ପ୍ରଦୂଷଣ ନିୟମ ଅବମାନନା: ସିମେଣ୍ଟ୍‌ କଂପାନି ଉପରେ ୧୭ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ

ରାଉରକେଲା/ସୁନ୍ଦରଗଡ଼: ପରିବେଶ ନିୟମର ଖୋଲା ଉଲ୍ଲଂଘନ କରୁଥିଲା ରାଜଗାଙ୍ଗପୁରସ୍ଥ ଡାଲମିଆ ସିମେଣ୍ଟ୍‌ ଭାରତ ଲିମିଟେଡ୍‌। ତେବେ ଏହି ନିୟମ ଅବମାନନନା କରିବା ଏବେ ଡାଲିମିଆ ସିମେଣ୍ଟ୍‌କୁ ମହଙ୍ଗା ପଡ଼ିଛି। ଏନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଅଭିଯୋଗ ହୋଇଥିଲା। ମାମଲାର ଶୁଣାଣୀ କରି ନିୟମ ଉଲ୍ଲଂଘନ କ୍ଷତିପୂରଣ ବାବଦକୁ ଡାଲମିଆ ସିମେଣ୍ଟ୍‌କୁ ୧୭ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଏନ୍‌ଜିଟି। କର୍ତ୍ତୃପକ୍ଷ ମାସକ ଭିତରେ ଜରିମାନା ଅର୍ଥ ରାଜ୍ୟ ପ୍ରଦୂଷଣ ବୋର୍ଡ ନିକଟରେ ଦାଖଲ କରିବେ। ଅନାଦେୟ ଆଇନ ମୁତାବକ ଜରିମାନା ଆଦାୟ କରିବାକୁ ଜଷ୍ଟିସ୍‌ ବି. ଅମିତ ସ୍ଥାଲେକର ଓ ଶୈବାଳ ଦାସଗୁପ୍ତାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୫ ତାରିଖରେ ମାମଲାର ବିଚାର କରି ରାୟ ସଂରକ୍ଷିତ ରଖିଥିଲେ। ତେବେ ୨୯ ତାରିଖରେ ମାମଲାର ଶୁଣାଣୀ ହୋଇଥିଲା।

ଡାଲିମିଆ ସିମେଣ୍ଟ୍‌ ପକ୍ଷରୁ ସର୍ବନିମ୍ନ ପରିବେଶ ନିୟମ ପାଳନ କରାଯାଉନଥିବା ଅଭିଯୋଗ ଆଣି ଏନ୍‌ଜିଟିର ଦ୍ବାରସ୍ଥ ହୋଇଥିଲେ ସ୍ଥାନୀୟ ରାଜଗାଙ୍ଗପୁର ମାଷ୍ଟର୍‌ କଲୋନିର ଜୟଦେବ ଦାସ। ଶ୍ରୀ ଦାସଙ୍କ ଅଭିଯୋଗ ଅନୁସାରେ, ଡାଲିମିଆ ସିମେଣ୍ଟ ଭାରତ ଲିମିଡେଟ୍‌(ପୂର୍ବନାମ ଓସିଏଲ ଇଣ୍ଡିଆ ଲିମିଟେଡ୍‌କୁ ସିମେଣ୍ଟ୍‌ ଫ୍ୟାକ୍ଟ୍ରି ଲାଇନ୍‌-୧ ସ୍ଥାପନ ପାଇଁ ପ୍ରାୟ ୯୧.୯୫ ହେକ୍ଟର ଜମି ଆବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ସଂସ୍ଥା ଲାଇନ୍‌-୨ ଓ ଲାଇନ୍‌-୩ ମଧ୍ୟ ସ୍ଥାପନ କରିଥିଲା। ତେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମାନୁଯାୟୀ, ମୋଟ୍‌ ଆବଣ୍ଟିତ ଜମିର ୩୩ ପ୍ରତିଶତ ଅଞ୍ଚଳରେ ବୃକ୍ଷରୋପଣ କରି ସବୁଜ ବଳୟ ସୃଷ୍ଟି କରାଯିବ। ଏହି କ୍ରମରେ ଡାଲମିଆ ସିମେଣ୍ଟ୍‌କୁ ମିଳିଥିବା ମୋଟ୍‌ ଜମିର ୩୧ ହେକ୍ଟରରେ ପ୍ରାୟ ୨୫ ହଜାର ବୃକ୍ଷରୋପଣ କରାଯିବା କଥା; ମାତ୍ର କର୍ତ୍ତୃପକ୍ଷ ଏହାକୁ ଅବହେଳା କରିଛନ୍ତି। ଏହାସହ କାରଖାନାରୁ ନିର୍ଗତ ବର୍ଜ୍ୟମିଶ୍ରିତ ଜଳ ସୁପରିଚାଳନା ପାଇଁ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌(ଏସ୍‌ଟିପି) ସ୍ଥାପନ କରିନାହାନ୍ତି। ଏମିତିକି ଛାତ ଉପର ଜଳ ଅମଳ ପାଇଁ ପ୍ଲାଣ୍ଟ୍‌ କିମ୍ବା ଭୂତଳ ଜଳ ପରିଚାଳନା ପାଇଁ ଡ୍ରେନ୍‌ ବ୍ୟବସ୍ଥା ମଧ୍ୟ କରାଯାଇନଥିବା ଅଭିଯୋଗ ଆଣିଥିଲେ।

ମାମଲାକୁ ବିଚାରକୁ ନେଇ ୨୦୨୧ ‌ମେ’ ୨୮ ତାରିଖରେ ଏନ୍‌ଜିଏଟି ଏକ ଯୁଗ୍ମ କମିଟି ଗଠନ କରିଥିଲେ। ଏଥିରେ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, ଭୁବନେଶ୍ବର ଆଞ୍ଚଳିକ ଶାଖାର ବରିଷ୍ଠ ବୈଜ୍ଞାନିକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ, ରାଉରକେଲା ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ସଦସ୍ୟ ଥିଲେ। ସରଜମିନ ତଦନ୍ତ କରି ଏହି କମିଟି ଗତ ୨୦୨୧ ମସିହା ଅଗଷ୍ଟ ୨୩ ତାରିଖରେ ବିସ୍ତୃତ ରିପୋର୍ଟ ଦାଖଲ କରିଥିଲେ। ତେବେ ଏଥିରେ କିଛି ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହେବାରୁ ପୁନର୍ବାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ପୁଣିଥରେ ତଦନ୍ତ କଲାପରେ ୨୦୨୧ ଡିସେମ୍ବର ୭ ତାରିଖରେ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ କାରଖାନା ପରିସରରେ ପରିବେଶ ବାୟୁ ଗୁଣବତ୍ତା(ଏଏକ୍ୟୁ) ରିପୋର୍ଟ ଦାଖଲ କରିଥିଲେ। ଏଥିରେ ୨୦୨୧ ମସିହା ଜୁଲାଇ-ଅଗଷ୍ଟ ମାସରେ ୨୯ ଦିନ ଧରି କାରଖାନା ପରିସର ଅତ୍ୟଧିକ ପ୍ରଦୂଷିତ ଥିବା ଜଣାପଡ଼ିଥିଲା। ଏହାକୁ ଆଧାର କରି ତଥା ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନପରେ ଏନ୍‌ଜିଟି ପକ୍ଷରୁ କ୍ଷତିପୂରଣ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର