ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ସନ୍ତୁଳି ହେଉଛି ପଶ୍ଚିମ ଓଡ଼ିଶା। ଗତ ୧୫ ଦିନ ହେଲା ତାତିରୁ ନିସ୍ତାର ମିଳୁନି। ଦିନ ତ’ ଦିନ, ରାତିରେ ବି ଘରେ ରହିବା ମୁସ୍କିଲ ହୋଇପଡ଼ୁଛି। ପ୍ରବଳ ଗରମ ସାଙ୍ଗକୁ ତତଲା ପବନ ଓ ରାତିରେ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଅଣନିଶ୍ବାସୀ କରିଦେଉଛି। ଖାଲି ପଶ୍ଚିମ ଓଡ଼ିଶା ନୁହେଁ, ଆଭ୍ୟନ୍ତର ଓଡ଼ିଶାର ବି ସମାନ ସ୍ଥିତି। ଆଉ ଏବେ ଧୀରେଧୀରେ ଉପକୂଳ ବି ଉତ୍ତପ୍ତ ହେବା ଆରମ୍ଭ ହେଲାଣି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାରଦ ସ୍ତର ଖସିବାର ସମ୍ଭାବନା ନାହିଁ। ତାତି ଏଭଳି ଜାରି ରହିବ। ସାଧାରଣତଃ ଏହି ସମୟରେ ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ସ୍ବାଭାବିକ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥାଏ। ଏଥିସହ ଉତ୍ତର-ପଶ୍ଚିମ ଓ କେନ୍ଦ୍ର ଭାରତରେ ତାତି ଅଧିକ ରହୁଥିବାରୁ ସେହି ତାତି ଆଭ୍ୟନ୍ତର ଓଡ଼ିଶାକୁ ପ୍ରବାହିତ ହେଉଛି ଓ ତାତି ବଢ଼ୁଛି ବୋଲି ଶ୍ରୀ ଦାସ କହିଛନ୍ତି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ମଧ୍ୟ ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବାରିପଦାଠାରେ ୪୩.୪ ଡିଗ୍ରି ରେକର୍ଡ ହୋଇଛି। ପଛକୁ ରହିଛି ସୋନ୍ପୁର ଓ ବଲାଙ୍ଗୀର ସହର। ସୋନ୍ପୁରର ସର୍ବୋଚ୍ଚ ତାପମାତ୍ରା ୪୩.୨ଡିଗ୍ରି ରହିଥିବା ବେଳେ ବଲାଙ୍ଗୀରରେ ୪୩ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଆହୁରି ୧୩ଟି ଜିଲ୍ଲାର ତାପମାତ୍ରା ମଧ୍ୟ ୪୦ ଡିଗ୍ରି ଉପରେ ରହିଛି। ଅପରପକ୍ଷେ ଗତକାଲିଠାରୁ ଉପକୂଳ ଓଡ଼ିଶାର ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି। ବାଲେଶ୍ବର, ଚାନ୍ଦବାଲି ଓ କଟକର ତାପମାତ୍ରା ୩୯ ପାର୍ କରି ୪୦ଡିଗ୍ରି ପାଖାପାଖି ରହିଛି। ଆଗକୁ ଉପକୂଳର ତାପମାତ୍ରା ବି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳୁଛି। ଏଥିସହ ଆସନ୍ତାକାଲି ଓ ୧୭ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଜପତି, ଗଞ୍ଜାମ ଆଦି ଜିଲ୍ଲାରେ ଅପରାହ୍ଣ ଆଡ଼କୁ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଉପରେ ରହିବ। ଅପରାହ୍ଣରେ ଆକାଶ ଆଂଶିକ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/tempture.jpg)