ରୀ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ବିଧାୟକଙ୍କ ପରାମର୍ଶ ଉପରେ ବିଚାର ବିମର୍ଶ କରିଥଲେ ଓ ଟେଣ୍ଡର ଆହ୍ଵାନ କରିଥିବା ଅଧୀକ୍ଷଣ ଯନ୍ତ୍ରୀଙ୍କ ମତ ଲୋଡିଥିଲେ।

ଏପରି ପରିସ୍ଥିତିରେ ହଠାତ ୨୦୧୭, ଜୁନ୍‌ ୧୩ରେ ମୂଳ ଟେଣ୍ଡର ନୋଟିସରେ ସଂଶୋଧନ କରାଯାଇ ପ୍ରସ୍ତାବିତ ୧୬୮ଟି କାମ ବାତିଲ କରାଯାଇ ନୋଟିସ ଜାରି କରାଯାଇଥିଲା। ଏଥି ସହିତ ସାନି ଟେଣ୍ଡର ପାଇଁ ମଧ୍ୟ ୨୦୧୭, ଅଗଷ୍ଟ ୨୧ରେ ସାନି ଟେଣ୍ଡର ନୋଟିସ୍‌ ଜାରି କରାଯାଇଥିଲା। ବିଧାୟକଙ୍କ ପରାମର୍ଶରେ ଏପରି ନିଷ୍ପତ୍ତି ନିଆଯିବା ଗ୍ରହଣୀୟ ନୁହେଁ ଓ ନିର୍ଦ୍ଦିଷ୍ଟ ଭାବେ ‘ବି’ କ୍ଲାସ୍‌ କଂଟ୍ରାକ୍ଟରଙ୍କୁ ଟେଣ୍ଡର ପ୍ରକ୍ରିୟାରୁ ବାଦ ଦିଆଯିବା ବେଆଇନ ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର