ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ ଦିନ ସଂସଦରେ ଷୋଡ଼ଶ ଅର୍ଥ ଆୟୋଗ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଷୋଡ଼ଶ ଅର୍ଥ ଆୟୋଗ ରାଜ୍ୟଗୁଡ଼ିକୁ ୪୧ ପ୍ରତିଶତ ଅର୍ଥ ସ୍ଥାନାନ୍ତର ନେଇ ସୁପାରିସ କରିଛନ୍ତି। ସେହି ଅନୁଯାୟୀ ରାଜ୍ୟଗୁଡ଼ିକୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ଅର୍ଥ ଆବଣ୍ଟନ କରାଯାଇଛି। ବିଭିନ୍ନ ରାଜ୍ୟ ମଧ୍ୟରେ କେନ୍ଦ୍ରୀୟ ସମ୍ବଳ ବଣ୍ଟନ ନେଇ ରହିଥିବା ଫର୍ମୁଲା ବା ସୂତ୍ରରେ ଷୋଡ଼ଶ ଅର୍ଥ ଆୟୋଗ କେତେକ ପରିବର୍ତ୍ତନ ଆଣିଛନ୍ତି। ପଞ୍ଚଦର୍ଶ ଅର୍ଥ ଆୟୋଗ ଫର୍ମୁଲା ଅନୁସାରେ, ଓଡ଼ିଶାକୁ ୪.୫୨୮ ପ୍ରତିଶତ ଅର୍ଥ ମିଳିଥିଲା। କିନ୍ତୁ ଷୋଡ଼ଶ ଅର୍ଥ ଆୟୋଗରେ ଏହା ୨୦୨୬-୨୭ ଆର୍ଥିକବର୍ଷରେ ୪.୪୨ ପ୍ରତିଶତକୁ ହ୍ରାସ ପାଇଛି। ବିଭିନ୍ନ ରାଜ୍ୟ ମଧ୍ୟରେ ସମ୍ବଳ ବଣ୍ଟନ ପାଇଁ ଯେଉଁ ଫର୍ମୁଲା ଗ୍ରହଣ ହୋଇଛି ସେଥିରେ ପ୍ରଥମ ଥର ପାଇଁ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍ଡିପି)କୁ ସାମିଲ କରାଯାଇଛି। ଅର୍ଥାତ୍ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଜିଏସ୍ଡିପିର ଯୋଗଦାନକୁ ୧୦ ପ୍ରତିଶତ ଗୁରୁତ୍ବ ଦିଆଯାଇଛି।
Congress: କଂଗ୍ରେସର ଘୋଷଣା: ଜଗତସିଂହପୁରରେ ୧୧ ଉପସଭାପତି, ୧୧ ସାଧାରଣ ସମ୍ପାଦକ
ଏଥିସହିତ ଆୟ ପାର୍ଥକ୍ୟକୁ ପଞ୍ଚଦର୍ଶ ଅର୍ଥ ଆୟୋଗ ୪୫ ପ୍ରତିଶତ ଗୁରୁତ୍ବ ଦେଇଥିବାବେଳେ ଏଥର ଏହାକୁ ୪୨.୫ ପ୍ରତିଶତକୁ କମାଇ ଦିଆଯାଇଛି। ଜନସଂଖ୍ୟାକୁ ଦିଆଯାଉଥିବା ଗୁରୁତ୍ବକୁ ୧୫ ପ୍ରତିଶତରୁ ବୃଦ୍ଧି କରାଯାଇ ୧୭.୫ ପ୍ରତିଶତ ରଖାଯାଇଛି। ଅନ୍ୟପକ୍ଷରେ ଡେମୋଗ୍ରାଫି ବା ଜନସଂଖ୍ୟାର ଉତ୍ତମ ପରିଚାଳନାକୁ ପୂର୍ବଥର ୧୨.୫ ପ୍ରତିଶତ ଗୁରୁତ୍ବ ଦିଆଯାଇଥିବାବେଳେ ନୂଆ ଫର୍ମୁଲାରେ ତାହାକୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି। ଏହା ଦ୍ବାରା ଜନସଂଖ୍ୟା ପରିଚାଳନା କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟଗୁଡ଼ିକ ନିରୁତ୍ସାହିତ ହେବେ। ଭୌଗୋଳିକ ଅଞ୍ଚଳକୁ ଗତ ଅର୍ଥ ଆୟୋଗ ୧୫ ପ୍ରତିଶତ ଗୁରୁତ୍ବ ଦେଇଥିବାବେଳେ ଏଥର ତାହାକୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି। ଗତ ଅର୍ଥ ଆୟୋଗରେ ଟିକସ ଓ ବିତ୍ତୀୟ କ୍ଷେତ୍ରରେ ହେଉଥିବା ଅଗ୍ରଗତିକୁ ୨.୫ ପ୍ରତିଶତ ଗୁରୁତ୍ବ ଦିଆଯାଉଥିବାବେଳେ ଏଥର ତାହାକୁ ଉଠାଇ ଦିଆଯାଇଛି। ଜଙ୍ଗଲର ଗୁରୁତ୍ବକୁ ପୂର୍ବବତ୍ ୧୦ ପ୍ରତିଶତରେ ସ୍ଥିର ରଖାଯାଇଛି। ପ୍ରଥମ ଥର ପାଇଁ ଅର୍ଥ ଆୟୋଗ ରାଜସ୍ବ ନିଅଣ୍ଟ ଅନୁଦାନ ଏବଂ ନିର୍ଦ୍ଦିଷ୍ଟ ରାଜ୍ୟଭିତ୍ତିକ ଅନୁଦାନ ବ୍ୟବସ୍ଥାକୁ ଉଠାଇ ଦେଇଛନ୍ତି। ଏହାକୁ ବିଶେଷଜ୍ଞମାନେ ନାପସନ୍ଦ କରିଛନ୍ତି।
ବଦଳିଲା ସମାନ୍ତରାଳ ଆବଣ୍ଟନ ସୂତ୍ର, ରାଜ୍ୟର ଦାବିକୁ ଅଣଦେଖା
ଅର୍ଥନୀତିଜ୍ଞଙ୍କ ମତରେ, ସମାନ୍ତରାଳ ଆବଣ୍ଟନ ବ୍ୟବସ୍ଥାରେ ହୋଇଥିବା ପରିବର୍ତ୍ତନ ଦ୍ବାରା ଓଡ଼ିଶାକୁ କମ୍ ରାଜସ୍ବ ମିଳିବ। ଜନସଂଖ୍ୟା ଓ ଅନ୍ୟାନ୍ୟ ବିଷୟକୁ ଦିଆଯାଉଥିବା ଗୁରୁତ୍ବ ପ୍ରତିଶତରେ ପରିବର୍ତ୍ତନ ଅଣାଯାଇଥିବାରୁ ରାଜ୍ୟଗୁଡ଼ିକର ଭାଗ ମଧ୍ୟ ଏପଟସେପଟ ହେବ। ନୂଆ ଫର୍ମୁଲାରେ ଦକ୍ଷିଣ ଏବଂ ପଶ୍ଚିମ ଭାରତର ରାଜ୍ୟଗୁଡ଼ିକ ଅଧିକ ଅଂଶ ପାଇବେ। ଗତ ପ୍ରାୟ ଦୁଇ ଦଶନ୍ଧି ହେଲା ଏକାଧିକ ଅର୍ଥ କମିସନଙ୍କ ସୁପାରିସରେ ଓଡ଼ିଶାର ଭାଗ କମିବାରେ ଲାଗିଛି। ବିତ୍ତୀୟ ଶୃଙ୍ଖଳା, ବଜେଟ୍ ପରିଚାଳନା (ଏଫ୍ଆର୍ବିଏମ୍) ଆଇନ ଓ ଅର୍ଥ କମିସନଙ୍କ ଦ୍ବାରା ଧାର୍ଯ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିବା ଓଡ଼ିଶା ପ୍ରତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
Swachh Bharat Mission: ସହରାଞ୍ଚଳ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବ ଓଡ଼ିଶା
ବିଶେଷଜ୍ଞ ଆହୁରି କହିଛନ୍ତି, କେନ୍ଦ୍ରରୁ କମ୍ ଅର୍ଥ ମିଳିବା ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କୁ ବିକାଶମୂଳକ ଯୋଜନା ପାଇଁ ବଜାର ଋଣ ଉପରେ ଅଧିକ ମାତ୍ରାରେ ନିର୍ଭର କରିବାକୁ ପଡ଼ିପାରେ। ଏପରି ପରିସ୍ଥିତିରେ ନିଜସ୍ବ ରାଜସ୍ବ ବୃଦ୍ଧିର ଉତ୍ସ ବାହାର କରିବାକୁ ହେବ। ଏଥିସହିତ ପୌରସଂସ୍ଥା ଓ ପଞ୍ଚାୟତିରାଜ ସଂସ୍ଥା ପାଇଁ ଏକ ଉତ୍ସର୍ଗୀକୃତ ଅନୁଦାନ ପାଇଁ ଦାବି କରିଥିଲା। ସେହିଭଳି ଓଡ଼ିଶା ବାରମ୍ବାର ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଥିବାରୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍ଡିଆର୍ଏଫ୍)କୁ କେନ୍ଦ୍ର ପ୍ରଦାନ କରୁ ବୋଲି ଦାବି କରିଥିଲା। ଏସବୁକୁ ଅଣଦେଖା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/04/gsdp-2026-02-04-02-40-06.jpg)